ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :
ପଦ୍ମପୁର, 11/10/2026: ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଅଞ୍ଚଳରେ ଚାଲିଥିବା ଏକ ବଡ଼ ଧରଣର ନକଲି ସୁନା କରବାରର ପର୍ଦ୍ଦାଫାଶ କରିବାରେ ପଦ୍ମପୁର ଥାନା ପୁଲିସକୁ ଏକ ବଡ଼ ସଫଳତା ମିଳିଛି । ବଜାର ଦରଠାରୁ ବହୁତ କମ୍ ମୂଲ୍ୟରେ ଅସଲି ସୁନା ଯୋଗାଇଦେବାର ପ୍ରଲୋଭନ ଦେଖାଇ ଲୋକଙ୍କୁ ଲୁଟୁଥିବା ଏକ ଆନ୍ତଃଜିଲ୍ଲା ଠକ ଗ୍ୟାଙ୍ଗ୍ର ତିନି ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନଙ୍କ ନିକଟରୁ ନକଲି ସୁନା ସମେତ ବହୁ ମାତ୍ରାରେ ନଗଦ ଟଙ୍କା ଓ ମୋଟରସାଇକେଲ୍ ଜବତ କରାଯାଇଛି । ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତ ପଡ଼ୋଶୀ ବଲାଙ୍ଗୀର ଜିଲ୍ଲାର ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି ।

ସେମାନେ ହେଲେ ଦୁର୍ଯ୍ୟୋଧନ ତାଣ୍ଡି (୪୪)ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ବାମନାକର ତାଣ୍ଡି ଗ୍ରାମ। ରାଜୁ ରୟ (୪୦)ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବୁରି ଗ୍ରାମ । ତପନ ଓରଫ ତପନେଶ୍ୱର ବାଗ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ମାଟିଖାଇ ଗ୍ରାମ ।ପୁଲିସ ଚଢ଼ାଉ ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ଅପରାଧରେ ବ୍ୟବହୃତ ଅନେକ ସାମଗ୍ରୀ ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ରହିଛି:୩ଟି ନକଲି ସୁନା ବିସ୍କୁଟ, ୪୨,୦୦୦ ଟଙ୍କା ନଗଦ କ୍ୟାଶ୍ । ଅପରାଧ ପାଇଁ ବ୍ୟବହୃତ ଏକ ହିରୋ ମୋଟରସାଇକେଲ୍ । ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗ୍ୟାଙ୍ଗ୍ର ସଦସ୍ୟମାନେ ବରଗଡ଼ ଜିଲ୍ଲାର ପଦ୍ମପୁର, ମେଲଛାମୁଣ୍ଡା ଏବଂ ଡୁବୁଲାବାହାଲ ଭଳି ଗ୍ରାମାଞ୍ଚଳକୁ ନିଜର ଟାର୍ଗେଟ୍ ବନାଉଥିଲେ । ସେମାନେ ନୀରିହ ଲୋକଙ୍କୁ ଗୁପ୍ତ ସ୍ଥାନରୁ ମିଳିଥିବା ସୁନା ବୋଲି କହି ଶସ୍ତାରେ ବିକ୍ରି କରିବାର ଲୋଭ ଦେଖାଉଥିଲେ । ପ୍ରଥମେ ବିଶ୍ୱାସ ଜନ୍ମାଇବା ପାଇଁ ଏକ ଛୋଟ ଅସଲି ସୁନା ଖଣ୍ଡ ଯାଞ୍ଚ ପାଇଁ ଦେଉଥିଲେ । ମାତ୍ର ପରେ ବଡ଼ ଡିଲ୍ ସମୟରେ ଟଙ୍କା ନେଇ ତମ୍ବା କିମ୍ବା ପିତ୍ତଳରେ ତିଆରି ନକଲି ସୁନା ବିସ୍କୁଟ ଧରାଇ ଚମ୍ପଟ ମାରୁଥିଲେ । ଏହି ସଫଳ ଅପରେସନ ପରେ ପଦ୍ମପୁର ପୁଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଏକ ଜନସାଧାରଣ ସତର୍କତା ଜାରି କରାଯାଇଛି । ପୁଲିସ ପ୍ରଶାସନ ଅନୁରୋଧ କରିଛି ଯେ, କୌଣସି ବି ଅଜଣା ତୃତୀୟ ପକ୍ଷ ବା ଦଲାଲ ଠାରୁ ଶସ୍ତାରେ ସୁନା ପାଇବା ଆଶାରେ ଏଭଳି ପ୍ରଲୋଭନର ଶିକାର ହୁଅନ୍ତୁ ନାହିଁ । ସୁନା କିଣିବା ସମୟରେ କେବଳ ସରକାରୀ ସ୍ୱୀକୃତିପ୍ରାପ୍ତ ଏବଂ ପ୍ରତିଷ୍ଠିତ ଜୁଏଲାରୀ ଦୁକାନକୁ ଯାଇ ହଲ୍ମାର୍କ ଯାଞ୍ଚ କରି ହିଁ କ୍ରୟ କରନ୍ତୁ, ଯଦ୍ୱାରା ଏଭଳି ଆର୍ଥିକ ଠକେଇରୁ ରକ୍ଷା ମିଳିପାରିବ ।ପୁଲିସ ଏହି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏହି ର୍ୟାକେଟ୍ରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଜାରି ରଖିଛି।





