ଅବିନାଶ ଗଡତିଆ /ବରଗଡ଼ /ସମୀକ୍ଷା ନ୍ୟୁଜ:
ଚଳିତ ୨୦୨୬ ବର୍ଷରେ ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରମୁଖ ଜିଲ୍ଲା ବରଗଡ଼ରେ ସଡ଼କ ଦୁର୍ଘଟଣା ହାର ଉଦ୍ବେଗଜନକ ଭାବେ ବୃଦ୍ଧି ପାଇଛି। ଜାତୀୟ ରାଜପଥଠାରୁ ଆରମ୍ଭ କରି ସହରର ବ୍ୟସ୍ତବହୁଳ ଛକ ପର୍ଯ୍ୟନ୍ତ, ପ୍ରାୟ ପ୍ରତି ସପ୍ତାହରେ ଛୋଟବଡ଼ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଥିବା ଦେଖିବାକୁ ମିଳୁଛି। ନଭେମ୍ବର ୧୭ ତାରିଖରେ ବରଗଡ଼ ସହରର ବ୍ୟସ୍ତବହୁଳ ଗୁରୁଦ୍ୱାରା ଛକରେ ଏକ ବାଇକ୍ ଧକ୍କାରେ ମନ୍ଦିରପଡ଼ାର ରଞ୍ଜନ ନାମକ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ସେହିପରି ନଭେମ୍ବର ୧୮ ତାରିଖରେ ଏକ ଟ୍ରକ୍ ଧକ୍କାରେ କାର ଚୁରମାର ହୋଇଯାଇଥିଲେ ମଧ୍ୟ ସେଥିରେ ଥିବା ୪ ଜଣ ସାମ୍ବାଦିକ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ । ଅକ୍ଟୋବର ୫ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋରରୁ ପୁରୀ ଯାଉଥିବା ଏକ କାର ସୋହେଲା ବ୍ଲକ ମଧୁପୁର ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୬ ଜଣ ଗୁରୁତର ଆହତ ହୋଇଥିଲେ। ଏହା ବ୍ୟତୀତ ଅକ୍ଟୋବର ୬ରେ ଅତାବିରା ମେଡିକାଲ ଛକରେ ବୋଲେରୋ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ଅକ୍ଟୋବର ୧୬ରେ ପଦ୍ମପୁରଠାରେ ଘରୋଇ ବସ୍ ଧକ୍କାରେ ଜଣେ ସ୍କୁଲ ଛାତ୍ରଙ୍କ ପ୍ରାଣହାନି ଘଟିଥିଲା।

ଅଗଷ୍ଟ ମାସରେ ସୋହେଲା ଥାନା ଛକ ନିକଟରେ ଟ୍ରକ୍ ଧକ୍କାରେ ବାପା ଓ ପୁଅଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟିଥିଲା। ସେହିପରି ଜୁନ୍ ମାସରେ ଅତାବିରା ଥାନା ସରଣ୍ଡା ଛକ ନିକଟରେ ଏକ ଟ୍ରକ୍ ପଛରେ ବାଇକ୍ ପିଟି ହେବାରୁ ସମ୍ବଲପୁରର ଦୁଇଜଣ ଯୁବକଙ୍କ ଜୀବନ ଯାଇଥିଲା। ଫେବୃଆରୀ ୨୬ ତାରିଖରେ ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥର ଅତାବିରା ନିକଟସ୍ଥ ଦମଦମା ବ୍ରିଜ୍ ବାଡ଼ା ଉପରକୁ ଏକ ଘରୋଇ ଯାତ୍ରୀବାହୀ ବସ୍ ଚଢ଼ିଯିବାରୁ ପ୍ରାୟ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ।ଜାତୀୟ ରାଜପଥରେ ଭାରୀଯାନ ଏବଂ ସହର ଭିତରେ ବାଇକ୍ ଚାଳକଙ୍କ ଅତ୍ୟଧିକ ବେଗ ଓ ବେପରୁଆ ଗାଡ଼ି ଚାଳନା ଅଧିକାଂଶ ଦୁର୍ଘଟଣାର ମୁଖ୍ୟ କାରଣ। ଭୁଲ୍ ଦିଗରେ ଗାଡ଼ି ଚଳାଇବା, ଗୋଟିଏ ବାଇକ୍ରେ ତିନି ଜଣ ବସିବା ହେଲମେଟ୍ ଓ ସିଟ୍ ବେଲ୍ଟ ବ୍ୟବହାର ନକରିବା ଯୋଗୁଁ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢୁଛି। ଜାତୀୟ ରାଜପଥ କଡ଼ରେ ବିପଦଜନକ ଭାବେ ଟ୍ରକ୍ ଓ ଭାରୀଯାନ ପାର୍କିଂ କରାଯାଉଥିବାରୁ ରାତି ସମୟରେ ପଛରୁ ଆସୁଥିବା ଗାଡ଼ିଗୁଡ଼ିକ ସେଥିରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ବରଗଡ଼ ସହରର ଗୁରୁଦ୍ୱାରା ଛକ, ଅତାବିରା ମେଡିକାଲ ଛକ ଏବଂ ସୋହେଲା ଛକ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବାର ଆବଶ୍ୟକତା ରହିଛି। ସଡ଼କ ଦୁର୍ଘଟଣା ରୋକିବା ପାଇଁ କେବଳ ପୋଲିସ ଓ ପରିବହନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ, ବରଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଅତ୍ୟନ୍ତ ଜରୁରୀ। ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ କରି ସେଠାରେ ସୂଚନା ଫଳକ ଲଗାଇବା, ରାଜପଥରେ ପାଟ୍ରୋଲିଂ କଡ଼ାକଡ଼ି କରିବା ଏବଂ ଟ୍ରାଫିକ୍ ନିୟମ ପାଳନ କରିବା ଦ୍ୱାରା ହିଁ ବରଗଡ଼କୁ ଦୁର୍ଘଟଣାମୁକ୍ତ କରାଯାଇପାରିବ।





