ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ନୂଆପଡ଼ା ବରଗଡ଼ ନୟାଗଡ଼

Kalahandi Panchayat elections: ପଞ୍ଚାୟତ ନିର୍ବାଚନ ପୂର୍ବରୁ କଳାହାଣ୍ଡି ରାଜନୀତି ସରଗରମ

Kalahandi Panchayat elections: ପଞ୍ଚାୟତ ନିର୍ବାଚନ ପୂର୍ବରୁ କଳାହାଣ୍ଡି ରାଜନୀତି ସରଗରମ – ସମୀକ୍ଷା ଖବର

ସମୀକ୍ଷା ନ୍ୟୁଜ ବ୍ୟୁରୋ / ଭୁବନେଶ୍ବର :

ବିଜେପିର ସାଂଗଠନିକ ଅସନ୍ତୋଷ, ବିଜେଡିରେ ଗୋଷ୍ଠୀ କନ୍ଦଳ ଓ କଂଗ୍ରେସର ନେତୃତ୍ୱ ଆହ୍ୱାନ

ଭୁବନେଶ୍ବର: ୧୩।୧୧: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ କଳାହାଣ୍ଡି ଜିଲ୍ଲାର ରାଜନୈତିକ ମାହୋଲ ଧୀରେ ଧୀରେ ସରଗରମ ହେଉଛି। ଜିଲ୍ଲାରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ନିଜ ସାଂଗଠନିକ ସ୍ଥିତିକୁ ମଜବୁତ କରିବା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ତିନି ଦଳର ଆଭ୍ୟନ୍ତରୀଣ ସ୍ଥିତି ଓ ନେତୃତ୍ୱ ସମନ୍ୱୟକୁ ନେଇ ଭିନ୍ନ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସୁଛି। କଳାହାଣ୍ଡିର ଗ୍ରାମାଞ୍ଚଳ ରାଜନୀତିରେ ଭୋଟରମାନେ ଶେଷ ମୁହୂର୍ତ୍ତରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁଥିବାରୁ ଏବେଠାରୁ କୌଣସି ଦଳର ସ୍ଥିତିକୁ ନିଶ୍ଚିତ ଭାବେ ଆକଳନ କରିବା କଷ୍ଟକର। ଗତ ଜିଲ୍ଲା ପରିଷଦ ନିର୍ବାଚନର ଫଳାଫଳ ମଧ୍ୟ ଜିଲ୍ଲାରେ ରାଜନୈତିକ ପରିବର୍ତ୍ତନର ଚିତ୍ର ସ୍ପଷ୍ଟ କରୁଛି। ୨୦୦୭ରେ କଂଗ୍ରେସର ପ୍ରଭାବ ରହିଥିବା ବେଳେ ୨୦୧୨ରେ ବିଜେଡି ସଫଳତା ପାଇଥିଲା। ୨୦୧୭ରେ ବିଜେପି ୩୬ଟି ଜିଲ୍ଲା ପରିଷଦ ଆସନରୁ ୩୩ଟି ଜିତି ଏକପାଖିଆ ପ୍ରଦର୍ଶନ କରିଥିଲା। କିନ୍ତୁ ୨୦୨୨ରେ ବିଜେଡି ପୁଣି ୩୩ଟି ଆସନ ହାସଲ କରିଥିବା ବେଳେ ବିଜେପି ମାତ୍ର ୩ଟି ଆସନରେ ସୀମିତ ରହିଥିଲା। ବର୍ତ୍ତମାନ ଶାସକ ବିଜେପି ଜିଲ୍ଲାରେ ମଣ୍ଡଳସ୍ତରୀୟ ବୈଠକ ଓ ସାଂଗଠନିକ ସର୍ଭେ ମାଧ୍ୟମରେ ଦଳକୁ ସୁଦୃଢ଼ କରିବାକୁ ଉଦ୍ୟମ କରୁଛି। ତେବେ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ କାର୍ଯ୍ୟଶୈଳୀ ଓ ସଂଗଠନ ପରିଚାଳନାକୁ ନେଇ ଦଳ ଭିତରେ ଅସନ୍ତୋଷ ଥିବା ଚର୍ଚ୍ଚା ହେଉଛି।

