ଅଚ୍ୟୁତ ଜାନୀ/ସ୍ଵତନ୍ତ୍ର ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ:
କନ୍ଧମାଳ ଜିଲ୍ଲାର ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଂଶୋଧିତ ଚୂଡ଼ାନ୍ତ ଭୋଟର ତାଲିକା ସୋମବାର ପ୍ରକାଶ ପାଇଛି। ଫୁଲବାଣୀ କଲେକ୍ଟରେଟ୍ସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚୂଡ଼ାନ୍ତ ତାଲିକା ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ତାଲିକାର ସିଡି ଓ ହାର୍ଡ କପି ପ୍ରଦାନ କରାଯାଇଥିଲା। ଚୂଡ଼ାନ୍ତ ତାଲିକା ଅନୁଯାୟୀ ଜିଲ୍ଲାରେ ମୋଟ ଭୋଟର ସଂଖ୍ୟା ୫,୩୪,୨୨୬ରେ ପହଞ୍ଚିଛି। ଏଥିରେ ୨,୬୧,୫୧୬ ଜଣ ପୁରୁଷ, ୨,୭୨,୬୩୮ ଜଣ ମହିଳା ଏବଂ ୭୨ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। ଅର୍ଥାତ୍ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ୧୧,୧୨୨ ଅଧିକ ରହିଛି।

ଭୋଟରଙ୍କ ସୁବିଧା ଓ ନିର୍ବାଚନୀ ପରିଚାଳନାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ବୁଥ୍ ସଂଖ୍ୟା ୬୬୧ରୁ ୮୧୨କୁ ବୃଦ୍ଧି କରାଯାଇଛି। ନିର୍ବାଚନମଣ୍ଡଳୀ ଅନୁଯାୟୀ ୮୨-ବାଲିଗୁଡ଼ା (ଏସ୍ଟି)ରେ ମୋଟ ୧,୫୭,୦୯୧ ଭୋଟର ଥିବାବେଳେ ପୁରୁଷ ୭୫,୬୧୭, ମହିଳା ୮୧,୪୫୨ ଓ ତୃତୀୟ ଲିଙ୍ଗୀ ୨୨ ଜଣ ଅଛନ୍ତି। ଏଠାରେ ୨୩୮ଟି ବୁଥ୍ ରହିଛି। ୮୩-ଜି.ଉଦୟଗିରି (ଏସ୍ଟି)ରେ ମୋଟ ୧,୯୩,୨୩୪ ଭୋଟରଙ୍କ ମଧ୍ୟରେ ପୁରୁଷ ୯୫,୦୦୭, ମହିଳା ୯୮,୧୯୫ ଓ ତୃତୀୟ ଲିଙ୍ଗୀ ୩୨ ଜଣ ଥିବାବେଳେ ୨୯୧ଟି ବୁଥ୍ ରହିଛି। ସେହିପରି ୮୪-ଫୁଲବାଣୀ (ଏସ୍ଟି)ରେ ମୋଟ ୧,୮୩,୯୦୧ ଭୋଟରଙ୍କ ମଧ୍ୟରେ ପୁରୁଷ ୯୦,୮୯୨, ମହିଳା ୯୨,୯୯୧ ଓ ତୃତୀୟ ଲିଙ୍ଗୀ ୧୮ ଜଣ ଅଛନ୍ତି। ଏଠାରେ ୨୮୩ଟି ବୁଥ୍ ରହିଛି।

ଗତ ଜୁଲାଇ ୫ରୁ ଅଗଷ୍ଟ ୧୯ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଅବଧିରେ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ୨,୭୭୧ଟି ଫର୍ମ-୬ ମିଳିଥିଲା। ଯାଞ୍ଚ ପରେ ୨,୫୮୦ଟି ଆବେଦନ ଗ୍ରହଣ କରାଯାଇଛି। ଏହାଛଡ଼ା ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ ପାଇଁ ୩୯,୬୩୬ଟି ଫର୍ମ-୭ ଏବଂ ତ୍ରୁଟି ସଂଶୋଧନ ପାଇଁ ୨,୯୭୫ଟି ଫର୍ମ-୮ ଗ୍ରହଣ କରାଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ, ଆଇଏଏସ୍ ପ୍ରଶିକ୍ଷଣରତ ଜସକରଣ ସିଂ, ଉପଜିଲ୍ଲାପାଳ ତଥା ଇଆରଓ ଭିକାରୀ ସାହୁ, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ଯୁଧିଷ୍ଠିର ମେହେର, ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ, ଇଓ ସମରେଶ ମହାନ୍ତି, ଆସିଷ୍ଟାଣ୍ଟ କଲେକ୍ଟର କୁମୁଦିନୀ ମଲ୍ଲିକ, ଡେପୁଟି କଲେକ୍ଟର ଅଙ୍କିତ ଜେନା, ଡିଆଇପିଆରଓ ନଳିନୀକାନ୍ତ ସାହୁ ଓ ଏସ୍ଡିଆଇପିଆରଓ ଅତିନିଏଲ ନାଇକାଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆପ୍ ପ୍ରତିନିଧି ଗିରିଶ ପଟ୍ଟନାୟକ, ବିଜେପି ପ୍ରତିନିଧି ଲିଙ୍ଗରାଜ ଦଳବେହେରା ଓ କଂଗ୍ରେସ ପ୍ରତିନିଧି ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଚୂଡ଼ାନ୍ତ ଭୋଟର ତାଲିକା ଗ୍ରହଣ କରିଥିଲେ।






