ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:
ରାସ୍ତାକଡ଼ ଜଳଖିଆ ଦୋକାନରେ ଯାଞ୍ଚ ହେଉନି ଖାଦ୍ଯ ର ମାନ; ନିଦାବିଷ୍ଣୁ ପାଲଟିଛି ପୌର ପ୍ରଶାସନ ଓ ଖାଦ୍ୟ ନିରାପତ୍ତା ବିଭାଗ
ନୂଆ ବସ୍ଷ୍ଟାଣ୍ଡ ଓ କୋର୍ଟ ନିକଟରେ ସନ୍ଧ୍ୟା ହେଲେ ଜମୁଛି ଗ୍ରାହକଙ୍କ ଭିଡ଼; ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ ନଖେଳିବାକୁ ଦାବି
ଖୋରଧା, ୧୩।୧୧: ରାସ୍ତାକଡ଼ରେ ମିଳୁଥିବା ଗରମାଗରମ ଆଳୁଦମ୍-ଦହିବରା, ଗୁପ୍ଚୁପ୍, ଚାଟ୍, ଘୁଗୁନି ଓ ବିଭିନ୍ନ ପ୍ରକାର ଜଳଖିଆର ସ୍ୱାଦ ନେବାକୁ ଆଜିକାଲି ଲୋକଙ୍କ ମଧ୍ୟରେ ବେଶ୍ ଆଗ୍ରହ ଦେଖିବାକୁ ମିଳୁଛି। ସ୍ୱଳ୍ପ ମୂଲ୍ୟରେ ମନପସନ୍ଦ ଖାଦ୍ୟ ମିଳୁଥିବାରୁ ଛାତ୍ରଛାତ୍ରୀ, ଯୁବକ, ମହିଳା, କର୍ମଜୀବୀଙ୍କଠାରୁ ଆରମ୍ଭ କରି ଯାତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦୋକାନ ଗୁଡ଼ିକ ପ୍ରତି ଆକୃଷ୍ଟ ହେଉଛନ୍ତି। କିନ୍ତୁ ଏହି ଲୋକପ୍ରିୟ ରାସ୍ତାକଡ଼ ଖାଦ୍ୟର ମାନ, ପ୍ରସ୍ତୁତି ପ୍ରଣାଳୀ ଓ ସ୍ୱଚ୍ଛତାକୁ ନେଇ ଏବେ ଖୋରଧା ସହରରେ ଗୁରୁତର ପ୍ରଶ୍ନ ଉଠିଛି। ସହରର ବିଭିନ୍ନ ସ୍ଥାନରେ ଖୋଲିଥିବା ଜଳଖିଆ ଦୋକାନ, ଠେଲାଗାଡ଼ି ଓ ଫାଷ୍ଟ ଫୁଡ଼, ଅସ୍ଥାୟୀ ଖାଦ୍ୟ ବିକ୍ରୟ କେନ୍ଦ୍ରରେ ବାସୀ ଓ ନିମ୍ନମାନର ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ କରାଯାଉନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସହର ର ବିଭିନ୍ନ ଛକ, ବଜାର, ରାସ୍ତାକଡ଼ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦିନକୁ ଦିନ ଖାଦ୍ୟ ବିକ୍ରୟ କେନ୍ଦ୍ରର ସଂଖ୍ୟା ବଢ଼ିଚାଲିଛି। କେଉଁଠି ଠେଲାଗାଡ଼ିରେ ଆଳୁଦମ୍-ଦହିବରା ବିକ୍ରି ହେଉଛି ତ ଆଉ କେଉଁଠି ଖୋଲା ସ୍ଥାନରେ ଗୁପ୍ଚୁପ୍, ଚାଟ୍ ଓ ଅନ୍ୟାନ୍ୟ ଜଳଖିଆ, ଫାଷ୍ଟ ଫୁଡ଼ ପ୍ରସ୍ତୁତ କରାଯାଇ ଗ୍ରାହକଙ୍କୁ ବିକ୍ରୀ କରା ଯାଉଛି। ଅନେକ ଦୋକାନରେ ଖାଦ୍ୟ ସାମଗ୍ରୀ କେଉଁଠାରୁ ଆସୁଛି, କେତେ ସମୟ ଧରି ସଂରକ୍ଷିତ ରହୁଛି ଏବଂ ଅବଶିଷ୍ଟ ଖାଦ୍ୟକୁ ପରଦିନ ପୁନର୍ବାର ବିକ୍ରି କରାଯାଉଛି କି ନାହିଁ, ସେ ସମ୍ପର୍କରେ କୌଣସି ନିୟମିତ ତଦାରଖ ହେଉନଥିବା ଅଭିଯୋଗ ରହିଛି। ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ତେଲ, ମସଲା, ପାଣି, ଦହି ଓ ଅନ୍ୟାନ୍ୟ ସାମଗ୍ରୀର ଗୁଣବତ୍ତା ଉପରେ ମଧ୍ୟ ନଜର ରଖାଯିବା ଆବଶ୍ୟକ।

