ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବାରିପଦା, ୧୬/୧୧/୨୬ – ଲୋକପ୍ରିୟତା ପଛରେ ନ ଧାଇଁ ସତ୍ୟ, ନିରପେକ୍ଷତା ଓ ନୈତିକତାକୁ ପ୍ରାଧାନ୍ୟ ଦେବା ହେଉଛି ପ୍ରକୃତ ସାମ୍ବାଦିକତାର ପରିଚୟ । ଏକ ସ୍ୱାଧୀନ ଓ ଦାୟିତ୍ୱବାନ ଗଣମାଧ୍ୟମ ହିଁ ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ବିଶ୍ୱାସ ଅତୁଟ ରଖିପାରିବ । ଜାତୀୟ ପ୍ରେସ ଦିବସ ଅବସରରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ସଭାଗୃହରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟାଙ୍କ ଅଧ୍ୟକ୍ଷତାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦୀପକ କୁମାର ଗୋଛାୟତ ଯୋଗ ଦେଇଥିଲେ । ଚଳିତ ବର୍ଷ ପ୍ରେସ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ନିର୍ଦ୍ଧାରିତ ବିଷୟ ବସ୍ତୁ ‘ସାମ୍ବାଦିକତା : ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଶୀର୍ଷକ ଉପରେ ଆଲୋଚନା କରି ଅତିଥିମାନେ କହିଥିଲେ ଯେ, ବର୍ତ୍ତମାନ ରାଜନୈତିକ ଧ୍ରୁବୀକରଣ, କର୍ପୋରେଟ ସଂସ୍ଥା ଗୁଡ଼ିକର ପ୍ରଭାବ, ବୈଷୟିକ ପରିବର୍ତ୍ତନ ଏବଂ ଟେଲିଭିଜନ ଟିଆରପି ଓ ଡିଜିଟାଲ ମାଧ୍ୟମରେ ଲୋକପ୍ରିୟତା ହାସଲ କରିବାର ତୀବ୍ର ପ୍ରତିଯୋଗିତା ଗଣମାଧ୍ୟମର ଚିତ୍ରପଟକୁ ବଦଳାଇ ଦେଇଛି । ଏଭଳି ପରିସ୍ଥିତିରେ ଲୋକପ୍ରିୟତା ଭିତ୍ତିକ ସାମ୍ବାଦିକତା ଓ ଦାୟିତ୍ୱବାନ ସାମ୍ବାଦିକତା ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବା ଅତ୍ୟନ୍ତ ଜରୁରୀ ହୋଇପଡିଛି । ଲୋକପ୍ରିୟତା, ପ୍ରଶଂସା, ଟିଆରପି ଓ ବ୍ୟବସାୟିକ ସଫଳତା ହୁଏତ ଗଣମାଧ୍ୟମକୁ ତାତ୍କାଳିକ ଲାଭ ଦେଇପାରେ, ମାତ୍ର ସତ୍ୟନିଷ୍ଠ, ସ୍ୱାଧୀନ, ନିରପେକ୍ଷ ଓ ଉତ୍ତରଦାୟୀ ସାମ୍ବାଦିକତା ହିଁ ଗଣତନ୍ତ୍ରର ମୂଳଦୁଆକୁ ମଜଭୁତ କରିପାରିବ। ତେଣୁ ଖବର ପରିବେଷଣ ସମୟରେ ତଥ୍ୟର ସତ୍ୟତା, ସାମାଜିକ ଦାୟିତ୍ୱ ଓ ସାମ୍ବାଦିକତାର ନୈତିକ ମୂଲ୍ୟବୋଧକୁ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଅତିଥିମାନେ ମତ ରଖିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୋଗଦେଇଥିବା କାର୍ଯ୍ୟରତ ସାମ୍ବାଦିକମାନେ ଆଲୋଚ୍ୟ ବିଷୟବସ୍ତୁ ଉପରେ ନିଜ ନିଜର ମତାମତ ଓ ଅନୁଭୂତି ଉପସ୍ଥାପନ କରିଥିଲେ । ସାମ୍ପ୍ରତିକ ସମୟରେ ସାମ୍ବାଦିକତା ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ସମାଜ ପ୍ରତି ସାମ୍ବାଦିକଙ୍କ ଉତ୍ତରଦାୟିତ୍ୱ ଉପରେ ମଧ୍ୟ ମତବିନିମୟ ହୋଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ସମାରୋହର ସୁପରିଚାଳନାରେ ସହଯୋଗ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା ଧନ୍ୟବାଦ ଅର୍ପଣ କରିଥିଲେ ।

