ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୧୭/୧୦/୨୬ – ସେବା ଓ ସହାନୁଭୂତିକୁ ପାଥେୟ କରି ଅସୁବିଧାରେ ଥିବା ଲୋକଙ୍କୁ ସହାୟତା ଓ ଆଶ୍ୱାସନା ଦେବାର ମହତ ଉଦ୍ଦେଶ୍ୟ ନେଇ ଅଗ୍ରଣୀ ‘ହୋପ୍ସ ଟ୍ରଷ୍ଟ’ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବାରିପଦା ଠାରେ ଆନନ୍ଦ ଭୋଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ରୋଗୀଙ୍କ ସହଚର ଓ ପରିବାର ସଦସ୍ୟଙ୍କ ସମେତ ପାଞ୍ଚଶହରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିଃଶୁଳ୍କ ଭୋଜନ ପ୍ରଦାନ କରାଯାଇଥିଲା। ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭକରି ରୋଗୀଙ୍କ ସହିତ ସେମାନଙ୍କ ପରିବାର ଓ ସହଚରମାନଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେବା ଏକ ଉତ୍ତମ ସାମାଜିକ ପଦକ୍ଷେପ, ଯାହା ସମାଜରେ ସେବା ଓ ମାନବିକତାର ଭାବନାକୁ ସୁଦୃଢ଼ କରିବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରେଡକ୍ରସର ଆଜୀବନ ସଦସ୍ୟ ଅମର କୁମାର ସେଠୀ, ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ଏଭଳି କାର୍ଯ୍ୟକ୍ରମ ଏକ ଅନୁକରଣୀୟ ସାମାଜିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ । ହୋପ୍ସ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଜୟଶ୍ରୀ ଜେନା ରୋଗୀଙ୍କ ସହ ରହୁଥିବା ପରିବାର ସଦସ୍ୟ ଓ ସହଚରମାନେ ଅନେକ ସମୟରେ ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତାକୁ ନେଇ ଅସୁବିଧାରେ ପଡ଼ିଥାନ୍ତି। ସେମାନଙ୍କ ଅସୁବିଧା ଲାଘବ କରିବା, ଦୁଃସମୟରେ ଖୁସି ବାଣ୍ଟିବା ଓ ଆଶ୍ୱାସନା ଦେବା ହେଉଛି ‘ଆନନ୍ଦ ଭୋଜନ’ର ମୂଳ ଉଦ୍ଦେଶ୍ୟ ବୋଲି ପ୍ରକାଶ କହିଥିଲେ । ହୋପ୍ସ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ଜେନାଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଦସ୍ୟ ସୁବ୍ରତ ଜେନା, ଦୀପଙ୍କର ପରିଡ଼ାଙ୍କ ସମେତ ସୁଦୀପ ପାତ୍ର, ହିମାଂଶୁ ମାଇତି, ଆଦିତ୍ୟ ଦେ, ଶିବଶଙ୍କର ଶର୍ମା, ବ୍ରଜ ସୁନ୍ଦର ପାଠୀ, ଇନ୍ଦିରା ପ୍ରିୟଦର୍ଶିନୀ ଓ ସମୀର ଦିଗାର ପ୍ରମୁଖ ସହଯୋଗ କରିଥିଲେ । ଏଭଳି ମହତ କାମ ପାଇଁ ହୋପ୍ସ ଟ୍ରଷ୍ଟ ସମସ୍ତଙ୍କ ପ୍ରଶଂସା ଭାଜନ ହୋଇପାରିଛି ।