ବିଶେଷକରି ଆଳୁଦମ୍-ଦହିବରା ଓ ଗୁପ୍ଚୁପ୍ ଭଳି ଖାଦ୍ୟ ପ୍ରସ୍ତୁତିରେ ପରିଷ୍କାର ପାଣି, ତାଜା ଦହି, ଉତ୍ତମମାନର ମସଲା ଓ ସତେଜ ସାମଗ୍ରୀର ବ୍ୟବହାର ଅତ୍ୟନ୍ତ ଜରୁରୀ। କିନ୍ତୁ ଅନେକ ସ୍ଥାନରେ ଖାଦ୍ୟ ସାମଗ୍ରୀ ଖୋଲାରେ ରଖାଯାଉଥିବାରୁ ଧୂଳି, ଧୂଆଁ ଓ ମାଛିଙ୍କ ସଂସ୍ପର୍ଶରେ ଆସିବାର ଆଶଙ୍କା ରହୁଛି। ଏହାବ୍ୟତୀତ ଖାଦ୍ୟ ପ୍ରସ୍ତୁତି ଓ ପରଷିବା ସମୟରେ ସ୍ୱଚ୍ଛତା ରକ୍ଷା, ବ୍ୟବହୃତ ପାତ୍ରର ପରିଷ୍କାର ପରିଚ୍ଛନ୍ନତା ଏବଂ ପାନୀୟ ଜଳର ଗୁଣବତ୍ତା ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଉନଥିବା ନେଇ ଅଭିଯୋଗ ହେଉଛି। ଏପରି ପରିସ୍ଥିତିରେ ଗ୍ରାହକମାନେ ଅଜାଣତରେ ଦୂଷିତ ଖାଦ୍ୟ ଖାଇ ବିଭିନ୍ନ ପେଟଜନିତ ରୋଗ ଓ ଖାଦ୍ୟ ବିଷକ୍ରିୟାର ଶିକାର ହେବାର ଆଶଙ୍କା ରହିଛି।
ଖୋରଧା ନୂଆ ବସ୍ଷ୍ଟାଣ୍ଡ ଏବଂ କୋର୍ଟ ଛକରେ ଏହି ସମସ୍ୟା ଅଧିକ ଦୃଷ୍ଟିଗୋଚର ହେଉଥିବା କୁହାଯାଉଛି। ପ୍ରତିଦିନ ସନ୍ଧ୍ୟା ସମୟରେ ବସ୍ଷ୍ଟାଣ୍ଡ ଭିତରେ ଥିବା ଓ ଏହାର ଆଖପାଖରେ ଖୋଲିଥିବା ଫାଷ୍ଟଫୁଡ୍ ଓ ଜଳଖିଆ ଦୋକାନ ଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଭିଡ଼ ଜମୁଛି। ବସ୍କୁ ଅପେକ୍ଷା କରିଥିବା ଯାତ୍ରୀ, ଦୈନନ୍ଦିନ ଯାତାୟାତ କରୁଥିବା ଲୋକ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ବାସିନ୍ଦା ଏହି ଦୋକାନଗୁଡ଼ିକରୁ ଖାଦ୍ୟ କିଣି ଖାଉଛନ୍ତି। ସେହିପରି ଖୋରଧା କୋର୍ଟ ନିକଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ସନ୍ଧ୍ୟା ହେଲେ ବିଭିନ୍ନ ଖାଦ୍ୟ ଦୋକାନରେ ଭିଡ଼ ଦେଖିବାକୁ ମିଳୁଛି। ଏତେ ସଂଖ୍ୟକ ଲୋକ ଦୈନିକ ଏହି ଦୋକାନ ଗୁଡ଼ିକ ଉପରେ ନିର୍ଭର କରୁଥିବା ସତ୍ତ୍ୱେ ଖାଦ୍ୟର ମାନ ଯାଞ୍ଚ ପାଇଁ ନିୟମିତ ଅଭିଯାନ ହେଉନଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏଠାରେ ପ୍ରଶ୍ନ ଉଠୁଛି, ସହରରେ ଏତେ ସଂଖ୍ୟକ ଖାଦ୍ୟ ବିକ୍ରୟ କେନ୍ଦ୍ର ଚାଲୁଥିବା ବେଳେ ସେଗୁଡ଼ିକର ଖାଦ୍ୟ ସୁରକ୍ଷା ମାନଦଣ୍ଡ ଯାଞ୍ଚ କରିବା ଦାୟିତ୍ୱ କାହାର ? ଖାଦ୍ୟ ବିକ୍ରେତାମାନେ ଆବଶ୍ୟକୀୟ ଖାଦ୍ୟ ସୁରକ୍ଷା ପଞ୍ଜୀକରଣ ବା ଲାଇସେନ୍ସ ହାସଲ କରିଛନ୍ତି କି ନାହିଁ ? ଖାଦ୍ୟ ପ୍ରସ୍ତୁତି ପାଇଁ ସୁରକ୍ଷିତ ପାଣି ବ୍ୟବହାର କରାଯାଉଛି କି ? ଦୋକାନ ଗୁଡ଼ିକରେ ତାଜା ଖାଦ୍ୟ ବିକ୍ରି ହେଉଛି କି ନାହିଁ ? ଏସବୁ ଦିଗରେ ସମ୍ପୃକ୍ତ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି କି ନାହିଁ ? ଏହି ପ୍ରସଙ୍ଗରେ ଖୋରଧା ପୌର ପରିଷଦ ଓ ଖାଦ୍ୟ ନିରାପତ୍ତା ବିଭାଗର ଭୂମିକା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଖାଦ୍ୟର ମାନ ଯାଞ୍ଚ କରିବା କେବଳ ଏକ ଔପଚାରିକତା ନୁହେଁ, ଏହା ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସହ ସିଧାସଳଖ ଜଡ଼ିତ। ତେଣୁ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇ ଖାଦ୍ୟର ନମୁନା ସଂଗ୍ରହ, ତେଲ ଓ ଅନ୍ୟାନ୍ୟ ସାମଗ୍ରୀର ଗୁଣବତ୍ତା ପରୀକ୍ଷା, ଖାଦ୍ୟ ସଂରକ୍ଷଣ ପ୍ରଣାଳୀର ଯାଞ୍ଚ ଏବଂ ଆବଶ୍ୟକ ସ୍ଥଳେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବା ଦରକାର। ସେହିପରି ପୌର ପରିଷଦ ପକ୍ଷରୁ ଦୋକାନ ଗୁଡ଼ିକର ପରିବେଶ, ଆବର୍ଜନା ପରିଚାଳନା, ପରିମଳ ବ୍ୟବସ୍ଥା ଓ ଆବଶ୍ୟକୀୟ ଅନୁମତି ଉପରେ ନଜର ରଖିବା ଆବଶ୍ୟକ।

ଏହା ସହିତ ଖାଦ୍ୟ ବିକ୍ରେତାମାନଙ୍କୁ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ସମ୍ପର୍କରେ ସଚେତନ କରାଯିବା ମଧ୍ୟ ଜରୁରୀ। ବ୍ୟବସାୟୀମାନେ ଅଧିକ ଲାଭ ଆଶାରେ ବାସୀ ଖାଦ୍ୟ ବିକ୍ରି କରିବା କିମ୍ବା ନିମ୍ନମାନର ସାମଗ୍ରୀ ବ୍ୟବହାର କରିବାରୁ ନିବୃତ୍ତ ରହିବା ଉଚିତ। ଗ୍ରାହକଙ୍କୁ ଉତ୍ତମମାନର ଓ ସୁରକ୍ଷିତ ଖାଦ୍ୟ ଯୋଗାଇବା ପ୍ରତ୍ୟେକ ବ୍ୟବସାୟୀଙ୍କ ନୈତିକ ଦାୟିତ୍ୱ।
ଏବେ ସହରବାସୀଙ୍କ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଚିନ୍ତା ବଢ଼ୁଥିବା ବେଳେ ଜିଲ୍ଲାପାଳ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହେଉଛି। ଖୋରଧା ସହରର ନୂଆ ବସ୍ଷ୍ଟାଣ୍ଡ, କୋର୍ଟ ନିକଟବର୍ତ୍ତୀ ଅଞ୍ଚଳ ସମେତ ସମସ୍ତ ଛକ, ବଜାର ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବା ରାସ୍ତାକଡ଼ ଖାଦ୍ୟ ଦୋକାନ ଗୁଡ଼ିକର ତୁରନ୍ତ ଯାଞ୍ଚ କରାଯାଉ। ଏଥିପାଇଁ ଏକ ନିୟମିତ ଯାଞ୍ଚ ବ୍ୟବସ୍ଥା ଗଠନ କରିବା ସହ ଯାଞ୍ଚର ଫଳାଫଳ ଓ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସାର୍ବଜନୀନ ସୂଚନା ଦିଆଯାଉ। ଲୋକଙ୍କୁ ସୁଲଭ ମୂଲ୍ୟରେ ଜଳଖିଆ ମିଳିବା ନିଶ୍ଚିତ ଭାବେ ଏକ ଭଲ କଥା; କିନ୍ତୁ ସେହି ଖାଦ୍ୟ ଯେପରି ଲୋକଙ୍କ ରୋଗର କାରଣ ନହୁଏ, ତାହା ନିଶ୍ଚିତ କରିବା ପ୍ରଶାସନର ପ୍ରାଥମିକ ଦାୟିତ୍ୱ। ଏଣୁ ଖାଦ୍ୟ ନିରାପତ୍ତାକୁ ନେଇ ଆଉ ଅବହେଳା ନକରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସହରବାସୀଙ୍କ ପକ୍ଷରୁ ଦାବି ଜୋର ଧରିଛି।





