ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ:
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ପୁଲିସ ପକ୍ଷରୁ ମଙ୍ଗଳବାର ଦିନବେଳା ପାଟ୍ରୋଲିଂ ସମୟରେ ନିଶାଦ୍ରବ୍ୟ ବିରୋଧରେ ଚଢ଼ଉ କରାଯାଇ ୨୬ କେଜି ଗଞ୍ଜେଇ ଓ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଏହି ଘଟଣାରେ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, ଖଜୁରୀପଡ଼ା ଥାନା କେସ୍ ନଂ-୧୮୬/୨୦୨୬, ଏନ୍ଡିପିଏସ୍ ଆଇନର ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଦିନବେଳା ପାଟ୍ରୋଲିଂ ସମୟରେ ପାଣ୍ଡ୍ରିସୁଗା ଗ୍ରାମ ନିକଟରେ ପୁଲିସ ଦୁଇଜଣ ସନ୍ଦିଗ୍ଧଙ୍କୁ ଧରି ଯାଞ୍ଚ କରିଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ଖେତାପାଜୁ ଗ୍ରାମର ପାଉଲୋ ଓରଫ ମୃତ୍ୟୁଞ୍ଜୟ ସେଠୀ (୨୬) ଓ ଦିନବନ୍ଧୁ ମଲ୍ଲିକ (୨୩)। ସେମାନଙ୍କ ନିକଟରୁ ୨୬ କେଜି ଗଞ୍ଜେଇ, ୦.୩୬୦ ଗ୍ରାମ ବ୍ରାଉନ୍ ସୁଗାର, ନମ୍ବର ପ୍ଲେଟ୍ ନଥିବା ଗୋଟିଏ ବଜାଜ୍ ପଲସର୍ NS 200 ମୋଟରସାଇକେଲ୍, ନଗଦ ୧୭ ହଜାର ଟଙ୍କା ଏବଂ ଦୁଇଟି ସ୍ମାର୍ଟଫୋନ୍ ଜବତ କରାଯାଇଛି। ଏହି ନିଶାଦ୍ରବ୍ୟ ଯୋଗାଣ ଘଟଣାରେ ଫିରିଙ୍ଗିଆର ମିହିର ଦିଗାଲ ଓ ଫୁଲବାଣୀ ମାର୍କେଟ୍ର ସିଦ୍ଧାନ୍ତ ବେହେରାଙ୍କ ନାମ ଯୋଗାଣକାରୀ ଭାବେ ପୁଲିସ ସୂଚନାରେ ଉଲ୍ଲେଖ ରହିଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ହେପାଜତରେ ନିଆଯାଇ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏସ୍ଆଇ ସି.ଡି. ପ୍ରଧାନ ମାମଲାର ଅଧିକ ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରୀ ଚାପଧାରୀ ପ୍ରଧାନ ସୂଚନା ଦେଇଛନ୍ତି ।






