ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି /ସମୀକ୍ଷା ନ୍ୟୁଜ:
୨୯/୯/୨୬ – ଖଣି ଲୁଟକୁ ବନ୍ଦ ନେଇ ତୀବ୍ର ବିରୋଧ ଚାଲିଥିବା ସମୟରେ ମୟୂରଭଞ୍ଜ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ଚାଲିଥିବା ବେଆଇନ ପଥର ଖାଦାନକୁ ନେଇ ଜାତୀୟ ମାନବାଧିକାର କମିଶନ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ତଦନ୍ତ ପୂର୍ବକ ଦୁଇ ସପ୍ତାହ ମଧ୍ୟରେ ଏ ଟି ଆର ( ଆକ୍ସନ ଟେକେନ୍ ରିପୋର୍ଟ) ଦାଖଲ କରିବାକୁ ମଧ୍ୟ କମିଶନ ତରଫରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି । ଖବରକ୍ରମେ ମାନବାଧିକାର କର୍ମୀ ତଥା ଓଡିଶା ହାଇକୋର୍ଟ ଆଇନଜୀବୀ ଶ୍ରୀ ଅଖଣ୍ଡଙ୍କ ଦ୍ଵାରା ୨୬ ଜୁଲାଇ ୨୦୨୫ରେ ଶାମାଖୁଣ୍ଟା ତହସିଲର କେନ୍ଦୁଆ ପଂଚାୟତ ଅନ୍ତର୍ଗତ ପାହାଡ଼ତଳ ବାଂକସାହି, ଶରତଚନ୍ଦ୍ରପୁର ନିକଟରେ ବେଆଇନ ପଥର ଖାଦାନ ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା । ରାତ୍ରି ସମୟରେ ମେସିନ ଓ ବିସ୍ଫୋରକ ଦ୍ରବ୍ୟ ସାହାଯ୍ୟରେ ପଥର ଫଟାଯାଉଥିବା ଯୋଗୁଁ ଶବ୍ଦ ଓ କମ୍ପନ ପ୍ରଭାବରେ ନିକଟ ଘର ମାନଙ୍କରେ ଫାଟ ସୃଷ୍ଟି ହେବା ସହ ପଥର ବୋଝେଇ ଟ୍ରକ ଯାତାୟାତ ଫଳରେ ସାଧାରଣ ଜୀବନ ବିପଦପୂର୍ଣ ଓ ରାସ୍ତା ପ୍ରଭାବିତ ହେଉଥିଲା । ଏସବୁ କାର୍ଯ୍ୟ ଆବଶ୍ୟକ ଅନୁମତି ଓ ଅନ୍ୟାନ୍ୟ ମଞ୍ଜୁରୀ ବିନା ଚାଲୁଥିବା ଯୋଗୁଁ ଜଙ୍ଗଲ ନଷ୍ଟ ସହ ପ୍ରଦୂଷଣ ସୃଷ୍ଟି କରୁଥିବା ସହ ଅଞ୍ଚଳବାସୀଙ୍କ ଜୀବନ ପ୍ରତି ବିପଦ ରହୁଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗର ସତ୍ୟତା ରହିଥିଲେ ଏହା ମାନବାଧିକାରର ଉଲଂଘନ କରୁଥିବା ଭଳି ଅପରାଧ ଜନିତ କାର୍ଯ୍ୟାନୁଷ୍ଠାନ ଏବଂ ବ୍ୟବହୃତ ସମସ୍ତ ଯନ୍ତ୍ରପାତି ଜବତ ସହ ପ୍ରଭାବିତ ପରିବାରକୁ କ୍ଷତିପୂରଣ ଦାବି କ୍ରମେ ଦୁଇ ସପ୍ତାହ ମଧ୍ୟରେ ଆଭିଯୋଗକାରୀଙ୍କ ଅଭିଯୋଗର ତଦନ୍ତ ସହ ଏ ଟି ଆର ଦାଖଲ ପାଇଁ ଜିଲ୍ଲାପାଳ, ମୟୂରଭଞ୍ଜଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ରହିଥିବା ଜଣାପଡିଛି ।






