ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଗୟାବନ୍ଧ ଲାଟରାଇଟ୍‌ ଖଣି ନେଇ ଏନ୍‌ଜିଟିର କଡ଼ା ନିର୍ଦ୍ଦେଶଲିଜ୍‌ ସୀମା ବାହାରେ ଖନନ ଅଭିଯୋଗ: ମାସକ ମଧ୍ୟରେ ରିପୋର୍ଟ

ଗୟାବନ୍ଧ ଲାଟରାଇଟ୍‌ ଖଣି ନେଇ ଏନ୍‌ଜିଟିର କଡ଼ା ନିର୍ଦ୍ଦେଶଲିଜ୍‌ ସୀମା ବାହାରେ ଖନନ ଅଭିଯୋଗ: ମାସକ ମଧ୍ୟରେ ରିପୋର୍ଟ – ସମୀକ୍ଷା

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋରଧା, ସେପ୍ଟେମ୍ବର ୧୦: ଖୋରଧା ଜିଲ୍ଲାର ଗୟାବନ୍ଧ ଅଞ୍ଚଳରେ ଲାଟରାଇଟ୍‌ ଖଣି ଖନନକୁ ନେଇ ଉଠିଥିବା ଅଭିଯୋଗ ଏବେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି)ଙ୍କ ନଜରରେ। ଅନୁମୋଦିତ ଲିଜ୍‌ ସୀମା ବାହାରେ କଥିତ ଖନନ, ପରିବେଶ ନିୟମର ଉଲ୍ଲଂଘନ ଏବଂ ଗଛ କଟାଯିବା ଭଳି ଅଭିଯୋଗର ବାସ୍ତବତା ଯାଞ୍ଚ ପାଇଁ ଏନ୍‌ଜିଟି ଏକ ମିଳିତ ତଦନ୍ତ କମିଟି ଗଠନ କରିଛନ୍ତି। ଆଦେଶର ନକଲ ପାଇବାର ଏକ ମାସ ମଧ୍ୟରେ କମିଟିକୁ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଅଗଷ୍ଟ ୨୫ରେ ଏନ୍‌ଜିଟିର କୋଲକାତାସ୍ଥିତ ପୂର୍ବାଞ୍ଚଳ ଖଣ୍ଡପୀଠରେ ମୂଳ ଆବେଦନ ନଂ. ୧୯୦/୨୦୨୬/ଇଜେଡ୍‌ର ଶୁଣାଣି ହୋଇଥିଲା। ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ପକ୍ଷରୁ ଓଡ଼ିଶା ସରକାର ଓ ଅନ୍ୟମାନଙ୍କ ବିରୋଧରେ ଏହି ଆବେଦନ ଦାଖଲ ହୋଇଥିଲା। ଜଷ୍ଟିସ୍‌ ଅରୁଣ କୁମାର ତ୍ୟାଗୀ ଓ ଏକ୍ସପର୍ଟ ମେମ୍ବର ଇଶ୍ୱର ସିଂହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।

ଗୟାବନ୍ଧ ଲାଟରାଇଟ୍‌ ଖଣି ନେଇ ଏନ୍‌ଜିଟିର କଡ଼ା ନିର୍ଦ୍ଦେଶଲିଜ୍‌ ସୀମା ବାହାରେ ଖନନ ଅଭିଯୋଗ: ମାସକ ମଧ୍ୟରେ ରିପୋର୍ଟ – ସମୀକ୍ଷା


ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ, ଗୟାବନ୍ଧ ଲାଟରାଇଟ୍‌ ଖଣିର ଅନୁମୋଦିତ ଲିଜ୍‌ ଅଞ୍ଚଳ ବାହାରେ ଖନନ କରାଯାଇଥିବା ଦାବି ହୋଇଛି। ଏହା ସହିତ ଅନୁମୋଦିତ ଅଞ୍ଚଳରେ ଖନନ ନ ହୋଇଥିବା ସତ୍ତ୍ୱେ ୨୦୨୨ରୁ ଖଣିଜ ପରିବହନ ପାଇଁ ଅନୁମତିପତ୍ର ଜାରି ହୋଇଥିବା ମଧ୍ୟ ଆବେଦନରେ ଦର୍ଶାଯାଇଛି।
ଖୋରଧା ଖଣି ଅଧିକାରୀଙ୍କ ପକ୍ଷରୁ ଦାଖଲ ତଥ୍ୟକୁ ଆଧାର କରି ଆବେଦନରେ ପ୍ରାୟ ୬,୩୫୪ ଘନମିଟର ଲାଟରାଇଟ୍‌ ପଥର ଉତ୍ତୋଳନ ଓ ପରିବହନ ହୋଇଥିବା ଦାବି କରାଯାଇଛି। ଏହି ପରିମାଣ, ଅନୁମୋଦିତ ଖନନ ସୀମା ଓ ପରିବହନ ଅନୁମତି ମଧ୍ୟରେ କୌଣସି ଅସଙ୍ଗତି ରହିଛି କି ନାହିଁ, ତାହା ଏବେ ତଦନ୍ତ କମିଟିର ଯାଞ୍ଚର ମୁଖ୍ୟ ବିଷୟ ହେବ। ମାମଲାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଗୟାବନ୍ଧ ଲାଟରାଇଟ୍‌ ଖଣି ପାଇଁ ୨୦୨୧ ମାର୍ଚ୍ଚ ୧୨ରେ ଟାଙ୍ଗୀ ତହସିଲଦାରଙ୍କ ନାମରେ ପରିବେଶ ମଞ୍ଜୁରି ଦିଆଯାଇଥିଲା। ୪.୯୯ ହେକ୍ଟର ବା ୧୨.୩୩ ଏକର ଅଞ୍ଚଳରୁ ବାର୍ଷିକ ୧,୮୦୦ ଘନମିଟର ଲାଟରାଇଟ୍‌ ଉତ୍ପାଦନ ପାଇଁ ଏହି ମଞ୍ଜୁରି ଦିଆଯାଇଥିବା ଆବେଦନରେ ଉଲ୍ଲେଖ ରହିଛି। ପରେ ୨୦୨୨ ମାର୍ଚ୍ଚରେ ପରିବେଶ ମଞ୍ଜୁରି ପ୍ରହ୍ଲାଦ ବିଶ୍ୱାଳଙ୍କ ନାମକୁ ହସ୍ତାନ୍ତର ହୋଇଥିବାବେଳେ ୨୦୨୬ ଜୁଲାଇ ୧୩ରେ ରାଜ୍ୟ ପରିବେଶ ପ୍ରଭାବ ଆକଳନ ପ୍ରାଧିକରଣ (ସିଆ), ଓଡ଼ିଶା ପକ୍ଷରୁ ସୋମଦତ୍ତ ଦାସଙ୍କ ନାମକୁ ମଞ୍ଜୁରି ହସ୍ତାନ୍ତର ହୋଇଥିବା ଆବେଦନରେ ଦର୍ଶାଯାଇଛି।

ଗୟାବନ୍ଧ ଲାଟରାଇଟ୍‌ ଖଣି ନେଇ ଏନ୍‌ଜିଟିର କଡ଼ା ନିର୍ଦ୍ଦେଶଲିଜ୍‌ ସୀମା ବାହାରେ ଖନନ ଅଭିଯୋଗ: ମାସକ ମଧ୍ୟରେ ରିପୋର୍ଟ – ସମୀକ୍ଷା

