ସୁନୀଲ କୁମାର ବିଶି/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି /ସମୀକ୍ଷା ନ୍ୟୁଜ:
ଭବାନୀପାଟଣା, ୨୧/୯/୨୦୨୬: ବଙ୍ଗୋପସାଗରରେ ଗଭୀର ଅବପାତ ଯୋଗୁଁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ଝଡ଼ବର୍ଷାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଅରେଞ୍ଜ ଓ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି।

କଳାହାଣ୍ଡି ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ୨୨ ସେପ୍ଟେମ୍ବରରୁ ୨୫ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଛୁଟିରେ ଥିବା କର୍ମଚାରୀମାନେ ତୁରନ୍ତ ନିଜ ମୁଖ୍ୟାଳୟକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏଥିସହ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଜିଲ୍ଲାପାଳଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ନଯିବାକୁ ନିର୍ଦ୍ଦେଶ ରହିଛି। ଆଦେଶର ଉଲ୍ଲଂଘନ ହେଲେ ତାହାକୁ ଗୁରୁତ୍ୱର ସହ ବିଚାର କରାଯିବ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି।
ଭାରି ବର୍ଷା, ବଜ୍ରପାତ ଓ ଝଡ଼ବର୍ଷା ସମୟରେ ଜିଲ୍ଲାରେ ରିଲିଫ୍ ଓ ଜରୁରୀକାଳୀନ ସେବାକୁ ସକ୍ରିୟ ରଖିବା ଏବଂ ଯେକୌଣସି ଆପଦକାଳୀନ ପରିସ୍ଥିତିର ତୁରନ୍ତ ମୁକାବିଲା ପାଇଁ ଏହି ପଦକ୍ଷେପ ନିଆଯାଇଛି।





