ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନ୍ୟୁଜ :
ବରଗଡ଼ ଜିଲ୍ଲା ସ୍ଥିତ ଦେବ୍ରୀଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଏବଂ ଶିକାରୀଙ୍କ ଗତିବିଧି ଉପରେ ରୋକ୍ ଲଗାଇବା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ଓ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି। ଅଭୟାରଣ୍ୟ ଅଞ୍ଚଳରେ ନିକଟରେ ଏକ ରୟାଲ୍ ବେଙ୍ଗଲ୍ ଟାଇଗରର ଚଳପ୍ରଚଳ ଦେଖିବାକୁ ମିଳିବା ପରେ ବନ ବିଭାଗ ଏବଂ ବରଗଡ଼ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ବନ୍ୟପ୍ରାଣୀ ଶିକାର ରୋକିବା ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବା ପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଯଦି କୌଣସି ବ୍ୟକ୍ତି ଶିକାରୀ କିମ୍ବା ଅଭୟାରଣ୍ୟ ମଧ୍ୟରେ ହେଉଥିବା ସନ୍ଦିଗ୍ଧ ଗତିବିଧି ସମ୍ପର୍କରେ ବନ ବିଭାଗକୁ ସଠିକ୍ ସୂଚନା ଦିଅନ୍ତି, ତେବେ ତାଙ୍କୁ ୧,୦୦୦ ଟଙ୍କା ନଗଦ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ଏହା ସହିତ ସୂଚନାଦାତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ବୋଲି ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଅଂଶୁ ପ୍ରଜ୍ଞା ଦାସ ସ୍ପଷ୍ଟ କରିଛନ୍ତି । ନଭେମ୍ବର ୧୦ ଓ ୧୧ ତାରିଖରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଏବଂ ବରଗଡ଼ ଜିଲ୍ଲା ପୋଲିସର ପ୍ରାୟ ୭୦ ଜଣ କର୍ମଚାରୀ ଅଭୟାରଣ୍ୟ ସଂଲଗ୍ନ ୫ଟି ସୀମାନ୍ତ ଗ୍ରାମରେ ମିଳିତ ଭାବେ ଚଢ଼ାଉ କରିଥିଲେ। ଏହି ଅଭିଯାନ ସମୟରେ କଲରାପତରିଆ ବାଘ ଶିକାର ପାଇଁ ଯୋଜନା କରୁଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ବହୁ ପରିମାଣର ଜନ୍ତୁ ଧରା ଫାଶ, ଜାଲ, ୩ କେଜି ବିଦ୍ୟୁତ ହୁକିଂ ତାର ଏବଂ ୨ କେଜି କେବୁଲ ତାର ଜବତ କରାଯାଇଛି।ଅଭୟାରଣ୍ୟର ସୀମାବର୍ତ୍ତୀ ଗ୍ରାମଗୁଡ଼ିକରେ ବିଦ୍ୟୁତ ତାର ବିଛାଇ ବନ୍ୟଜନ୍ତୁ ଶିକାର କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ଗ୍ରାମବାସୀଙ୍କୁ ସଚେତନ କରାଯାଉଛି। ଏଥିସହ ମେଟାଲ ଡିଟେକ୍ଟର ଏବଂ ଲାଇଭ୍-ୱାୟାର ଡିଟେକ୍ଟର ସାହାଯ୍ୟରେ ଜଙ୍ଗଲ ସୀମାରେ ନିୟମିତ ଯାଞ୍ଚ କରାଯାଉଛି। ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଜନସାଧାରଣ ବନ ବିଭାଗକୁ ସହଯୋଗ କରିବାକୁ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ଏତେ ପଦକ୍ଷେପ ନେଲା ପରେ ମଧ୍ୟ ଶିକାରରେ କୌଣସି କମି ଘଟୁ ନାହଁ । ଶିକାରୀ ମାନେ ଶିକାର କରି ଖସି ଯାଉଛନ୍ତି। ସରକାରି ଯୋଜନା ଫଣ୍ଡ ମାରୁଛି।






