ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ :
ଯୋଡ଼ା/କେନ୍ଦୁଝର,୧୯/୧୧/୨୦୨୬: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଦାମୁ ହଟିଂଠାରେ ଅବସ୍ଥିତ ସହିଦ ବିଶ୍ୱମ୍ବର ପ୍ରଧାନଙ୍କ ପୈତୃକ ଘରକୁ ଫେରି ପାଇବା ଏବଂ ନିଜ ପରିବାରର ସୁରକ୍ଷା ପାଇଁ ତାଙ୍କ ମା’ ଏବେ ନ୍ୟାୟ ଅପେକ୍ଷାରେ ରହିଛନ୍ତି। ଅଭିଯୋଗ ଅନୁଯାୟୀ, ଦୀର୍ଘ ବର୍ଷ ଧରି ତାଙ୍କ ଘରକୁ ଅନ୍ୟ ବ୍ୟକ୍ତିମାନେ ଅକ୍ତିଆର କରି ରଖିଥିବାରୁ ସହିଦଙ୍କ ମା’ ଅତ୍ୟନ୍ତ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି। ନିଜ ଘର ଫେରି ପାଇବା ପାଇଁ ସେ ବିଭିନ୍ନ ସମୟରେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଏଯାଏଁ କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ। ଶେଷରେ ନ୍ୟାୟ ପାଇବା ଆଶାରେ ସେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଏଥିସହିତ ଚମ୍ପୁଆ ଉପଜିଲ୍ଲାପାଳ, ବଡ଼ବିଲ ତହସିଲଦାର, ବଡ଼ବିଲ ଏସ୍ଡିପିଓ, ବଡ଼ବିଲ ଥାନା ଅଧିକାରୀ ଏବଂ ବଡ଼ବିଲ ନଗର ସଭାପତି ଶ୍ରୀ ପର୍ମିଲ ଚାଟାର୍ଜୀଙ୍କୁ ମଧ୍ୟ ଅଭିଯୋଗର ନକଲ ପ୍ରଦାନ କରିଛନ୍ତି। ଜଣେ ସହିଦଙ୍କ ପରିବାରକୁ ନ୍ୟାୟ ଓ ସୁରକ୍ଷା ଯୋଗାଇଦେବା ପ୍ରଶାସନର ନୈତିକ ଦାୟିତ୍ୱ। ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ତଦନ୍ତ କରିବା ସହ ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଏବେ ସମସ୍ତଙ୍କ ନଜର ଜିଲ୍ଲା ପ୍ରଶାସନ ଉପରେ। ସହିଦ ବିଶ୍ୱମ୍ବର ପ୍ରଧାନଙ୍କ ମା’ଙ୍କୁ କେବେ ନ୍ୟାୟ ମିଳିବ ଏବଂ ସେ କେବେ ନିଜ ଘରକୁ ଫେରିପାଇବେ, ତାହା ଦେଖିବାକୁ ବାକି ରହିଲା।






