ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ ସମୀକ୍ଷା ନ୍ୟୁଜ
ଓଡ଼ିଶା ସରକାରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଗାଁଗାଁରେ କଳାକାର ସମାବେଶ ମାଧ୍ୟମରେ ପାରମ୍ପରିକ କଳା ଓ ସଂସ୍କୃତିର ପ୍ରଚାର-ପ୍ରସାର ସହ କଳାକାରମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ ଜାରି ରହିଛି। ଏହି କ୍ରମରେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ପଞ୍ଚାୟତର ବରସାହିଠାରେ କଳାକାର ସମାବେଶ ତଥା ବାର୍ଷିକ ନୂଆଁଖାଇ ପରବ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ପାବୁରିଆସ୍ଥିତ ମା’ ତାରାସିଂ କଳା ସାଂସ୍କୃତିକ ଦଳ, ସିଙ୍ଗନାଚ, ବରସାହି ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ମାନଗୋବିନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବର ଉଦ୍ଘାଟନ କରିଥିଲେ।

ଜିଲ୍ଲା ପାରମ୍ପରିକ ଲୋକକଳା ସଂଘର ଜିଲ୍ଲା ସଭାପତି ଅକ୍ଷୟ କୁମାର କର୍ଣ୍ଣ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଲୋକକଳା ଓ ପାରମ୍ପରିକ ସଂସ୍କୃତିର ସୁରକ୍ଷା ଦିଗରେ କଳାକାରଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା କଳ୍ପନା କହଁର, ପାବୁରିଆ ସରପଞ୍ଚ ସଞ୍ଜୟ କୁମାର ନାୟକ, ଟିକାବାଲି ସାଂସଦ ପ୍ରତିନିଧି ଲଳିତ ପ୍ରଧାନ, ବୁର୍ବିନାଜୁ ସରପଞ୍ଚ ସଲିମା ପ୍ରଧାନ, ରାଇକିଆ କଳାକାର ସଂଘର ନିର୍ମଳା ଦିଗାଲ, ଖଜୁରୀପଡ଼ା କଳାକାର ସଂଘ ସଭାପତି ନିର୍ବାଚନ କହଁର ଓ ଫିରିଙ୍ଗିଆ କଳାକାର ସନତ ଦିଗାଲ ପ୍ରମୁଖ ଯୋଗଦେଇଥିଲେ। ଟିକାବାଲି ବ୍ଲକ କଳାକାର ସଂଘର ସଭାପତି ଅପସରୀ ଦିଗାଲଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫୦୦ରୁ ଊର୍ଦ୍ଧ୍ୱ କଳାକାର ଯୋଗଦେଇ ନୂଆଁଖାଇ ପରବ ପାଳନ କରିଥିଲେ। କଳାକାର ସଂଘର ସଭାପତି ଦେବନ୍ତୀ ପ୍ରଧାନଙ୍କ ସମେତ ରଚନା ପ୍ରଧାନ, ଜହ୍ନିଫୁଲ ପ୍ରଧାନ, ବିଜୁଳି ଦିଗାଲ, ମଞ୍ଜୁଳା ଦିଗାଲ ଓ ଅନ୍ୟ ସଦସ୍ୟମାନେ ଉତ୍ସବର ସଫଳତା ପାଇଁ ସହଯୋଗ କରିଥିଲେ। ଉତ୍ସବର ଶେଷ ପର୍ଯ୍ୟାୟରେ ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ, ଲୋକଗୀତ ଓ ସାଂସ୍କୃତିକ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ଅବସରରେ ଆୟୋଜକଙ୍କ ପକ୍ଷରୁ ବିଭିନ୍ନ କଳାକାରଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ନୂଆଁଖାଇ ପରବ ଅବସରରେ ପାରମ୍ପରିକ କଳା, ସଂସ୍କୃତି ଓ ଭାଇଚାରାର ମହକରେ ବରସାହି ପରିବେଶ ଉତ୍ସବମୁଖର ହୋଇଉଠିଥିଲା।





