ଦେବେଶ ହୋତା/ ସମୀକ୍ଷା ନ୍ୟୁଜ/ଖଡ଼ିଆଳ:
ନୂଆପଡା ଜ଼ିଲ୍ଲା/ତା :୦୪-୧୦-୨୬: ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶ ଯିବାକୁ ବାହାରିଥିବା ୧୮ ଜଣ ଶ୍ରମିକଙ୍କ ସହ ୮ ଜଣ ଶିଶୁଙ୍କୁ ଖଡ଼ିଆଳ ପୋଲିସ ଉଦ୍ଧାର କରିଛି। ଶନିବାର ସକାଳ ପ୍ରାୟ ୧୧ଟା ସମୟରେ ଖଡ଼ିଆଳ ବସଷ୍ଟାଣ୍ଡରେ ପୁଲିସ ଚଢ଼ାଉ କରି ସେମାନଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ସମସ୍ତଙ୍କୁ ଥାନାକୁ ନେଇ ସଚେତନ କରାଯିବା ସହ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଖଡ଼ିଆଳ ଥାନା ଅନ୍ତର୍ଗତ ଚନାବେଡ଼ା ପଞ୍ଚାୟତ ବରପଦର ଗ୍ରାମର ୧୧ ଜଣ ପୁରୁଷ ଓ ୭ ଜଣ ମହିଳା ଶ୍ରମିକ କଣ୍ଟାବାଞ୍ଜି ଯାଇ ସେଠାରୁ ଟ୍ରେନ ଯୋଗେ ଆନ୍ଧ୍ରପ୍ରଦେଶ ଯିବାକୁ ବାହାରିଥିଲେ। ସେମାନଙ୍କ ସହ ୮ ଜଣ ଶିଶୁ ମଧ୍ୟ ଥିଲେ। ଉଦ୍ଧାର ହୋଇଥିବା ପୁରୁଷ ଶ୍ରମିକମାନେ ହେଲେ ରତ୍ନାକର ବାଗ, କୁଳମଣି ବାଗ, କୋଇ ନିଆଲ, ଅଖିଳ ନିଆଲ, କଳାକୃଷ୍ଣ ନାଏକ, ନିରଞ୍ଜନ ନିଆଲ, ରାଜେନ୍ଦ୍ର ନାଏକ, ଚନ୍ଦନ ନାଏକ, କରନ ନାଏକ, ହରି ନିଆଲ ଓ ତପନ ନିଆଲ। ସେହିପରି ମହିଳା ଶ୍ରମିକମାନେ ହେଲେ ଭୂମିସୁତା ବାଗ, ରୁକ୍ମିଣୀ ନାଏକ, ଦହନା ନିଆଲ, ଭାଗ୍ୟ ନିଆଲ, ରେଣୁକା ନାଏକ, ଗୀତା ନିଆଲ ଓ ସୁକେସିନୀ ନାଏକ। ଖଡ଼ିଆଳ ଥାନା ଅଧିକାରୀ ସୁମନ୍ତ ନାଏକଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ଅଶୋକ କୁମାର ବିହାରୀ ଓ ଏଏସ୍ଆଇ ସସ୍ମିତା ଠାକୁରଙ୍କ ନେତୃତ୍ୱରେ ପୋଲିସ ଟିମ୍ ବସଷ୍ଟାଣ୍ଡରେ ଚଢ଼ାଉ କରିଥିଲା। ଶ୍ରମିକମାନଙ୍କୁ ଥାନାକୁ ଆଣି ବାହାର ରାଜ୍ୟକୁ ଦାଦନ ଭାବେ ନ ଯିବାକୁ ସଚେତନ କରାଯାଇଥିଲା। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ନାଏକ ପ୍ରକାଶ କରିଛନ୍ତି।






