ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୮/୧୦/୨୬ – ସର୍ବବୃହତ ମୟୂରଭଞ୍ଜ ଏକ ଆଦିବାସୀ ବହୁଳ ଜିଲ୍ଲା । ବସବାସ କରୁଥିବା ବିଭିନ୍ନ ଆଦିବାସୀ ଗାଁ ଗୁଡିକରେ ପ୍ରାୟତଃ ଘୁଷୁରୀ ବିଚରଣ କରୁଥିବା ସହ ଘର ନିକଟରେ ସ୍ୱତନ୍ତ୍ର ଘୁଷୁରୀ ଗୁହାଳ ଦେଖିବାକୁ ମିଳେ । ଘରର ପେଜ, ତୁରାଣୀ ସହ କୁଣ୍ଡା, ଦାନା ଓ ବିଭିନ୍ନ ଘାସ, ବୁଦା ବା ସାରୁ ଭଳି ଗଛ ମୂଳକୁ ତାଡି ତଥା ବାହାରେ ବୁଲି ଖାଇ ବଢୁଥିବା ଏହି ଘୁଷୁରୀ ସାଧାରଣତଃ ଦେଶୀ ଘୁଷୁରୀ ଭାବେ ବିବେଚିତ । ତେବେ ଏମାନଙ୍କ ରଙ୍ଗ କଳା, ଧୂସର ବା ଧଳା ହୋଇଥାଏ । ଏବେ ଘୁଷୁରୀ ପାଳନ ବା ଚାଷ ବହୁତ ଲାଭଜନକ ବ୍ୟବସାୟ ହେଉଥିବାରୁ ସାଧାରଣ ଲୋକ ମଧ୍ୟ ଘୁଷୁରୀ ପାଳନ ବା ଚାଷ କରୁଥିବା ଦେଖାଗଲାଣି । ଆଦିବାସୀ ଅଞ୍ଚଳ ଗୁଡିକରେ ଘୁଷୁରୀ ମାଂସର ଚାହିଦା ଥିବାରୁ ମୟୂରଭଞ୍ଜର ପ୍ରାୟତଃ ହାଟରେ ଘୁଷୁରୀ ମାଂସ ବିକ୍ରି ହୋଇଥାଏ ।

ଏବେ ଘୁଷୁରୀ ପାଳନ ଓ ତା ପାଇଁ ଉଦ୍ଦିଷ୍ଟ ଘର ନିମନ୍ତେ ସରକାରୀ ସବସିଡିରେ ମଧ୍ୟ ଇଛୁକ ବ୍ୟବସାୟୀଙ୍କ ପ୍ରତି ଯୋଜନା ଓ ଋଣ ବ୍ୟବସ୍ଥା ରହିଛି । କମ୍ ଖର୍ଚ୍ଚରେ ଅଧିକ ଲାଭ ପାଇଁ ବିଭିନ୍ନ ହାଇବ୍ରିଡ଼ କିସମ ଘୁଷୁରୀ ପାଳନ କରି ବ୍ୟବସାୟୀ ଲାଭବାନ ହେଉଛନ୍ତି । ଗୋଟେ ମାଈ ଘୁଷୁରୀ ବର୍ଷକୁ ୨ ଥର ୧୦ ରୁ ୧୨ଟି ପର୍ଯ୍ୟନ୍ତ ଛୁଆ ଜନ୍ମ କରିଥାଏ । ବଡ଼ସାହି ବ୍ଲକର ଆରପଟା ଗ୍ରାମରେ ଘୁଷୁରୀ ପାଳନ କରିଥିବା ରବୀନ୍ଦ୍ର ହାଁସଦ୍ହା ଓ ରାମଚନ୍ଦ୍ର ହାଁସଦ୍ହା ଏଭଳି ମତାମତ ଦେଇଥିବା ସମୟରେ ବର୍ଷକୁ ଘୁଷୁରୀ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ପ୍ରକାଶ କରିଛନ୍ତି । ଦୁଇ ରୁ ତିନିମାସ ମଧ୍ୟରେ ଘୁଷୁରୀ ଛୁଆ ଗୋଟାକ ୩ ରୁ ୪ ହଜାର ଟଙ୍କା ଦାମରେ ବିକ୍ରି ହୁଏ । ଏହି ଘୁଷୁରୀ କିଣିବାକୁ ଆଞ୍ଚଳିକ ବ୍ୟତୀତ ପଡୋଶୀ ରାଜ୍ୟ ବେପାରୀ ମଧ୍ୟ ତାଙ୍କ ନିକଟକୁ ଆସିଥାନ୍ତି । ପୁଣି ଏହାର ମାଂସ ଗାଁ ଗହଳି ହାଟ ମାନଙ୍କରେ ପ୍ରତି ୧ କେଜିକୁ ୩ ରୁ ୪ ଶହ ମଧ୍ୟରେ ବିକ୍ରି ହେଉଥିବା ବେଳେ ପର୍ବ ଗୁଡିକରେ ଆଉ ଅଧିକ ଲାଭ ମିଳିଥାଏ ବୋଲି କହିଛନ୍ତି । ବଡ଼ ଘୁଷୁରୀ ଗୋଟାଏର ଓଜନ ଦୁଇ ରୁ ତିନି କ୍ୱିଣ୍ଟାଲ ପର୍ଯ୍ୟନ୍ତ ହୋଇଥାଏ ଏବଂ ତାଙ୍କ ବୟସ ମଧ୍ୟ ଦୁଇବର୍ଷ ବା ତଦୁର୍ଦ୍ଧ୍ଵ ହୋଇଥାଏ । ଏହାର ମାଂସ ବିଶେଷ ହାଡ଼ ଯୁକ୍ତ ନହୋଇ ନରମ ଓ ଚର୍ବି ଯୁକ୍ତ ମାଂସାଳ ହୋଇଥାଏ । ମୟୂରଭଞ୍ଜରେ ପାଳିତ ବିଭିନ୍ନ ମେଳା, ଯାତ୍ରା ବା ଫୁଟବଲ ଖେଳ ଭଳି ଜନଗହଳି ସ୍ଥାନରେ କେତେକ ଦୋକାନୀ ଏହି ଘୁଷୁରୀ ମାଂସକୁ ରାନ୍ଧି ବିକ୍ରି କରୁଥିବା ଘୁଷୁରୀର ଏକ ଭିନ୍ନ ପରିଚୟ ସୃଷ୍ଟି କରେ । ଗରମ ଦିନରେ ଏମାନଙ୍କ ଶରୀରକୁ ଥଣ୍ଡା ରଖିବା ପାଇଁ ବିଶେଷ ଯତ୍ନ ନେବାକୁ ପଡେ ବୋଲି ଉଭୟ ପ୍ରକାଶ କରିଛନ୍ତି ।





