ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୮/୧୦/୨୬ – ମୟୂରଭଞ୍ଜ ରେଳ ବିକାଶରେ କିଛି ପରିବର୍ତ୍ତନ ହେବା ଆଶା ଆଗକୁ ଗତି କରୁଥିବା ଭଳି ମନେହୁଏ । ବିଭିନ୍ନ ସମୟରେ ରେଳବିଭାଗ ଅଧିକାରୀ ଗଣଙ୍କ ବାରମ୍ବାର ଆଗମନ ଏଭଳି ସୂଚନା ଦେଉଛି । ଗୁରୁବାର ଦକ୍ଷିଣ-ପୂର୍ଵ ରେଳପଥ ର ମୁଖ୍ୟ ଜେନେରାଲ ମ୍ୟାନେଜର ଅନୀଲ କୁମାର ଜୈନ ଏବଂ ଚକ୍ରଧରପୁର ସ୍ଥିତ ଡିଆରଏମ ତରୁଣ ହୁରିଆ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ସହିତ ଏକ ସ୍ପେଶାଲ ନିରୀକ୍ଷଣ ଟ୍ରେନ ଯୋଗେ ରାଇରଙ୍ଗପୁର ଓ ବାଦାମପାହାଡ଼ ରେଳଷ୍ଟେସନ ପରିଦର୍ଶନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବାଦାମପାହାଡ଼ ରେଳ ଷ୍ଟେସନ ପରିଦର୍ଶନ କରି ସେଠାରେ ନିର୍ମାଣଧୀନ ନୂତନ ଷ୍ଟେସନ ଗୃହ ର କାର୍ଯ୍ୟ ନିରୀକ୍ଷଣ କରି ରାଇରଙ୍ଗପୁର ଷ୍ଟେସନ ର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପରିଦର୍ଶନ କରି ଫେରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଉକ୍ତ ୨ଗୋଟି ରେଳ ଷ୍ଟେସନ ଅମୃତ ଭାରତ ଯୋଜନା ଅନ୍ତର୍ଗତ ଉନ୍ନତି ମୂଳକ କାର୍ଯ୍ୟ ଚାଲୁ ରହିଛି । ରାଇରଙ୍ଗପୁର ରେଳଷ୍ଟେସନ ନିରୀକ୍ଷଣ କରିବା ପରେ ଜିଏମ ଶ୍ରୀଯୁକ୍ତ ଜୈନ ଏବଂ ଡିଆରଏମ ଶ୍ରୀଯୁକ୍ତ ହୁରିଆଙ୍କ ସହିତ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ବିଜେପିର ରାଜ୍ୟ ସମ୍ପାଦକ ତଥା ରେଲୱେ ବୋର୍ଡର ମେମ୍ବର ନବୀନ କୁମାର ରାମ, ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା କୋଷାଧକ୍ଷ ବିକାଶ ମହାନ୍ତ, ସାଂସଦ ପ୍ରତିନିଧି ଅଶୋକ କୁମାର ମହାନ୍ତ ପ୍ରମୁଖ ରେଳର ବିକାଶ ତଥା ଚାଲିଥିବା କାର୍ଯ୍ୟକ୍ରମ ତରାନ୍ୱିତ କରିବା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଉକ୍ତ ଅଧିକାରୀ ଗଣ ଉଭୟ ରାଇରଙ୍ଗପୁର ଓ ବାଦାମପାହାଡ଼ ରେଳଷ୍ଟେସନରେ ଅଧଘଣ୍ଟା ଲେଖାଏଁ ନିରୀକ୍ଷଣ କରି ପୁନଃ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ଚଳିତ ମାସ ଶେଷ ବେଳକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମର ସମ୍ଭାବନା ଥିବାରୁ ରେଳ ବିଭାଗର ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ଗସ୍ତ ହୋଇଥିବାର ସାଧାରଣରେ ଆଲୋଚନା ହୁଏ । ପ୍ରକାଶ ଥାଉକି ବୁଡାମରା-ଚାକୁଳିଆ ପ୍ରସ୍ତାବିତ ରେଳପଥ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟରେ ଜମିଧାରୀଙ୍କ ଜମିର ଉପଯୁକ୍ତ ମୂଲ୍ୟ ଆକଳନ ନେଇ ଅଭିଯୋଗର ସମାଧାନ ପାଇଁ ମଧ୍ୟ ପ୍ରକ୍ରିୟା ଜାରି ରହିଛି ତଥା ବହଡାଗୋଡା ଓ ପଶ୍ଚିମ ସିଂଭୂମ ରେ ଏହି ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଁଚିବା ଅବସ୍ଥାରେ ରହିଥିବା ଜଣାପଡିଛି । ସେହି କ୍ରମରେ ବାଦାମପାହାଡ-କେନ୍ଦୁଝର ନୂତନ ରେଳପଥ ପାଇଁ ମଧ୍ୟ କାର୍ଯ୍ୟ ଅଗ୍ରଗତି ହେଇଥିବା ନେଇ ଖୁବଶୀଘ୍ର ଶୁଭଖବର ମିଳିବା ଅପେକ୍ଷାରେ ଜିଲ୍ଲାବାସୀଙ୍କ ମନରେ ଉତ୍ସାହ ଦେଖା ଦେଇଛି ।





