ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବିକଶିତ ଓ ଦାଦନମୁକ୍ତ କନ୍ଧମାଳ ପାଇଁ ଦାରିଙ୍ଗବାଡ଼ିରେ ବ୍ଲକସ୍ତରୀୟ ବୈଠକ

ବିକଶିତ ଓ ଦାଦନମୁକ୍ତ କନ୍ଧମାଳ ପାଇଁ ଦାରିଙ୍ଗବାଡ଼ିରେ ବ୍ଲକସ୍ତରୀୟ ବୈଠକ – ସମୀକ୍ଷା ଖବର

ମହେଶ୍ୱର ଦିଗାଳ/ ଡିଭିଜନାଲ ସାମ୍ବାଦିକ /କନ୍ଧମାଳ / ସମୀକ୍ଷା ନିୟୁଜ:

୦୯/୦୯: କନ୍ଧମାଳ ଜିଲ୍ଲାରୁ ଦାଦନ ସମସ୍ୟା ଦୂର କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଦାରିଙ୍ଗବାଡ଼ି ଜାଗୃତି ସଭାଗୃହରେ ଏକ ବ୍ଲକସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ସୋସିଆଲ ୱାର୍କର୍ସ ଆସୋସିଏସନ୍ ଅଫ୍ କନ୍ଧମାଳ (SWAK) ଓ ଜାଗୃତି ଅନୁଷ୍ଠାନର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ବୈଠକରେ ସାମାଜିକ କର୍ମୀ, ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି, ବୁଦ୍ଧିଜୀବୀ, ଜନପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।
ସଭାପତି ଆମନ ଚନ୍ଦ୍ର ନାୟକ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଜାଗୃତିର ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। SWAKର ସମ୍ପାଦକ ହୃଷିକେଶ ପ୍ରଧାନ ବୈଠକର ଉଦ୍ଦେଶ୍ୟ ଓ ଦାଦନ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ।
ବୈଠକ ଆରମ୍ଭରେ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ମୃତ୍ୟୁବରଣ କରିଥିବା ୧୧ ଜଣ ଶ୍ରମିକଙ୍କ ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ବିକଶିତ ଓ ଦାଦନମୁକ୍ତ କନ୍ଧମାଳ ପାଇଁ ଦାରିଙ୍ଗବାଡ଼ିରେ ବ୍ଲକସ୍ତରୀୟ ବୈଠକ – ସମୀକ୍ଷା


ଆଲୋଚନାରେ କୁହାଯାଇଥିଲା ଯେ, କନ୍ଧମାଳର ଅନେକ ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗର ଅଭାବ ଯୋଗୁଁ ପ୍ରତିବର୍ଷ ଶହ ଶହ ଶ୍ରମିକ କାମ ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଉଛନ୍ତି। ଦଲାଲଙ୍କ ମାଧ୍ୟମରେ ପ୍ରବାସ କରୁଥିବା ଅନେକ ଶ୍ରମିକ ଠକେଇ, ନିର୍ଯାତନା, ଦୁର୍ଘଟଣା ଓ ଅନ୍ୟାନ୍ୟ ସମସ୍ୟାର ଶିକାର ହେଉଛନ୍ତି। ତେଣୁ ଦାଦନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳରେ ରୋଜଗାର ଓ ଜୀବିକାର ସୁଯୋଗ ସୃଷ୍ଟି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
‘ଏକ ଜିଲ୍ଲା, ଏକ ସଙ୍କଳ୍ପ’ ନୀତି ଆଧାରରେ କନ୍ଧମାଳର ପ୍ରାକୃତିକ ଓ ମାନବ ସମ୍ବଳର ସଠିକ୍ ଉପଯୋଗ କରି ଯୁବପିଢ଼ିଙ୍କ ପାଇଁ ସ୍ଥାୟୀ ରୋଜଗାର, ଆତ୍ମନିଯୁକ୍ତି ଓ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି କରିବା ନେଇ ବିଭିନ୍ନ ମତ ପ୍ରକାଶ ପାଇଥିଲା।
ବୈଠକରେ ଦାରିଙ୍ଗବାଡ଼ି ଅଞ୍ଚଳର ହଳଦୀ ଚାଷ ଓ ଚାଷୀଙ୍କ ସମସ୍ୟା ନେଇ ମଧ୍ୟ ଆଲୋଚନା ହୋଇଥିଲା। ହଳଦୀକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଥିଲେ ମଧ୍ୟ ଚାଷୀମାନେ ଉତ୍ପାଦର ଉଚିତ୍ ମୂଲ୍ୟ ପାଉନଥିବା ନେଇ ଅଭିଯୋଗ ହୋଇଥିଲା। ହଳଦୀ ପାଇଁ ନିୟମିତ ମଣ୍ଡି ବ୍ୟବସ୍ଥା ଓ ଉଚିତ୍ ବଜାର ସଂଯୋଗ କରାଗଲେ ଚାଷୀମାନେ ଉତ୍ପାଦର ଉଚିତ୍ ମୂଲ୍ୟ ପାଇପାରିବେ ବୋଲି ମତ ପ୍ରକାଶ ପାଇଥିଲା।

