ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ:
ଝାରସୁଗୁଡ଼ା,୭/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର ଅବିରତ ଜନସେବା ଓ ରାଷ୍ଟ୍ରସେବାର ଯାତ୍ରାକୁ ସ୍ମରଣ ଓ ସମ୍ମାନ ଜଣାଇ ଭାରତୀୟ ଜନତା ପାର୍ଟି, ଝାରସୁଗୁଡ଼ା ପକ୍ଷରୁ ବୁଧବାର ‘ସେବା ଜ୍ୟୋତି’ ପଦଯାତ୍ରା ଅନୁଷ୍ଠିତ ହୋଇଛି l ସକାଳେ ସ୍ଥାନୀୟ ରେଳୱେ ଷ୍ଟେସନ ଦୁର୍ଗା ମନ୍ଦିର ନିକଟରେ ବାହାରିଥିବା ଏହି ପଦଯାତ୍ରା ମନମୋହନ ସ୍କୁଲ ପଡ଼ିଆରେ ପହଞ୍ଚିଥିଲା l ପଦଯାତ୍ରାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ, ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ ରାୟଙ୍କ ସମେତ ବହୁ ଦଳୀୟ ନେତା, କର୍ମୀ ଓ ଜନସାଧାରଣ ସାମିଲ ହୋଇଥିଲେ l

ପଦଯାତ୍ରା ଶେଷରେ ମନମୋହନ ସ୍କୁଲ ପଡ଼ିଆରେ ‘ବିକଶିତ ଭାରତ ସଂକଳ୍ପ ସଭା’ ଅନୁଷ୍ଠିତ ହୋଇଥିଲା l ସଭାରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୃଢ଼ ନେତୃତ୍ୱ ଓ ନିରନ୍ତର ଦେଶସେବା ଯୋଗୁଁ ଭାରତ ବିଶ୍ୱମଞ୍ଚରେ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିଛି l ମୋଦି ଦେଖିଥିବା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ l ବିଧାୟକ ଟଙ୍କଧର ତ୍ରିପାଠୀ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ଦେଶସେବା ଓ ଦୃଢ଼ ନେତୃତ୍ୱ ଏକ ବିକଶିତ ଓ ଆତ୍ମନିର୍ଭର ଭାରତ ଗଠନ ପାଇଁ ଦେଶବାସୀଙ୍କୁ ପ୍ରେରଣା ଦେଉଛି l ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକତ୍ରିତ ହୋଇ ନିଃସ୍ୱାର୍ଥ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ l ନଭଲ ଅଗ୍ରୱାଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନୀଲ ପଣ୍ଡା, ସାମଲ ନାୟକ, ସଂଯୁକ୍ତା ଓରାମ, ବଳବିନ୍ଦର ସିଂ ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମୀ କାର୍ଯ୍ୟକ୍ରମରେ ଯୋଗ ଦେଇ ସହଯୋଗ କରିଥିଲେ l




