ରଞ୍ଜନ ହୋତା/ସ୍ୱତନ୍ତ୍ର ପ୍ରତିନିଧି/ସୁବର୍ଣ୍ଣପୁର:
ସ୍ଥାନୀୟ ମଡେଲ ଡିଗ୍ରୀ କଲେଜ୍ ରେ ଶକ୍ତିଶ୍ରୀ ଆନୁକୁଲ୍ୟରେ ଦୀର୍ଘ ଛ’ ଦିନ ଧରି ଚାଲିଥିବା ଆତ୍ମ ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମହାନ୍ତିଙ୍କ ସଭାପତିତ୍ବରେ ଉଦଯାପିତ ହୋଇଯାଇଛି। ସୂଚନା ଥାଉ କି, ସେପ୍ଟେମ୍ବର ୦୭ ରୁ ୧୨ତାରିଖ ଯାଏ ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରକୁ ପ୍ରଶିକ୍ଷିକା ତୃପ୍ତି ନାଏକ ୧୩୦ଜଣ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ସଭାରେ ସଂଯୋଜିକା ଅଧ୍ୟାପିକା କମଳା ସିଂହ ଶକ୍ତିଶ୍ରୀର ଆଭିମୁଖ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବାକୁ ଯାଇ କହିଥିଲେ ଯେ, ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କ ସୁରକ୍ଷା, ସଶକ୍ତିକରଣ ଓ ନେତୃତ୍ୱ ବିକାଶ ନିମନ୍ତେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଛାତ୍ରୀ ସଶକ୍ତିକରଣ ସେଲ୍, ଶ୍ରେଣୀ ଗୃହରେ ଛାତ୍ରୀ ନେତୃତ୍ୱର ଗୁରୁତ୍ବ, ଆତ୍ମରକ୍ଷାର ବିକାଶ ଏବଂ ସୁରକ୍ଷିତ କ୍ୟାମ୍ପସ ପରି ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡକ୍ଟର ସନ୍ତୋଷ ଭୋଇ, ଅଧ୍ୟାପକ କେଶବ ଭୂଏ, ସୁଶ୍ରୀ ପ୍ରିୟଦର୍ଶିନୀ ଘଡେଇ, ବନମାଳୀ ବାଘ, ରମେଶ ସେଠୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।