Kalahandi Panchayat elections: ପଞ୍ଚାୟତ ନିର୍ବାଚନ ପୂର୍ବରୁ କଳାହାଣ୍ଡି ରାଜନୀତି ସରଗରମ – ସମୀକ୍ଷା

କିଛି ମାସ ପୂର୍ବରୁ ଜିଲ୍ଲାର କେତେକ ମଣ୍ଡଳ ସଭାପତି ରାଜ୍ୟ ବିଜେପି ସଭାପତିଙ୍କ ନିକଟରେ ସାଂଗଠନିକ ଅସନ୍ତୋଷ ଜଣାଇଥିବା କୁହାଯାଉଛି। ଦଳୀୟ ମହଲରେ ଉଠୁଥିବା ଅଭିଯୋଗ ଅନୁଯାୟୀ, ଜିଲ୍ଲା ସଭାପତି କିଛି ନିର୍ଦ୍ଦିଷ୍ଟ ଘନିଷ୍ଠ ବ୍ୟକ୍ତିଙ୍କୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଜୟପାଟଣା, କେସିଙ୍ଗା ଓ ଥୁଆମୂଳ ରାମପୁର ଅଞ୍ଚଳର କେତେକ ସହଯୋଗୀଙ୍କ ମାଧ୍ୟମରେ ବିଭିନ୍ନ କାର୍ଯ୍ୟ ପରିଚାଳନା କରାଯାଉଛି। ଦୀର୍ଘଦିନ ଧରି ଦଳ ପାଇଁ କାମ କରୁଥିବା ପୁରୁଣା ଓ ତୃଣମୂଳସ୍ତରର କର୍ମୀଙ୍କୁ ଉପଯୁକ୍ତ ଗୁରୁତ୍ୱ ମିଳୁନଥିବା ଏବଂ ଘନିଷ୍ଠ ସହଯୋଗୀଙ୍କୁ ଠିକା କାମ ଓ ଅନ୍ୟାନ୍ୟ କାର୍ଯ୍ୟରେ ଅଗ୍ରାଧିକାର ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ଶୁଣିବାକୁ ମିଳୁଛି। ଏହାକୁ ନେଇ ବରିଷ୍ଠ ନେତା ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ଚର୍ଚ୍ଚା ହେଉଛି। ସାଂସଦ ମାଳବିକା ଦେବୀଙ୍କ ସାଂଗଠନିକ ସକ୍ରିୟତାକୁ ନେଇ ମଧ୍ୟ ଦଳୀୟ ମହଲରେ ଆଲୋଚନା ରହିଛି। ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କ ଉପରେ ଜିଲ୍ଲାସ୍ତରୀୟ ସମନ୍ୱୟ ଦାୟିତ୍ୱ ବଢ଼ୁଥିବା ସତ୍ତ୍ୱେ ତାଙ୍କ କାର୍ଯ୍ୟକଳାପ ମୁଖ୍ୟତଃ ନିଜ ନିର୍ବାଚନମଣ୍ଡଳୀକୁ କେନ୍ଦ୍ରିତ ରହୁଥିବା ନେଇ ଚର୍ଚ୍ଚା ହେଉଛି।

