ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧ/ ବରଗଡ / ସମୀକ୍ଷା ନ୍ୟୁଜ:
ବରଗଡ଼, ୧୪ ଅକ୍ଟୋବର ୨୦୨୬:
ରାଜ୍ୟର ଚାଷୀମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ଅଗ୍ରଗତି ପାଇଁ ଆଜି ବରଗଡ଼ ଯଦୁମଣି ପ୍ରଧାନ ଅଡିଟୋରିୟମ୍ଠାରେ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତରଫରୁ ଏକ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି, ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ ଷଡ଼ଙ୍ଗୀ ବିଶିଷ୍ଟ ଅତିଥି ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶୋଭନ କୁମାର ନାୟକ ସଭାପତି ଭାବେ ଯୋଗଦେଇଥିଲେ।
ସକାଳେ ଅଂଶଗ୍ରହଣକାରୀଙ୍କ ପଞ୍ଜୀକରଣ ଏବଂ ବିଭାଗୀୟ ଭିଡିଓ ପ୍ରଦର୍ଶନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଏହି ସମାରୋହରେ ପ୍ରାଣୀ ଚିକିତ୍ସାଳୟ ପରିସରରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା। ସ୍ୱାଗତ ଭାଷଣ ଦେଇ ଉପ-ନିର୍ଦ୍ଦେଶକ ଡା. ସମୀର କୁମାର ନନ୍ଦ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ଜିଲ୍ଲା ମୁଖ୍ୟ ପ୍ରାଣୀଚିକିତ୍ସା ଅଧିକାରୀ ଡା. ଶୋଭନ କୁମାର ନାୟକ, ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଜାନକୀ ବେହେରା, ଓମ୍ଫେଡ୍ ଜି.ଏମ୍. ଡା. ରଜନୀକାନ୍ତ ପଣ୍ଡା, ଉପନିର୍ଦ୍ଦେଶକ (ମତ୍ସ୍ୟ) ଶ୍ରୀ କ୍ଷୀରୋଦ୍ର ସାମଲ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଉମେଶ କୁମାର ପଣ୍ଡା ଏବଂ ବରଗଡ଼ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉଦ୍ବୋଧନ ଦେଇଥିଲେ।

ବିଶିଷ୍ଟ ଅତିଥି ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ ଷଡ଼ଙ୍ଗୀ ଏବଂ ମୁଖ୍ୟ ଅତିଥି ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଚାଷୀମାନଙ୍କୁ ସରକାରୀ ଯୋଜନାର ପୂର୍ଣ୍ଣ ସୁଯୋଗ ନେଇ ନିଜକୁ ଏବଂ ଅଞ୍ଚଳକୁ ସମୃଦ୍ଧ କରିବା ପାଇଁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ‘କମର୍ସିଆଲ୍ ଡାଏରୀ ଫାର୍ମ’ ଯୋଜନାରେ ବାରଗାଁର ସଫଳ ଚାଷୀ ଇଲାଚି ପଧାନଙ୍କୁ ୧୨,୭୯,୮୩୦ ଟଙ୍କାର ସରକାରୀ ଅନୁଦାନ (ସବ୍ସିଡି) ରାଶି ପ୍ରଦାନ କରାଯାଇଥିଲା। ଏଥିସହିତ ୩୦+୨ ଛେଳିପାଳନ, ମହିଷୀ ଉଦ୍ୟୋଗିତା, ବାୟୋଫ୍ଲୋକ୍ ଏବଂ ମତ୍ସ୍ୟ ପୋଖରୀ ଯୋଜନା ପାଇଁ ପଦ୍ମାସିନୀ ଭୁଏ, ପଦ୍ମିନୀ ମେଣ୍ଡୁଲୀ, ପ୍ରତିମା ପଧାନ ଏବଂ ନିମିଷ କୁମାର ମେହେରଙ୍କୁ ମଞ୍ଜୁରୀ ପତ୍ର (Go Ahead Issued) ପ୍ରଦାନ କରାଯାଇଥିଲା।
ଅନ୍ୟପଟେ କୁକୁଡ଼ା ପାଳନ, ମହିଷୀ ଉଦ୍ୟୋଗିତା, ଗାଈ ପାଳନ ଓ ମତ୍ସ୍ୟ ଚାଷରେ ସଫଳତା ହାସଲ କରିଥିବା ପଦ୍ମିନୀ ସାହୁ, ମନୋଜ କର୍ଣ୍ଣ, ପ୍ରମୋଦ କୁମାର ସାହୁ ଏବଂ ପଦ୍ମନାଭ ପଧାନଙ୍କ ଭଳି ସାଧନ କର୍ମୀ ଚାଷୀମାନଙ୍କୁ ସାଧାରଣରେ ଚାଷୀଙ୍କୁ ମାର୍ଗଦର୍ଶନ ଦେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ମେଳାରେ ବହୁସଂଖ୍ୟକ ଚାଷୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ପ୍ରଦର୍ଶନୀ ବୁଲି ଦେଖିବା ସହ ଜ୍ଞାନ ଆହରଣ କରିଥିଲେ।






