ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବାରିପଦା, ୧୫/୧୧/୨୬ – ଆଦିବାସୀଙ୍କ ସୁରକ୍ଷା, ଅଧିକାର ଓ ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ଜଣେ ଆଦିବାସୀ ଯୁବକଙ୍କୁ ବନବିଭାଗର କର୍ମଚାରୀ ମାନେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ବନବିଭାଗର କର୍ମଚାରୀଙ୍କ କାର୍ଯ୍ୟଶୈଳୀ ଓ ମାନବିକ ଅଧିକାରକୁ ନେଇ ଏହି ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ମିଳିଥିବା ଅଭିଯୋଗ ଅନୁଯାୟୀ, ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତର ତାଳବନ୍ଧ ରେଞ୍ଜ ଅଞ୍ଚଳରେ ରାମଦାସ ଟୁଡୁ ନାମକ ଜଣେ ଆଦିବାସୀ ଯୁବକଙ୍କୁ ବନବିଭାଗର କିଛି ଅଧିକାରୀ ଓ କର୍ମଚାରୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ବାରିପଦା ସ୍ଥିତ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛଥିବା ଜଣାପଡିଛି । ଅଭିଯୋଗ ଅନୁସାରେ, ଯୁବକଙ୍କୁ ଆଇନସମ୍ମତ ଭାବେ ପଚରାଉଚରା କିମ୍ବା ତଦନ୍ତ କରିବା ପରିବର୍ତ୍ତେ ତାଙ୍କୁ ମାଡ଼ ମରାଯାଇଛି । ତେବେ ଘଟଣାର ପ୍ରକୃତ କାରଣ କ’ଣ ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ତାହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି । ଯଦି ଯୁବକଙ୍କ ବିରୋଧରେ କୌଣସି ଅଭିଯୋଗ ରହିଛି, ତେବେ ଆଇନର ନିର୍ଦ୍ଧାରିତ ପ୍ରକ୍ରିୟାରେ ତାହାର ବିଚାର ହେବାର ଆବଶ୍ୟକତା ରହିଛି । କିନ୍ତୁ ଆଇନକୁ ହାତକୁ ନେଇ କାହାକୁ ମାଡ଼ ମାରିବାର ଅଧିକାର କାହାରି ନାହିଁ ବୋଲି ଅଞ୍ଚଳବାସୀଙ୍କ ମତ ପ୍ରକାଶ ପାଇଛି । ଅନ୍ୟପକ୍ଷରେ, ଏହି ଘଟଣା ବାବଦରେ ଖବର ପାଇ ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ହସ୍ପିଟାଲ ଯାଇ ପୀଡ଼ିତ ରାମଦାସଙ୍କୁ ଭେଟି ଆଲୋଚନା କରିବା ସହିତ ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଘଟଣାର ତୁରନ୍ତ ନିରପେକ୍ଷ ତଦନ୍ତ କରିବା ସହ ପୀଡ଼ିତ ଯୁବକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ଦାବି ଜଣାଇଛନ୍ତି । ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନବିଭାଗ ଯଦି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉଛି, ତେବେ ତାହା ନିୟମ ଅନୁଯାୟୀ ହେବା ଆବଶ୍ୟକ ବୋଲି ସେମାନେ ପ୍ରକାଶ କରିଛନ୍ତି । ଆଇନର ରକ୍ଷକମାନେ ନିଜେ ଯଦି ଆଇନ ଉଲ୍ଲଂଘନ କରିବାର ଅଭିଯୋଗର ସମ୍ମୁଖୀନ ହୁଅନ୍ତି, ତେବେ ସାଧାରଣ ଲୋକଙ୍କ ମନରେ ପ୍ରଶାସନ ପ୍ରତି ଆସ୍ଥା କିପରି ବଜାୟ ରହିବ, ତାହା ଏବେର ବଡ଼ ପ୍ରଶ୍ନ । ତେଣୁ ଘଟଣାର ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ କରିବା ସହ ଯୁବକଙ୍କ ଉତ୍ତମ ଚିକିତ୍ସା, ସୁରକ୍ଷା ଏବଂ ନ୍ୟାୟ ସୁନିଶ୍ଚିତ କରିବାକୁ ଦାବି ଜୋର ଧରିଛି ।






