ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨୮/୯/୨୬ – ମୟୂରଭଞ୍ଜ ଜ଼ିଲ୍ଲାର ୪ର୍ଥ ବନ୍ୟା ପ୍ରଭାବିତ ବଡ଼ସାହି ବ୍ଲକ୍ ରେ ବନ୍ୟା ପ୍ରଭାବିତ ପରିବାରମାନଙ୍କ ପାଖରେ ସହାୟତାର ହାତ ବଢ଼ାଇଛି ଜଷ୍ଟ ରାଇଟ୍ସ ଫୋର ଚିଲଡ୍ରେନ (ଜେଆରସି) ସହଯୋଗରେ ବସ୍ତି ଏରିଆ ଡେଭେଲପମେଣ୍ଟ କାଉନସିଲ (ବିଏଡିସି), ମୟୂରଭଞ୍ଜ । ବିଗତ ବର୍ଷାରେ ବଡ଼ସାହି ବ୍ଲକର ସର୍ବାଧିକ ବନ୍ୟା ପ୍ରଭାବିତ ମାନଗୋବିନ୍ଦପୁର ପଞ୍ଚାୟତର ମିରିଗୀଦାରୀ ଗ୍ରାମ ଏବଂ ଚନ୍ଦନପୁର ପଞ୍ଚାୟତର ମହୁପୁରା, ଚନ୍ଦନପୁର ଗ୍ରାମର ଓ ଚନ୍ଦନପୁର ହରିଜନ ସାହି ଏବଂ ବିଦ୍ୟାଧର ଖୁଣ୍ଟା ଗ୍ରାମରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏଠାରେ ଅନୁଷ୍ଠିତ ତିନୋଟି ରିଲିଫ୍ କ୍ୟାମ୍ପରେ ଅନୁନ୍ୟ ୮୦୦ ଲୋକଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା I ଏହି ପରିପେକ୍ଷୀରେ ବିଏଡିସି ଓ ଜେଆରସିର ଉଦ୍ୟମରେ ବନ୍ୟା ପ୍ରଭାବିତ ପରିବାରମାନଙ୍କୁ ଶୁଖିଲାଖାଦ୍ୟ ବଣ୍ଟନ କରାଯାଇଛି । ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ବିଏଡିସି/ ଜେଆରସିର ସଂପାଦକ ଗୋପାଳ କୃଷ୍ଣ କରଙ୍କ ନେତୃତ୍ୱରେ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟମାନେ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ପରିବାରମାନଙ୍କ ସହ ଆବଶ୍ୟକୀୟ ଆଲୋଚନା କରିଥିଲେ । ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବିଷୟରେ ଜାଣିବା ପରେ ଶୁଖିଲାଖାଦ୍ୟ ସହ ଅନ୍ୟାନ୍ୟ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ଅତ୍ୟଧିକ ପ୍ରଭାବିତ ପରିବାରଙ୍କୁ ବଣ୍ଟନ କରିବା ନିଷ୍ପତ୍ତି ନିଆଯାଇଥିଲା । ବିପଦ ସମୟରେ ଅସହାୟ ଓ ପ୍ରଭାବିତ ପରିବାରମାନଙ୍କ ପାଖରେ ଠିଆ ହୋଇ ସେମାନଙ୍କୁ ସହଯୋଗ କରିବା ସହିତ ଆବଶ୍ୟକ ସହାୟତା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏଭଳି କଠିନ ସମୟରେ ପ୍ରଭାବିତ ପରିବାରଙ୍କ ପାଖରେ ପହଞ୍ଚି ସହାୟତା ଯୋଗାଇଦେବା ପାଇଁ ବିଏଡିସି/ ଜେଆରସି ପକ୍ଷରୁ ଏହି ପଦକ୍ଷେପକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଥିବା ଜଣାପଡିଛି । ଏହି ବନ୍ୟା ଅନେକଙ୍କ ଫସଲ ଓ ଚାଷ ମଧ୍ୟ ଉଜାଡ଼ି ଦେଇଛି । ପ୍ରଶାସନିକ ସହାୟତା ଯାହା ରହିଥିଲେ ମଧ୍ୟ ପାରିଶ୍ରମିକ ମୂଲ୍ୟ କେମିତି ଆସିବ ତାହା ନେଇ ବନ୍ୟା କ୍ଷତିଗ୍ରସ୍ତ ଚାଷୀ ଆଶାବାଦୀ ଥିବା ଜଣାପଡିଛି ।