ସେହିଭଳି ରାଇରଙ୍ଗପୁର ଉପଖଣ୍ଡରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ପକ୍ଷରୁ ଆଜି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଗୃହ ଠାରେ ଜାତୀୟ ପ୍ରେସ୍ ଦିବସ -୨୦୨୬ ପାଳନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ନିକଟ ଅତୀତରେ ମୃତ୍ୟୁବରଣ କରିଥିବା ପ୍ରାକ୍ତନ ସାମ୍ବାଦିକ ସ୍ବର୍ଗତଃ ରତିକାନ୍ତ ପରୀକ୍ଷାଙ୍କ ଅମର ଆତ୍ମାର ସଦଗତି ଉଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଉପସ୍ଥିତ ସାମ୍ବାଦିକ ବନ୍ଧୁ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସ୍ୱାଗତ କରିବା ସହ ଜାତୀୟ ପ୍ରେସ ଦିବସ ଅବସରରେ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ସେ ଦିବସ ପାଳନର ଆଭିମୁଖ୍ୟ ଓ ଚଳିତ ବର୍ଷର ଆଲୋଚ୍ୟ ବିଷୟବସ୍ତୁ ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ ର ପ୍ରାସଙ୍ଗିକତା ଉପରେ ଆଲୋକପାତ କରି କହିଥିଲେଯେ ବାସ୍ତବରେ ସାମ୍ବାଦିକତା କେବଳ ଏକ ବୃତ୍ତି ନୁହେଁ,ଏହା ଏକ ମହତ୍ତ୍ୱପୂର୍ଣ୍ଣ ସାମାଜିକ ଦାୟିତ୍ୱ । ସମ୍ବାଦଟି ଯେତେ ଲୋକପ୍ରିୟତା ହେଉ ନା କାହିଁକି ଯଦି ଏହାର ସତ୍ୟତା ନାହିଁ ତେବେ ତାହା ସାମ୍ବାଦିକତାର ମୂଳ ଉଦେଶ୍ୟକୁ ପୂରଣ କରି ପାରିବ ନାହିଁ । ସତ୍ୟନିଷ୍ଠା, ନିରପେକ୍ଷତା ଓ କର୍ତ୍ତବ୍ୟପରାଣୟତା ହିଁ ସାମ୍ବାଦିକଙ୍କୁ ଦୀର୍ଘସ୍ଥାୟୀ ସମ୍ମାନ ଓ ମର୍ଯ୍ୟାଦା ପ୍ରଦାନ କରିଥାଏ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲୀପ ମହାନ୍ତି ଯୋଗ ଦେଇ ବର୍ତ୍ତମାନ ଡିଜିଟାଲ ଯୁଗରେ ଏକ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ନିମନ୍ତେ ଲୋକପ୍ରିୟତା ସମ୍ବାଦ ଅପେକ୍ଷା ସତ୍ୟ ଓ ନିରପେକ୍ଷ ସମ୍ବାଦ ପ୍ରଚାର ପ୍ରସାରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ସେହିପରି ଆଲୋଚ୍ୟ ପ୍ରସଙ୍ଗ ଉପରେ ମତବ୍ୟକ୍ତ ରଖି ଗଣମାଧ୍ୟମ ପ୍ରତିନିଧିବୃନ୍ଦ ଲୋକପ୍ରିୟତା ଅପେକ୍ଷା ସତ୍ୟ ନିଷ୍ଟ, ପ୍ରତିଯୋଗିତା ଅପେକ୍ଷା ନୈତିକତା ଓ ବ୍ୟକ୍ତିଗତ ସ୍ୱାର୍ଥ ଅପେକ୍ଷା ଜନସ୍ୱାର୍ଥ ପ୍ରାଧାନ୍ୟ ଯୁକ୍ତ ସାମ୍ୱାଦିକତାର ପରିକଳ୍ପନା ଉପରେ ଗୁରୁତ୍ୱାରୋପ କରିଥିଲେ ଆଜିର କାର୍ଯ୍ୟକ୍ରମରେ ସାମ୍ବାଦିକ ମାନସ ରଞ୍ଜନ ମହାନ୍ତି, ସୁବ୍ରତ ମହାନ୍ତି, ସୁଜିତ ପଟ୍ଟନାୟକ, ଅକ୍ଷୟ ବିଶ୍ୱାଳ,ସଞ୍ଜୟ ପରିଡା,ମେଘନାଦ ହେମ୍ବ୍ରମ,ଜିତେନ୍ଦ୍ର ଅଗ୍ରୱାଲ, ପରେଶ ଚନ୍ଦ୍ର ଷଡ଼ଙ୍ଗୀ, ଶ୍ୟାମଳେନ୍ଦୁ ପରିଡା ,ସେକ୍ ନାସିର ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।






