ଭଗବାନ ମହାନ୍ତି /ଜିଲ୍ଲା ପ୍ରତିନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ତଳିଆ ଅଞ୍ଚଳରୁ ଲୋକ ଓ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ
ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ ଓ ଅଗ୍ନିଶମ ବିଭାଗକୁ ହାଇଆଲର୍ଟ
ଜଗତସିଂହପୁର, ୧୮/୧୧: ଆଜିସମ୍ଭାବ୍ୟ ବାତ୍ୟା ‘ଅକଭାନ’ର ସଫଳ ମୁକାବିଲା ତଥା ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ନିମନ୍ତେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଧିକାରୀ ଭାବେ ଶ୍ରୀମତୀ ଯାମିନୀ ଷ଼ଡଙ୍ଗୀ (ଆଇଏଏସ୍) ଓଡ଼ିଶା ସରକାରଙ୍କ ବାଣିଜ୍ୟକ କର ଏବଂ ଜିଏସଟି କମିଶନର ଆଜି ଜଗତସିଂହପୁର ଜିଲ୍ଲା ରେ ପହଞ୍ଚି ଜିଲ୍ଲାପାଳ ତଥା ସମସ୍ତ ବରିଷ୍ଠ ଅଧିକାରୀ, ପାଇଁ ବିଭାଗ ଅଧିକାରୀ ମାନଙ୍କ ସହ ଆଭାସୀ ମାଧ୍ୟମରେ ଆଲୋଚନା କରିଥିଲେ।ଆଜି ସନ୍ଧ୍ୟା ୬ ଘଟିକା ସମୟରେ ଶ୍ରୀମତୀ ଷଡ଼ଙ୍ଗୀ ଏରସମା ବ୍ଲକ କାର୍ଯ୍ୟଳୟ ଠାରେ ଯୋଡ଼ିହୋଇ ,ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ନିରଞ୍ଜନ ବେହେରା ଙ୍କ ଉପସ୍ଥିତି ରେ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ସେ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରି ଜିଲ୍ଲାରେ ‘ଶୂନ୍ୟ ଜୀବନହାନି’ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ପ୍ରଥମେ ସମସ୍ତ ବିଡ଼ିଓ ତହସିଲଦାର ମାନଙ୍କ ସହ କ୍ଷେତ୍ରିୟ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ।କୃଷି ବିଭାଗର ବ୍ଲକ ସ୍ତରୀୟ ଅଧିକାରୀମାନେ ବ୍ୟକ୍ତିଗତ ଭାବେ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କୁ ବାତ୍ୟା ସମ୍ପର୍କରେ ସଚେତନ କରାଇବା ସହ ଅମଳ ହୋଇଥିବା ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦେବେ। ସେହିପରି ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ଆଲର୍ଟ ମୋଡରେ ରଖାଯିବା ସହ ସାପକାମୁଡ଼ା ଓ ଝାଡ଼ାବାନ୍ତି ନିରୋଧକ ଔଷଧ ତଥା ଅନ୍ୟାନ୍ୟ ଜରୁରୀକାଳୀନ ଔଷଧ ମହଜୁଦ ରଖିବାକୁ ଏଵଂ ସମସ୍ତ ସ୍ବାସ୍ଥ୍ଯ କେନ୍ଦ୍ରରେ ଡାକ୍ତର ଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କୁ ସଜାଗ ରଖାଯାଇଛି। ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଜଳ ସଙ୍କଟ ଦୂର କରିବା ପାଇଁ ସମସ୍ତ ନଳକୂପକୁ କାର୍ଯ୍ୟକ୍ଷମ ରଖିବା, ବ୍ଲିଚିଂ ପାଉଡର, ହାଲୋଜେନ ବଟିକା ଇତ୍ୟାଦି ଏବଂ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ବୋତଲ ମହଜୁଦ ରଖାଯାଇଥିବା ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ, ଅଗ୍ନିଶମ ବିଭାଗର ସମସ୍ତ ଷ୍ଟେସନ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ମିଳିତ ଭାବେ ବିପଦସଙ୍କୁଳ ଅବସ୍ଥାରେ ଥିବା ଗଛଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ଡାଳ କାଟିବାକୁ ତଥା ବାତ୍ୟା ପରବର୍ତ୍ତୀ ସମୟରେ ତୁରନ୍ତ ରାସ୍ତାଘାଟ ସଫା କରିବାକୁ ପରାମର୍ଶ ଦେଇଥିଲେ । ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ତଳିଆ ଅଞ୍ଚଳରେ ଥିବା ଗୃହପାଳିତ ପଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ଗୋଖାଦ୍ୟ ଓ ଔଷଧ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଶୁଖିଲା ଖାଦ୍ୟ ଜରୁରୀକାଳୀନ ଭିତ୍ତିରେ ମହଜୁଦ ରଖାଯିବ।ଏହାବ୍ୟତୀତ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସରବରାହ ସ୍ୱାଭାବିକ ରଖିବା ପାଇଁ ଆବଶ୍ୟକୀୟ ଖୁଣ୍ଟ ଓ ତାର ମହଜୁଦ ରଖିବା, ତଳିଆ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ବିଦ୍ୟାଳୟ ଗୃହକୁ ସ୍ଥାନାନ୍ତର କରିବା ଏବଂ ଜିଲ୍ଲା ଜରୁରୀକାଳୀନ କେନ୍ଦ୍ର ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କାଲି ସକାଳ ୧୦ ଘଟିକା ସୁଦ୍ଧା ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାରେ ୧ ଟି NDRF ଟିମ୍ ଆଜି ପହଞ୍ଚି ମୁଖ୍ୟାଳୟ ରେ ରହିବେ ଏବଂ ଓଡ଼୍ରାଫ୍ ଟିମ୍ ପାରାଦ୍ଵୀପ, ତିର୍ତ୍ତୋଲ ଓ ଏରସମା ରେ ମୁତୟନ ହୋଇଛନ୍ତି।୧୦,୫୦୦ ଜଣ ଲୋକଙ୍କୁ ପକ୍କା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବାର କାର୍ଯ୍ଯକ୍ରମ ରହିଛି ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି।୪୫ଟି କାର୍ଯ୍ୟକ୍ଷମ ନିରାପଦ ଆଶ୍ରୟସ୍ଥଳୀ ରହିଛି । ୧ ଟି ଓଡରଫ ଟିମ୍ ନିୟୋଜିତ କରାଯାଇଛି । ୧୬ଟି ଅଗ୍ନିଶମ ବାହିନୀ ଟିମ୍ ଓ ନିୟୋଜନ କରାଯାଇଛି । ନଭେମ୍ବର ୩୦ ମଧ୍ୟରେ ତାରିଖ EDD ଥିବା ୨୬୪ ଜଣ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୁଖିଲା ଖାଦ୍ୟ ଗଚ୍ଛିତ ରଖାଯାଇଛି । ମହଜୁଦ ପଲିଥିନ୍ ସିଟ୍ର ପରିମାଣ: ୪,୯୯୯ ରୋଲ୍ (ମୋଟ ୨୪,୯୯୫ ଖଣ୍ଡ)।ବରିଷ୍ଠ ଅଧିକାରୀ, ସମସ୍ତ ବ୍ଲକ୍ରେ ବରିଷ୍ଠ ଅଧିକାରୀ, ଡେପୁଟି କଲେକ୍ଟର ଏବଂ ସହାୟକ ଜିଲ୍ଲାପାଳ ମାନଙ୍କୁ ନିୟୋଜିତ କରାଯାଇଛି। ବର୍ଷାର ପରିମାଣ ଏବଂ ପବନର ସ୍ଥିତି ଏବେ ସୁଦ୍ଧା ଶୂନ୍ୟ ରହିଛି । ୧୯ ଓ ୨୦ ଓ ୨୧ ନଭେମ୍ବରରେ ବିଦ୍ୟାଳୟ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ,ଅଙ୍ଗନବାଡ଼ି କେନ୍ଦ୍ର ଓ ୨୦ ଓ ୨୧ ନଭେମ୍ବର ମହାବିଦ୍ୟାଳୟ , ବନ୍ଦ ରହିବ।ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଅନିଶା ଦାସ ଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର, ବିଡିଓ ଏବଂ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଉପସ୍ଥିତ ଥିଲେ।