ଖଣି କାର୍ଯ୍ୟକୁ ନେଇ ଉଠିଛି ଏକାଧିକ ପ୍ରଶ୍ନ

ଆବେଦନକାରୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ଯେ, କଥିତ ବେଆଇନ ଖନନ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନିଆଯିବା ପୂର୍ବରୁ ପରିବେଶ ମଞ୍ଜୁରି ହସ୍ତାନ୍ତର କରାଯାଇଥିଲା। ଏହା ସହିତ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଖଣି କାର୍ଯ୍ୟ ପାଇଁ ପ୍ରତିଷ୍ଠା ସମ୍ମତି (ସିଟିଇ) ଓ ଚାଲୁ କରିବା ସମ୍ମତି (ସିଟିଓ) ଦେଇଥିବା ଏବଂ ସମୟକ୍ରମେ ତାହାର ନବୀକରଣ କରାଯାଇଥିବା ମଧ୍ୟ ଅଭିଯୋଗରେ କୁହାଯାଇଛି।
ଗୟାବନ୍ଧରୁ ଜମାସାହିକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଏକ ସାର୍ବଜନୀନ ରାସ୍ତା ଅନୁମୋଦିତ ଲିଜ୍‌ ଅଞ୍ଚଳ ଦେଇ ଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି ରାସ୍ତା ଓ ଖଣି କାର୍ଯ୍ୟ ମଧ୍ୟରେ ଜନସୁରକ୍ଷା ଏବଂ ପରିବେଶଗତ ପ୍ରଭାବର କୌଣସି ସମସ୍ୟା ରହିଛି କି ନାହିଁ, ତାହା ମଧ୍ୟ ଯାଞ୍ଚ ହେବ।ଆବେଦନକାରୀଙ୍କ ଆଉ ଏକ ଅଭିଯୋଗ ହେଉଛି, ମାମଲା ଦାଖଲ ପରେ ମଧ୍ୟ ଅଞ୍ଚଳରେ ପୁନର୍ବାର ଖନନ କରାଯାଇଥିବା ସହ ଗଛ କଟାଯାଇ ସବୁଜ ଆବରଣ ନଷ୍ଟ କରାଯାଇଛି। ଏ ସମ୍ପର୍କିତ ଅଗଷ୍ଟ ୯, ୨୦୨୬ର ଭୂସ୍ଥାନ ଚିହ୍ନିତ ଫଟୋ ମଧ୍ୟ ଆବେଦନ ସହ ଦାଖଲ କରାଯାଇଥିବା ଦର୍ଶାଯାଇଛି।

ତିନି ବିଭାଗର ପ୍ରତିନିଧି ଯିବେ ଘଟଣାସ୍ଥଳ

ତେବେ ଏନ୍‌ଜିଟି ଏହି ଅଭିଯୋଗଗୁଡ଼ିକୁ ଏହି ପର୍ଯ୍ୟାୟରେ ସତ୍ୟ ବୋଲି ଧରିନେଇ କୌଣସି ନିଷ୍କର୍ଷ ଦେଇନାହାନ୍ତି। ବରଂ ଘଟଣାସ୍ଥଳର ବାସ୍ତବ ସ୍ଥିତି ଯାଞ୍ଚ ପାଇଁ ମିଳିତ ତଦନ୍ତ କମିଟି ଗଠନ କରାଯାଇଛି।
କମିଟିରେ ରାଜ୍ୟ ଖଣି ଓ ଭୂବିଜ୍ଞାନ ନିର୍ଦ୍ଦେଶାଳୟର ପ୍ରତିନିଧି, ଖୋରଧା ଜିଲ୍ଲାପାଳଙ୍କ ପ୍ରତିନିଧି ଏବଂ ଖୋରଧା ଡିଏଫ୍‌ଓ ଙ୍କ ପ୍ରତିନିଧି ସାମିଲ ହେବେ। କମିଟି ଘଟଣାସ୍ଥଳକୁ ଯାଇ ଲିଜ୍‌ର ପ୍ରକୃତ ସୀମା, ହୋଇଥିବା ଖନନର ପରିମାଣ, ଖନନ ଅନୁମୋଦିତ ଅଞ୍ଚଳ ମଧ୍ୟରେ ହୋଇଛି କି ନାହିଁ, ପରିବେଶ ଉପରେ ପଡ଼ିଥିବା ପ୍ରଭାବ ଏବଂ ଅନ୍ୟ ଅଭିଯୋଗଗୁଡ଼ିକର ଯାଞ୍ଚ କରିବ।
ତଦନ୍ତ ସମୟରେ ଆବେଦନକାରୀ ଏବଂ ସମ୍ପୃକ୍ତ ପ୍ରକଳ୍ପ ପ୍ରସ୍ତାବକଙ୍କ ପ୍ରତିନିଧିଙ୍କୁ ମଧ୍ୟ ସାମିଲ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଯଦି ତଦନ୍ତରେ ଅନିୟମିତତା କିମ୍ବା ପରିବେଶଗତ କ୍ଷତିର ପ୍ରମାଣ ମିଳେ, ତେବେ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ସୁପାରିସ୍‌ କରିବାକୁ କମିଟିକୁ କୁହାଯାଇଛି।

