ନମିତା ନାୟକ /ଜିଲ୍ଲା ପ୍ରତିନିଧି /କେନ୍ଦ୍ରାପଡ଼ା /ସମୀକ୍ଷା ନ୍ୟୁଜ:
କେନ୍ଦ୍ରାପଡ଼ା, ୧୬/୧୧/୨୦୨୬: ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, କେନ୍ଦ୍ରାପଡ଼ା ପକ୍ଷରୁ ସୋମବାର ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟତମ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼ ଯୋଗଦେଇଥିବାବେଳେ ଅବସରପ୍ରାପ୍ତ ପ୍ରଫେସର ତପନ କୁମାର ପତି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।
ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରି ଜାତୀୟ ପ୍ରେସ ଦିବସର ଗୁରୁତ୍ୱ, ଏହାର ଉଦ୍ଦେଶ୍ୟ ଏବଂ ସାମ୍ବାଦିକତାର ସାମାଜିକ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ରବୀନ୍ଦ୍ର କୁମାର ମଲ୍ଲିକ ଉପସ୍ଥିତ ସାମ୍ବାଦିକମାନଙ୍କୁ ଜାତୀୟ ପ୍ରେସ ଦିବସର ଶୁଭେଚ୍ଛା ଜଣାଇବା ସହ ସାମ୍ବାଦିକତାର ଗୁରୁତ୍ୱ ଓ ସାମାଜିକ ଦାୟିତ୍ୱବୋଧ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଗଣମାଧ୍ୟମ ଗଣତନ୍ତ୍ରର ଏକ ମୁଖ୍ୟ ସ୍ତମ୍ଭ ଭାବେ ଜନସାଧାରଣଙ୍କ ସ୍ୱରକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇବା ସହ ସମାଜରେ ସଚେତନତା ସୃଷ୍ଟି କରିଥାଏ। ସାମ୍ବାଦିକମାନେ ନିଜର ବୃତ୍ତିଗତ ଦାୟିତ୍ୱ ନିର୍ବାହ କରିବା ସମୟରେ ସତ୍ୟତା, ନିରପେକ୍ଷତା ଓ ବିଶ୍ୱସନୀୟତାକୁ ପ୍ରାଧାନ୍ୟ ଦେବା ଉଚିତ। ଜନସ୍ୱାର୍ଥ ସମ୍ବଳିତ ଖବରକୁ ଗୁରୁତ୍ୱ ଦେବା ସହ ସକାରାତ୍ମକ ସାମ୍ବାଦିକତା ମାଧ୍ୟମରେ ସମାଜର ବିକାଶରେ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଚଳିତ ବର୍ଷ ଜାତୀୟ ପ୍ରେସ ଦିବସର ବିଷୟବସ୍ତୁ “ସାମ୍ବାଦିକତା: ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ” ରହିଥିବାବେଳେ ଏହି ପ୍ରସଙ୍ଗକୁ ଆଧାର କରି ସଭାରେ ବିସ୍ତୃତ ଆଲୋଚନା ହୋଇଥିଲା। ମୁଖ୍ୟବକ୍ତା ତପନ କୁମାର ପତି ନିଜ ବକ୍ତବ୍ୟରେ ସାମ୍ବାଦିକତାର ମୂଳ ଆଦର୍ଶ, ନୈତିକତା ଓ କର୍ତ୍ତବ୍ୟବୋଧ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ସାମ୍ବାଦିକତା କେବଳ ଖବର ପରିବେଷଣର ମାଧ୍ୟମ ନୁହେଁ, ବରଂ ଏହା ସମାଜ ପ୍ରତି ଏକ ଗୁରୁଦାୟିତ୍ୱ। ବର୍ତ୍ତମାନର ପ୍ରତିଯୋଗିତାମୂଳକ ଗଣମାଧ୍ୟମ ପରିବେଶରେ ଲୋକପ୍ରିୟତା, ଦର୍ଶକଙ୍କ ଆକର୍ଷଣ ଓ ଦ୍ରୁତ ଖବର ପ୍ରସାର ଅପେକ୍ଷା ସତ୍ୟତା, ନିରପେକ୍ଷତା, ବିଶ୍ୱସନୀୟତା ଓ ନୈତିକତାକୁ ଅଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ। ଖବର