ଅନ୍ୟପଟେ, ବିଜେଡିରେ ମଧ୍ୟ ଜିଲ୍ଲାସ୍ତରୀୟ ନେତୃତ୍ୱ ଓ ସାଂଗଠନିକ ସମନ୍ୱୟକୁ ନେଇ ଦ୍ଵନ୍ଦ ରହିଛି। ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟିକା ମନୋରମା ମହାନ୍ତି ଓ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଙ୍କ ଭଳି ନେତା ଜିଲ୍ଲା ରାଜନୀତିରେ ପ୍ରଭାବଶାଳୀ ହୋଇଥିଲେ ମଧ୍ୟ ସାଂଗଠନିକ କାର୍ଯ୍ୟକଳାପ ନିଜ ନିଜ ଅଞ୍ଚଳକୁ ଅଧିକ କେନ୍ଦ୍ରିତ ରହୁଥିବା ନେଇ ଆଲୋଚନା ହେଉଛି। ଦଳ ଭିତରେ ନେତୃତ୍ୱ ଓ ଗୋଷ୍ଠୀଗତ ସମନ୍ୱୟର ଅଭାବ ତୃଣମୂଳସ୍ତରର କର୍ମୀଙ୍କ ମନୋବଳକୁ ପ୍ରଭାବିତ କରୁଥିବା ଚର୍ଚ୍ଚା ରହିଛି। ଏହା ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବା ପୁଷ୍ପେନ୍ଦ୍ର ସିଂହଦେଓଙ୍କ ବିଜେପିରେ ଯୋଗଦାନ ମଧ୍ୟ ବିଜେଡି ପାଇଁ ଏକ ସାଂଗଠନିକ ଝଟକା ଭାବେ ଦେଖାଯାଉଛି। ତଥାପି ଗତ ପଞ୍ଚାୟତ ନିର୍ବାଚନରେ ଦଳର ଦୃଢ଼ ପ୍ରଦର୍ଶନ ଏବଂ ଗ୍ରାମାଞ୍ଚଳରେ ଥିବା ପୁରୁଣା ସଂଗଠନ ବିଜେଡି ପାଇଁ ଏକ ଆଧାର ହୋଇପାରେ।

Kalahandi Panchayat elections: ପଞ୍ଚାୟତ ନିର୍ବାଚନ ପୂର୍ବରୁ କଳାହାଣ୍ଡି ରାଜନୀତି ସରଗରମ – ସମୀକ୍ଷା

କଂଗ୍ରେସ ମଧ୍ୟ ନିଜର ହରାଇଥିବା ସାଂଗଠନିକ ଶକ୍ତି ଫେରାଇବାକୁ ଉଦ୍ୟମ କରୁଛି। ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ତୃଣମୂଳସ୍ତରରେ ଦଳକୁ ସକ୍ରିୟ କରିବା ଓ କର୍ମୀଙ୍କୁ ଏକାଠି କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ଅନ୍ୟପଟେ, ପିସିସି ସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଙ୍କ ଉପରେ ରାଜ୍ୟସ୍ତରୀୟ ଦାୟିତ୍ୱ ଥିବାରୁ ଜିଲ୍ଲାରେ ତାଙ୍କର ଉପସ୍ଥିତି ଓ ସାଂଗଠନିକ ଭୂମିକା କେତେ ମାତ୍ରାରେ ରହିବ, ତାହା ଏବେ ଆଲୋଚନାର ବିଷୟ। ପଞ୍ଚାୟତ ନିର୍ବାଚନରେ ଜିଲ୍ଲାସ୍ତରରେ କଂଗ୍ରେସର ନେତୃତ୍ୱ କିଏ ନେବ ଏବଂ ବିଭିନ୍ନ ବ୍ଲକରେ ଦଳ କିପରି ସମନ୍ୱୟ ରକ୍ଷା କରିବ, ତାହା ସ୍ପଷ୍ଟ ହୋଇନାହିଁ। ସାମଗ୍ରିକ ଭାବେ କଳାହାଣ୍ଡିରେ ତିନି ଦଳ ପାଇଁ ପଞ୍ଚାୟତ ନିର୍ବାଚନ ସହଜ ହେବାର ସମ୍ଭାବନା କମ୍। ବିଜେପି ପାଇଁ ଶାସକ ଦଳ ଭାବେ ଆଭ୍ୟନ୍ତରୀଣ ଅସନ୍ତୋଷ ଦୂର କରିବା ଓ ସଂଗଠନକୁ ଏକାଠି ରଖିବା ମୁଖ୍ୟ ଚ୍ୟାଲେଞ୍ଜ ହୋଇଥିବା ବେଳେ ବିଜେଡି ପାଇଁ ନେତୃତ୍ୱ ସମନ୍ୱୟ ଓ ପୁରୁଣା ସଂଗଠନକୁ ପୁନଃସକ୍ରିୟ କରିବା ଗୁରୁତ୍ୱପୂର୍ଣ୍ଣ। କଂଗ୍ରେସ ପାଇଁ ତୃଣମୂଳସ୍ତରରେ ନେତୃତ୍ୱ ଓ କର୍ମୀଙ୍କ ଏକତା ସବୁଠାରୁ ବଡ଼ ପରୀକ୍ଷା ହେବ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Developed India Youth Leadership: ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