ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ;
କନ୍ଧମାଳ ଜିଲ୍ଲାରେ ସିକଲ୍ ସେଲ୍ ରୋଗର ସ୍କ୍ରିନିଂ, ନିରାକରଣ ଓ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଆଇସିଏମଆର୍ NHRP-SCD ଅଧୀନସ୍ଥ ‘ସାହାୟ’ (SAHAY) ପ୍ରକଳ୍ପର ଶୁଭାରମ୍ଭ ମଙ୍ଗଳବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। କେନ୍ଦ୍ର ସରକାରଙ୍କ ‘ଜାତୀୟ ସିକଲ୍ ସେଲ୍ ଆନିମିଆ ନିରାକରଣ ମିଶନ୍’ (NSCAEM)ର ଲକ୍ଷ୍ୟକୁ ସାକାର କରିବା ପାଇଁ ଏହି ବହୁକେନ୍ଦ୍ରକ ଅନୁସନ୍ଧାନମୂଳକ ପ୍ରକଳ୍ପ ଓଡ଼ିଶା ସମେତ ଦେଶର ୬ଟି ପ୍ରମୁଖ ରାଜ୍ୟରେ କାର୍ଯ୍ୟକାରୀ ହେଉଛି।

ଓଡ଼ିଶାରେ ଏହାର ନେତୃତ୍ୱ ଭୁବନେଶ୍ୱରସ୍ଥିତ ଆଇସିଏମଆର୍-ଏନଆଇଏଚଆର୍ର ମୁଖ୍ୟ ଅନୁସନ୍ଧାନକାରୀ ତଥା ବୈଜ୍ଞାନିକ ଡାକ୍ତର ମଧୁସ୍ମିତା ବଳ ନେଉଛନ୍ତି। କନ୍ଧମାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ନିଜ ବକ୍ତବ୍ୟରେ ସେ ସିକଲ୍ ସେଲ୍ ରୋଗର ପ୍ରତିରୋଧ ସହ ଶୀଘ୍ର ଚିହ୍ନଟ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରକଳ୍ପ ମାଧ୍ୟମରେ କନ୍ଧମାଳର ସମସ୍ତ ବ୍ଲକ୍ରେ ସିକଲ୍ ସେଲ୍ ଆକ୍ରାନ୍ତଙ୍କ ପାଇଁ ଏକ ସମନ୍ୱିତ ଓ ଦୀର୍ଘମିଆଦୀ ଚିକିତ୍ସା ମଡେଲ୍ ପ୍ରସ୍ତୁତ କରାଯିବ। ଉଦ୍ଘାଟନୀ ସମାରୋହ ପରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଓ ଜିଏମସିଏଚ୍, ଫୁଲବାଣୀର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ସିକଲ୍ ସେଲ୍ ରୋଗୀଙ୍କ ଚିକିତ୍ସାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ନେଇ ଆଲୋଚନା କରିଥିଲେ।

ଏଥିରେ CDM & PHO ଡାକ୍ତର ଅଞ୍ଜଳି ଶତପଥୀ, DMO ଡାକ୍ତର ଅକ୍ଷୟ କୁମାର ସାହୁ, DPHO ଡାକ୍ତର କଲ୍ୟାଣୀ ମିଶ୍ର, ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ପ୍ରଦୀପ କୁମାର ପାଢ଼ୀ, ପାଥୋଲୋଜି ବିଶେଷଜ୍ଞ ଡାକ୍ତର ଜୟଦୀପ ଘୋଷ ଏବଂ କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଡାକ୍ତର ମମତା ରାଣୀ ଗିରି ପ୍ରମୁଖ ଯୋଗଦେଇ ମତାମତ ରଖିଥିଲେ। କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅତିନିଏଲ ନାଇକାଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ଜିଲ୍ଲାର ସମସ୍ତ ବ୍ଲକ୍ର ପ୍ରୋଗ୍ରାମ ମ୍ୟାନେଜର, ଜନସ୍ୱାସ୍ଥ୍ୟ ଅଧିକାରୀ ଓ ଚିକିତ୍ସା ଅଧିକାରୀମାନେ ଯୋଗଦେଇଥିଲେ।
ପ୍ରାରମ୍ଭରେ ଡାକ୍ତର ଜ୍ୟୋତି ଘୋଷାଲ ପ୍ରକଳ୍ପର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିବାବେଳେ ଶେଷରେ ଡାକ୍ତର ଐଶ୍ୱର୍ଯ୍ୟା ଅଶ୍ୱିନୀ ସାମଲ କୃତଜ୍ଞତା ଜ୍ଞାପନ କରିଥିଲେ।






