ମହେଶ୍ୱର ଡିଗାଲ /ଡିଭିଜନାଲ ସାମ୍ବାଦିକ /ବାଲିଗୁଡା/ ସମୀକ୍ଷା ନିୟୁଜ:
କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଥାନା ଅଂଚଳର ଗଞ୍ଜେଇ ଚୋରାଚାଲାଣ ବେଳେ ପୁଲିସକୁ ମିଳିଛି ବଡ଼ ସଫଳତା। ତୁମୁଡ଼ିବନ୍ଧ ଥାନା ଅଞ୍ଚଳର ବାଣ୍ଡିକା ଛକ ନିକଟସ୍ଥ ଖମଣପଡ଼ା ଗ୍ରାମ ନିକଟରେ ଚଢ଼ାଉ କରି ପୁଲିସ ଏକ ଆ ଇଚର ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୧୧୪୦ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧ କୋଟି ୧୪ ଲକ୍ଷ ଟଙ୍କା ବୋଲି ତୁମୁଡିବନ୍ଧ ପୋଲିସ ସୂତ୍ରରୁ ଜଣାପଡୁଛି.
ପୁଲିସ ସୂଚନା ଅନୁଯାୟୀ, ୧୯ ସେପ୍ଟେମ୍ବର ୨୦୨୬ ଭୋର ପ୍ରାୟ ୩ଟା ୧୫ରୁ ୪ଟା ମଧ୍ୟରେ ବାଣ୍ଡିକା ଛକ ନିକଟରେ ପୁଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା।

ଏହି ସମୟରେ ଏକ ଆଇଚର ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିବା ପରେ ପୁଲିସ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡ଼ିରୁ ୧୧୪୦ କେଜି ଗଞ୍ଜେଇ ଜବତ ହୋଇଥିଲା।ଏହି ଘଟଣାରେ ପୁଲିସ ମୋହତ ଦିଗାଲ (୨୮)ଙ୍କୁ ଗିରଫ କରାଯାଇଛି.ସେ କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଥାନା ଅଧୀନ ପାଙ୍ଗୁରୁମିଲା ଗ୍ରାମର ଗ୍ଲାଡୋ ଦିଗାଲଙ୍କ ପୁଅ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।ପୁଲିସ ଗଞ୍ଜେଇ ସହିତ NL-01-AF-2105 ନମ୍ବର ଏକ ଆଇଚର ଗାଡ଼ି ଓ ଗୋଟିଏ ଭିଭୋ ସ୍ମାର୍ଟଫୋନ୍ ମଧ୍ୟ ଜବତ କରିଛି। ଏହି ଗଞ୍ଜେଇ କେଉଁଠାରୁ ଆସିଥିଲା, କେଉଁ ସ୍ଥାନକୁ ଚାଲାଣ କରାଯାଉଥିଲା ଏବଂ ଏହା ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

ଏନେଇ ତୁମୁଡ଼ିବନ୍ଧ ଥାନାରେ କେସ୍ ନମ୍ବର ୧୨୨, ତାରିଖ ୧୯/୦୯/୨୦୨୬ରେ NDPS ଆଇନର ଧାରା ୨୦(ବି)(ii)(C) ଅନୁଯାୟୀ ମାମଲା ରୁଜୁ ହୋଇଛି। ମାମଲାର ତଦନ୍ତ ତୁମୁଡ଼ିବନ୍ଧ ଥାନା ଆଇଆଇସି ନିରଞ୍ଜନ ଦାସ କରୁଛନ୍ତି।ବିପୁଳ ପରିମାଣର ଗଞ୍ଜେଇ ଜବତ ଘଟଣା ପରେ ଅଞ୍ଚଳରେ ଚୋରାଚାଲାଣକାରୀଙ୍କ ମଧ୍ୟରେ ଚାପ ସୃଷ୍ଟି ହୋଇଛି। ଗଞ୍ଜେଇ ଚୋରାଚାଲାଣର ମୁଖ୍ୟ ନେଟୱର୍କ ଏବଂ ଏହା ସହ ଜଡ଼ିତ ଅନ୍ୟ ବ୍ୟକ୍ତିଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।