ପ୍ରକାଶ ପୂର୍ବରୁ ତାହାର ସତ୍ୟାସତ୍ୟ ଯାଞ୍ଚ କରିବା ଏବଂ ଜନସ୍ୱାର୍ଥକୁ ସର୍ବଦା ଗୁରୁତ୍ୱ ଦେବା ଜଣେ ଦାୟିତ୍ୱବାନ ସାମ୍ବାଦିକଙ୍କ ପ୍ରମୁଖ କର୍ତ୍ତବ୍ୟ ବୋଲି ସେ ମତପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଶ୍ରୀ ଜ୍ୟୋତିରଞ୍ଜନ ଗୌଡ଼ ନିଜ ବକ୍ତବ୍ୟରେ ସମାଜରେ ସଚେତନତା ସୃଷ୍ଟି, ଜନସାଧାରଣଙ୍କୁ ସଠିକ୍ ଓ ନିର୍ଭରଯୋଗ୍ୟ ସୂଚନା ପ୍ରଦାନ ତଥା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ଭୂମିକା ଉପରେ ମତ ରଖିଥିଲେ। ଖବର ପ୍ରସାରଣ ସମୟରେ ଦାୟିତ୍ୱବୋଧ, ସଂଯମତା ଓ ସାମାଜିକ ସମ୍ବେଦନଶୀଳତା ବଜାୟ ରଖିବା ସହ ଅପ୍ରମାଣିତ ଖବରର ପ୍ରସାରରୁ ଦୂରେଇ ରହିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ।

ଏହି ଅବସରରେ ସାମ୍ବାଦିକ ଆଶିଷ ସେନାପତି, ଚିତ୍ତରଞ୍ଜନ ଦାସ, ରବିନାରାୟଣ ପତି, ମାତୃଦତ୍ତ ମହାନ୍ତି, ସରୋଜ କୁମାର ପରିଡ଼ା,ନିହାର ରଞ୍ଜନ ସାହୁ, ପ୍ରଭାତ ଲେଙ୍କା ଓ ଅଲେଖ ନାୟକ ପ୍ରମୁଖ ଚଳିତ ବର୍ଷର ବିଷୟବସ୍ତୁ ଉପରେ ନିଜ ନିଜର ମତାମତ ରଖିଥିଲେ। ସେମାନେ ସାମ୍ବାଦିକତା କ୍ଷେତ୍ରରେ ବୃତ୍ତିଗତ ନିଷ୍ଠା, ସତ୍ୟନିଷ୍ଠା ଓ ନିରପେକ୍ଷତାର ଆବଶ୍ୟକତା ଉପରେ ଆଲୋକପାତ କରିବା ସହ ଡିଜିଟାଲ ଓ ସାମାଜିକ ଗଣମାଧ୍ୟମର ବର୍ଦ୍ଧିତ ପ୍ରଭାବ ମଧ୍ୟରେ ଅପ୍ରମାଣିତ ଖବର ଓ ଭ୍ରମାତ୍ମକ ସୂଚନାର ପ୍ରସାର ରୋକିବା ଦିଗରେ ସାମ୍ବାଦିକମାନଙ୍କ ଦାୟିତ୍ୱ ସମ୍ପର୍କରେ ମତ ରଖିଥିଲେ। ସଭାରେ ମତ ପ୍ରକାଶ ପାଇଥିଲା ଯେ, ଗଣମାଧ୍ୟମର ସ୍ୱାଧୀନତା ସହିତ ଏହାର ଉତ୍ତରଦାୟିତ୍ୱ ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ଖବରର ଲୋକପ୍ରିୟତା ପାଇଁ ତାହାର ଗୁଣବତ୍ତା ଓ ସତ୍ୟତା ସହ ସାଲିସ ନକରି ସମାଜର ବାସ୍ତବ ସମସ୍ୟା, ଜନସାଧାରଣଙ୍କ ଅଭାବ ଅସୁବିଧା ଓ ସଫଳତାକୁ ନିରପେକ୍ଷ ଭାବେ ଲୋକଲୋଚନକୁ ଆଣିବା ସାମ୍ବାଦିକତାର ମୂଳ ଲକ୍ଷ୍ୟ ହେବା ଉଚିତ। ଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂ ଧନ୍ୟବାଦ ଅର୍ପଣ କରିଥିଲେ। ସେ ଉପସ୍ଥିତ ମୁଖ୍ୟ ଅତିଥି, ଅନ୍ୟ ଅତିଥି, ମୁଖ୍ୟବକ୍ତା ଓ ସାମ୍ବାଦିକମାନଙ୍କୁ ସେମାନଙ୍କର ମୂଲ୍ୟବାନ ମତାମତ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ। ଏହି ଅବସରରେ ସାମ୍ବାଦିକତାର ମୂଳ ଆଦର୍ଶ, ସ୍ୱାଧୀନତା, ସତ୍ୟନିଷ୍ଠା ଓ କର୍ତ୍ତବ୍ୟବୋଧକୁ ଅକ୍ଷୁଣ୍ଣ ରଖି ଏକ ସଚେତନ, ସୁସ୍ଥ ଓ ଦାୟିତ୍ୱବାନ ସମାଜ ଗଠନରେ ସକ୍ରିୟ ଭୂମିକା ନିର୍ବାହ କରିବାକୁ ଆହ୍ୱାନ ଦିଆଯାଇଥିଲା।