ମାସକ ମଧ୍ୟରେ ରିପୋର୍ଟ

ଏନ୍‌ଜିଟି ଆଦେଶର ନକଲ ପାଇବାର ଏକ ମାସ ମଧ୍ୟରେ ମିଳିତ କମିଟି ତଦନ୍ତ ରିପୋର୍ଟ ପୂର୍ବାଞ୍ଚଳ ଖଣ୍ଡପୀଠର ରେଜିଷ୍ଟ୍ରାରଙ୍କ ନିକଟରେ ଦାଖଲ କରିବ। ରିପୋର୍ଟର ଏକ ନକଲ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ମଧ୍ୟ ପଠାଯିବ।

ଗୟାବନ୍ଧ ଲାଟରାଇଟ୍‌ ଖଣି ନେଇ ଏନ୍‌ଜିଟିର କଡ଼ା ନିର୍ଦ୍ଦେଶଲିଜ୍‌ ସୀମା ବାହାରେ ଖନନ ଅଭିଯୋଗ: ମାସକ ମଧ୍ୟରେ ରିପୋର୍ଟ – ସମୀକ୍ଷା


ତଦନ୍ତ ରିପୋର୍ଟର ତଥ୍ୟ ଓ ସୁପାରିସ୍‌ ଆଧାରରେ, ସମ୍ପୃକ୍ତ ପ୍ରକଳ୍ପ ପ୍ରସ୍ତାବକଙ୍କୁ ଆବଶ୍ୟକ ଶୁଣାଣିର ସୁଯୋଗ ଦେଇ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନେବାକୁ ଟ୍ରିବ୍ୟୁନାଲ୍‌ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।
ସମଗ୍ର ତଦନ୍ତ ପ୍ରକ୍ରିୟାରେ କମିଟି ରିପୋର୍ଟ ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲର ସମନ୍ୱୟ ଓ ଅନୁପାଳନ ନିଶ୍ଚିତ କରିବା ପାଇଁ ଖୋରଧା ଜିଲ୍ଲାପାଳଙ୍କୁ ନୋଡାଲ୍‌ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।
ଗୟାବନ୍ଧ ଲାଟରାଇଟ୍‌ ଖଣିକୁ ନେଇ ଉଠିଥିବା ଅଭିଯୋଗରେ ଏବେ ଏନ୍‌ଜିଟିଙ୍କ ନିର୍ଦ୍ଦେଶରେ ହେବାକୁ ଥିବା ସ୍ଥଳ ଯାଞ୍ଚ ଉପରେ ନଜର ରହିଛି। କମିଟିର ରିପୋର୍ଟ ପରେ ହିଁ ଖନନର ପ୍ରକୃତ ସ୍ଥିତି, ଅନୁମୋଦିତ ସୀମା ପାଳନ ଏବଂ ପରିବେଶଗତ ପ୍ରଭାବ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ନେଇ ଖୋରଧା ରେ ସମୀକ୍ଷା ବୈଠକ ଦାବି -ଆପତ୍ତିର ତ୍ୱରିତ ନିଷ୍ପତ୍ତି , ଯାଞ୍ଚରେ ସତର୍କତା ପାଇଁ ନିର୍ଦ୍ଦେଶ