ବିକଶିତ ଓ ଦାଦନମୁକ୍ତ କନ୍ଧମାଳ ପାଇଁ ଦାରିଙ୍ଗବାଡ଼ିରେ ବ୍ଲକସ୍ତରୀୟ ବୈଠକ – ସମୀକ୍ଷା


ସେହିପରି ଜଙ୍ଗଲଜାତ ଦ୍ରବ୍ୟ, ଅଁଳା, ପଣସ, ମାଣ୍ଡିଆ, ବିରି, ବିଭିନ୍ନ ମସଲାଜାତୀୟ ଫସଲ ଓ କୁଟୀର ଶିଳ୍ପର ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି ଏବଂ ବଜାର ସଂଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ଥାନୀୟ ସମ୍ବଳକୁ ଆଧାର କରି ଛୋଟ ଓ ମଧ୍ୟମ ଉଦ୍ୟୋଗ ଗଢ଼ି ତୋଳିବା ମାଧ୍ୟମରେ ଅଧିକ ରୋଜଗାର ସୃଷ୍ଟି କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା।
କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟା, ପ୍ରଦାନ, ଗ୍ରାମ ବିକାଶ, ଅନ୍ତରଙ୍ଗ, ନାରୀ ମହାସଂଘର ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ, ବୁଦ୍ଧିଜୀବୀ ଓ ପୂର୍ବତନ ସରପଞ୍ଚମାନେ ଯୋଗଦେଇଥିଲେ। SWAKର କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ, ସଦସ୍ୟା ମୀନାକ୍ଷୀ ପ୍ରଧାନ, ବିବେକାନନ୍ଦ ପ୍ରଧାନଙ୍କ ସମେତ ଜାଗୃତି ଅନୁଷ୍ଠାନର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ଶେଷରେ ସଦସ୍ୟ ସନ୍ତୋଷ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ଉପସ୍ଥିତ ସମସ୍ତେ “ଦାରିଙ୍ଗବାଡ଼ିର ପିଲା ଦାରିଙ୍ଗବାଡ଼ିରେ ରୋଜଗାର ପାଉ” ବୋଲି ସଙ୍କଳ୍ପ ନେଇ ସ୍ଥାନୀୟ ସମ୍ବଳର ସଦୁପଯୋଗ ମାଧ୍ୟମରେ ସ୍ୱାବଲମ୍ବୀ, ବିକଶିତ ଓ ଦାଦନମୁକ୍ତ କନ୍ଧମାଳ ଗଠନ ପାଇଁ ମିଳିତ ପ୍ରୟାସ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ।

ବିକଶିତ ଓ ଦାଦନମୁକ୍ତ କନ୍ଧମାଳ ପାଇଁ ଦାରିଙ୍ଗବାଡ଼ିରେ ବ୍ଲକସ୍ତରୀୟ ବୈଠକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପିପିଲି: ସିଉଳା ଆରଆଇ,ଏଆରଆଇ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