
ପୁଲକେଶ୍ୱର ମିଶ୍ର,/ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ୍ ତା/ଳଚେର, ଅନୁଗୋଳ (୧୦ ସେପ୍ଟେମ୍ବର ୨୦୨୬)
କୋଇଲା ନଗରୀ ତାଳଚେରରେ ଏବେଠାରୁ ଆରମ୍ଭ ହୋଇଗଲାଣି ଗଣେଶ ପୂଜାର ଉତ୍ସାହ ଓ ମାହୋଲ । ସାଧାରଣତଃ ତାଳଚେରରେ ଥିବା ବିଭିନ୍ନ ବ୍ୟବସାୟୀ ସଂଘ ଦ୍ୱାରା ଏହି ପୂଜା ବେଶ୍ ଧୁମଧାମରେ ପାଳନ କରାଯାଇଥାଏ । ବର୍ତ୍ତମାନ ସମସ୍ତ ବ୍ୟବସାୟୀ ଏବଂ ପୂଜା କମିଟି ନିଜ ନିଜର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ସହରର ବିଭିନ୍ନ ଛକ ଓ ରାସ୍ତାରେ ସାଜସଜ୍ଜା ଏବଂ ଭବ୍ୟ ତୋରଣ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।
ଦର୍ଶକଙ୍କ ମନୋରଞ୍ଜନ ପାଇଁ ସହରରେ ବିଭିନ୍ନ ପ୍ରକାରର ଦୋଳି ଏବଂ ମୀନା ବଜାର ଆସି ପହଞ୍ଚି ସାରିଲାଣି । ପୂଜା ସମୟରେ ଭଲ ଦୁଇ ପଇସା ରୋଜଗାର ଆଶାରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଉଠାଦୋକାନୀ ଓ ବ୍ୟବସାୟୀ ମଧ୍ୟ ଆସି ନିଜର ପସରା ମେଲାଇବା ଆରମ୍ଭ କଲେଣି ।

ଆସନ୍ତା ୧୪ ତାରିଖରୁ ଏଠାରେ ବିଧିବଦ୍ଧ ଭାବରେ ପୂଜା ମାହୋଲ ଆରମ୍ଭ ହୋଇଯିବ ଏବଂ ସହରରେ ପ୍ରବଳ ଭିଡ଼ ଜମିବ । ଭାରତରେ ମୁମ୍ବାଇର ଗଣେଶ ପୂଜା ଯେପରି ପ୍ରସିଦ୍ଧ, ଠିକ୍ ସେହିପରି ଓଡ଼ିଶାରେ ତାଳଚେର ଗଣେଶ ପୂଜାକୁ ସବୁଠାରୁ ଆକର୍ଷଣୀୟ ଏବଂ ଫେମସ୍ ମାନାଯାଏ । ହାଟତୋଟା ଠାରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ଏବେଠାରୁ ଉତ୍ସବର ପରିବେଶ ଦେଖିବାକୁ ମିଳୁଛି ଏବଂ ଆଗାମୀ ଦିନରେ ଏହି ଆୟୋଜନ ଆହୁରି ମହାସମାରୋହରେ ପାଳିତ ହେବାର ଆଶା କରାଯାଉଛି ।





