ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ/ ବଡ଼ସାହି /ସମୀକ୍ଷା ନ୍ୟୁଜ:
୨୮/୦୯/୨୦୨୬ – ମୁଣ୍ଡାରୀ ଭାଷା ହେଉଛି ଭାରତର ଅନ୍ୟତମ ସର୍ବପୁରାତନ ଆଦିବାସୀ ଭାଷା । ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱୀକୃତି ନିମନ୍ତେ ଓ ମୁଣ୍ଡାରୀ ଭାଷାକୁ ରାଜ୍ୟରେ ଦ୍ୱିତୀୟ ରାଜଭାଷା ମାନ୍ୟତା ଦେବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ସଭା ମାଧ୍ୟମରେ ସଚେତନ କରାଯାଇ ପୂର୍ବ ନିଷ୍ପତ୍ତି କ୍ରମେ ସୋମବାର ବଡ଼ସାହିରେ ଏକ ବିଶାଳ ରାଲି ଆୟୋଜିତ ହୋଇଯାଇଛି । ଆୟୋଜନ କ୍ରମେ ବଡ଼ସାହି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଭାରତର ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସୋମବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ କେନ୍ଦୁଆସାହି ସ୍ଥିତ ବିରସା ମୁଣ୍ଡା ଛକଠାରୁ ବଡ଼ସାହି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆଜି ଏକ ବିଶାଳ ଶୋଭାଯାତ୍ରା ପରିକ୍ରମା କରିଛି । ପ୍ରଥମେ ବିରସାମୁଣ୍ଡା ଛକସ୍ଥ ବିରସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମୁଣ୍ଡାରୀ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ବଡ଼ସାହି ବ୍ଲକର 30 ଟି ବ୍ଲକ ରୁ ଆସି ଥିବା ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ମୁଣ୍ଡାରୀ ଭାଷାଭାଷୀ ପୁରୁଷ ଓ ମହିଳା ପାରମ୍ପରିକ ବେଶଭୂଷା ପରିଧାନ ପୂର୍ବକ ଦୁଇଟି ଧାଡ଼ିରେ ପଦଯାତ୍ରା କରି ବଡ଼ସାହି ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ଏହି ସମୟରେ ମୁଣ୍ଡାରୀ ସଂସ୍କୃତିର ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳେ ତାଳେ ନୃତ୍ୟ ପରିବେଷଣ କରାଯାଇଥିଲା । ଶୋଭାଯାତ୍ରାରେ ବଡ଼ସାହି ୨୨ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ ଦଶରଥ ସିଂହ, ବଡ଼ସାହି ବ୍ଲକ ଅଧ୍ୟକ୍ଷା ମିନତି ସିଂହ, ପୂର୍ବତନ ଅଧ୍ୟକ୍ଷା ଲକ୍ଷ୍ମୀ ସିଂହ, ବଡ଼ସାହି ଗ୍ରାମପଞ୍ଚାୟତର ସରପଞ୍ଚ ବୁଧୁରାମ ସିଂହ, ଛେଳିଆ ସରପଞ୍ଚ ପ୍ରିୟଲତା ସିଂହ, ଦେଉଳିଆ ସରପଞ୍ଚ ତୁଳସୀ ସିଂହ, କୋଚିଳାଖୁଣ୍ଟା ସରପଞ୍ଚ ତପସ୍ୱିନୀ ସିଂହ, ସୁହାଗପୁର ସରପଞ୍ଚ ବାସନ୍ତୀ ସିଂହ, ମାଣତ୍ରୀ ସରପଞ୍ଚ ସାବିତ୍ରୀ ସିଂହ, ସାନକେରକୋ ସରପଞ୍ଚ ସହଦରୀ ସିଂହ, ମୁଣ୍ଡାରୀ ଭାଷା ସମନ୍ୱୟ କମିଟିର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ଇଂ. ସୁନାରାମ ସିଂହ, ପର୍ଯ୍ୟବେକ୍ଷକ ରାମେଶ୍ୱର ସିଂହ, ଅଜିତ କୁମାର ସିଂହ, ମୁଣ୍ଡାରୀ ଶିକ୍ଷା ପରିଷଦର ସମ୍ପାଦକ ବୁଧିଆ ସିଂହ, ମୁଣ୍ଡାରୀ ଭାଷା ସମନ୍ୱୟ କମିଟି ବେତନଟୀ ବ୍ଲକ ଆବାହକ ତପନ ସିଂହ ଏବଂ ଖୁଣ୍ଟା ବ୍ଲକ ଆବାହକ ରାଙ୍ଗା ସିଂହ ପ୍ରମୁଖ ଉପସ୍ଥିତ ଥିଲେ l

ଖବରକ୍ରମେ ଭଗବାନ ବିରସା ମୁଣ୍ଡା ଏହି ମୁଣ୍ଡାରୀ ଭାଷା ସମ୍ପ୍ରଦାୟର, ଯାହାଙ୍କ ଜନ୍ମଦିବସକୁ ଭାରତ ସରକାର ‘ଜନଜାତୀୟ ଗୌରବ ଦିବସ’ ରୂପେ ମଧ୍ୟ ଘୋଷଣା କରିଛନ୍ତି । ଏହା ବ୍ୟତୀତ ଭାରତର ସମ୍ବିଧାନ ନିର୍ମାଣରେ ଜୟପାଲ ସିଂହ ମୁଣ୍ଡାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା ଏବଂ ସେ ମଧ୍ୟ ମୁଣ୍ଡାରୀ ଭାଷାଭାଷୀ ଲୋକ ଥିଲେ । ସାରା ଭାରତବର୍ଷରେ ୧୬ ଲକ୍ଷରୁ ଅଧିକ ଲୋକ ମୁଣ୍ଡାରୀ ଭାଷା ବ୍ୟବହାର କରୁଥିଲେ ହେଁ, ଆଜି ପର୍ଯ୍ୟନ୍ତ ଏହି ଭାଷାକୁ ଉପେକ୍ଷିତ କରାଯାଇଥିବା ଅଭିଯୋଗ ପୂର୍ବରୁ ହୋଇଆସୁଛି । ମାନ୍ୟତା ନମିଳିବା ନେଇ ସମଗ୍ର ମୁଣ୍ଡାରୀ ସମାଜ ମଧ୍ୟରେ ତୀବ୍ର କ୍ଷୋଭ ପ୍ରକାଶ ପାଇଛି । ତେଣୁ ଏହି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଯଥାଶୀଘ୍ର ସାମିଲ କରିବା ସହ ରାଜ୍ୟର ଦ୍ୱିତୀୟ ରାଜଭାଷା ରୂପେ ମାନ୍ୟତା ଦେବାକୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଣ୍ଡାରୀ ଭାଷା ସମନ୍ୱୟ କମିଟି, ବଡ଼ସାହି ବ୍ଲକର ଆବାହକ ବୈଦନାଥ ସିଂ, ସମ୍ପାଦକ ବସନ୍ତ ସିଂ, ଶଶୀଧର ସିଂ, ଶାନ୍ତିଲତା ସିଂ ପ୍ରମୁଖ ନେତୃତ୍ୱ ନେଇଥିଲେ।






