ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:
ନୂଆଗାଁ, ୧୩/୧୧: ମତ୍ସ୍ୟଚାଷ ଓ ପ୍ରାଣୀପାଳନ ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ସହ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ନୂଆଗାଁ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା–୨୦୨୬ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବ୍ଲକ ସଦରମହକୁମାସ୍ଥିତ ନୂଆଗାଁ କଲେଜ ସମ୍ମୁଖ ଖେଳପଡ଼ିଆରେ ଆୟୋଜିତ ଏହି ମେଳାରେ ସରକାରୀ ଯୋଜନାର ସୁବିଧା, ଆର୍ଥିକ ସହାୟତା ଓ ଜୀବିକା ଉନ୍ନତିର ବିଭିନ୍ନ ଦିଗ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଯାଇଥିଲା। ବ୍ଲକର ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଅଧିକ ଚାଷୀଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଯୋଗଦେଇଥିଲେ। ଏହି ଅବସରରେ ଆୟୋଜିତ ସଭାରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ତ୍ରିନାଥ ମଲ୍ଲିକ, ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଦେବରାଜ ଡାକୁଆ ଏବଂ ବିଡିଓ ଡ. ଅମୃତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଅକ୍ଷୟ କୁମାର ଜେନା, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ତପନ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ପ୍ରିୟରଞ୍ଜନ ଦାସ, ଏଡିଏଫ୍ ସଚିତ୍ରା ରାଣୀ କର ଓ ନୂଆଗାଁ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଶୁଭାଶିଷ ମହାପାତ୍ର ମଞ୍ଚାସୀନ ଥିଲେ।

ଅତିଥିମାନେ ନିଜ ବକ୍ତବ୍ୟରେ ମତ୍ସ୍ୟଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ରହିଥିବା ସମ୍ଭାବନା ସମ୍ପର୍କରେ ଆଲୋକପାତ କରିଥିଲେ। ସରକାରୀ ଯୋଜନାରେ ମିଳୁଥିବା ସହାୟତା ଓ ବିଭାଗୀୟ ପରାମର୍ଶର ସଦୁପଯୋଗ କରି ଚାଷୀମାନେ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିବେ ବୋଲି ମତପ୍ରକାଶ କରିଥିଲେ। ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଯୋଜନାର ଆବେଦନ ପ୍ରକ୍ରିୟା, ହିତାଧିକାରୀ ଚୟନ ଓ ଉପଲବ୍ଧ ସୁବିଧା ସମ୍ପର୍କରେ ଚାଷୀମାନଙ୍କୁ ସୂଚନା ଦେଇଥିଲେ। ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ବିଭିନ୍ନ ଯୋଜନା ଅଧୀନରେ ଚାଷୀମାନଙ୍କୁ କାର୍ଯ୍ୟାଦେଶ ଓ ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହାସହ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ୪ ଜଣ ଚାଷୀଙ୍କୁ ଅତିଥିମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ମେଳାର ଆୟୋଜନ ଓ ପରିଚାଳନାରେ ଏଏଫ୍ଓ ଜ୍ୟୋତିର୍ମୟୀ ମହାନ୍ତିଙ୍କ ସମେତ ବ୍ଲକର ସମସ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀଧନ ନିରୀକ୍ଷକ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ। ନୂଆଗାଁ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଉପସ୍ଥିତ ଚାଷୀ ଓ ଅନ୍ୟ ଅଂଶଗ୍ରହଣକାରୀଙ୍କ ପାଇଁ ଜଳଖିଆ ଓ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଚାଷୀମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ସହ ଆୟବୃଦ୍ଧି ଓ ଆତ୍ମନିଯୁକ୍ତିର ସୁଯୋଗ ପ୍ରତି ଆକୃଷ୍ଟ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।






