ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ/ ବଡ଼ସାହି /ସମୀକ୍ଷା ନ୍ୟୁଜ:
୨୯/୯/୨୬ – ରବିବାର ଠାରୁ ସରକାରଙ୍କ ତରଫରୁ ୩ଦିନ ଧରି ପାଳିତ ହେଉଥିବା “ଆଙ୍ଗନ୍ କା ଉତ୍ସବ” ମଙ୍ଗଳବାର ଦିନ ଶେଷ ହେଉଥିବା ଜଣାପଡ଼ିଛି । ପ୍ରତ୍ୟେକ ଅଙ୍ଗନବାଡିରେ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ସମୟରେ ବିଭିନ୍ନ ପ୍ରକ୍ରିୟା ଓ କାର୍ଯ୍ୟକ୍ରମ ତଥା ପ୍ରଶିକ୍ଷଣ ମାଧ୍ୟମରେ ଛୋଟପିଲା ଓ ଅବିଭାବକଙ୍କୁ ଆକୃଷ୍ଟ କରି ଶିଶୁର ସର୍ବାଙ୍ଗ ବିକାଶ ଦିଗରେ ଏକ ଉଦ୍ୟମ ।ଖବରକ୍ରମେ ବଡ଼ସାହି ବ୍ଲକରେ ରହିଥିବା ପ୍ରାୟତଃ ୩୨୪ଟି ଅଙ୍ଗନବାଡି କେନ୍ଦ୍ରରେ ଏହି ଆଙ୍ଗନ୍ କା ଉତ୍ସବ କାର୍ଯ୍ୟକ୍ରମ ୩ଦିନ ଧରି ପାଳିତ ହେଉଛି । ତେବେ ବଡ଼ସାହି ସେକ୍ଟରରେ ରହିଥିବା ୨୨ ଅଙ୍ଗନବାଡି ସେଣ୍ଟର ମଧ୍ୟରୁ ୧୭ଟିର ନିଜସ୍ବ ଗୃହ ରହିଥିବା ସମୟରେ ଅନ୍ୟଗୁଡିକର ପରିଚାଳନା ଅନ୍ୟ ଆଶ୍ରାରେ ଚାଲୁଥିବା ଏକ ଦୁଃଖଦ ଘଟଣା । ପୁଣି ପରିସରର ପରିବେଶ ପ୍ରତି ମଧ୍ୟ ଯଥେଷ୍ଟ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । କାରଣ ଶିଶୁଟିଏ କୁ ଛାଡି ଗର୍ଭବତୀ, ପ୍ରସୂତି ମାନଙ୍କ ପାଇଁ କେତେକ ଦାୟିତ୍ୱ ଅଙ୍ଗନବାଡି ଦ୍ଵାରା ପରିଚାଳିତ ହୋଇଥାଏ । ଆଙ୍ଗନ୍ କା ଉତ୍ସବ ବ୍ୟତୀତ ପ୍ରତ୍ୟେକ ମାସ ଅଂକୁର ଦିବସ ଓ ଇସିସିଇ ଭଳି କାର୍ଯ୍ୟକ୍ରମ ମଧ୍ୟ ଏହି ଅଙ୍ଗନବାଡି ଦ୍ବାରା ପରିଚାଳିତ ହୋଇଥାଏ । ତେବେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଯାଉଥିବା ଏହି ଅଙ୍ଗନବାଡି କର୍ମୀଙ୍କୁ କାର୍ଯ୍ୟାନୁସାରେ ଉପଯୁକ୍ତ ପାରିଶ୍ରମିକ ମିଳୁନଥିବା ନେଇ ବିଭିନ୍ନ ସମୟରେ ଆଭିଯୋଗ ରହିଆସିଛି । ପୁଣି ସରକାରଙ୍କ ତରଫରୁ ନିକଟ ଅତୀତରେ ଦିଆଯାଇଥିବା ୪ଜି ମୋବାଇଲ ଦ୍ୱାରା ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ଠିକ ସମୟରେ ହୋଇ ପାରୁନଥିବା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଜଣାପଡିଛି ।

ପୁଣି କାମ ନାହିଁ ତ ଦରମା ନାହିଁ ଏକ ବିଡମ୍ବନାର ବିଷୟ ବୋଲି ଚର୍ଚ୍ଚା ଶୁଣିବାକୁ ମିଳିଛି । ଏ ସମସ୍ତ ଦିଗ ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ ପାଇଁ ଯଥେଷ୍ଟ ଆବଶ୍ୟକତା ରହିଥିବା ସମୟରେ ଉତ୍ସବ ପାଳନ କୌଣସି ଗୁରୁତ୍ୱ ବହନ କରୁନାହିଁ ବୋଲି ବୁଦ୍ଧିଜୀବୀଙ୍କ ମୁହଁରୁ ଶୁଣିବାକୁ ମିଳେ । ଶିକ୍ଷାର ମୂଳଦୁଆକୁ ସଜାଡ଼ିବା ପାଇଁ ଅଙ୍ଗନବାଡିରେ ଶିଶୁର ପ୍ରାରମ୍ଭ ଶିକ୍ଷା ଓ ପାରିପାର୍ଶ୍ବିକ ବିକାଶ ପାଇଁ ସମସ୍ତ ଦିଗପ୍ରତି ସରକାର ଚିନ୍ତା କରିବାର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ସମୂହ ଦାବି ରହିଛି । ତେବେ ଏହି ଆଙ୍ଗନ୍ କା ଉତ୍ସବ କାର୍ଯ୍ୟକ୍ରମରେ ପ୍ରତିଦିନ ଯାଞ୍ଚ କମିଟି, ମାତୃ କମିଟି, ପରିଚାଳନା କମିଟି ବ୍ୟତୀତ ଅଙ୍ଗନବାଡି ଶିଶୁ ଓ ଅବିଭାବକ ତଥା ମାନ୍ୟଗଣ୍ୟ ବ୍ୟକ୍ତି ସମୂହ ଉପସ୍ଥିତ ରହୁଥିବା ଜଣାପଡିଛି । ରବିବାର ଶୁଭାରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଉପସ୍ଥିତ ଅବିଭାବକଗଣ ନିଜ ଘରୁ ପ୍ରସ୍ତୁତ କରି ଆଣିଥିବା ବିଭିନ୍ନ ପିଠା, ଖିରି, ଡାଲମା ଇତ୍ୟାଦିର ପ୍ରସ୍ତୁତିର ବିବରଣୀ ଛଡା ବିଭିନ୍ନ ରେସିପି ବାବଦରେ ପ୍ରଶିକ୍ଷଣ ଦିଆଯାଇଛି । ଦ୍ୱିତୀୟ ଦିନ ପ୍ରି ସ୍କୁଲ ପିଲାମାନଙ୍କ ମଧ୍ୟରେ ଖେଳ, ଚିତ୍ରାଙ୍କନ, ଗୀତନାଚ, ଗପ ଭଳି ପ୍ରତିଯୋଗିତାର ଆୟୋଜନ ହୋଇଛି । ଆଜି ଶେଷଦିନ କାର୍ଯ୍ୟକ୍ରମରେ ଶିଶୁଙ୍କ ସଫଳତା ପାଇଁ ପୁରସ୍କାର ପ୍ରଦାନ କରାଯିବା ବ୍ୟତୀତ ସରକାରଙ୍କ ତରଫରୁ ଉପସ୍ଥିତ ସମସ୍ତ କମିଟି, ଶିଶୁ ଓ ଅବିଭାବକଙ୍କୁ ମଧ୍ୟାହ୍ନ ଭୋଜନର କାର୍ଯ୍ୟକ୍ରମ ରହିବା ଛଡା ଅନ୍ୟାନ୍ୟ ଶିକ୍ଷଣୀୟ ଆଲୋଚନା ରହିଥିବା ଜଣାପଡିଛି ।






