ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୦୭/୧୦/୨୦୨୬ – ବଡ଼ସାହି ବ୍ଲକ୍ ଅଧିନସ୍ଥ ମାଣତ୍ରୀ ଏସ ଏସ ଡି ବାଳିକା ହାଇସ୍କୁଲ ହଷ୍ଟେଲର ୪୬ ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ଜଣାପଡିଛି ।

ମାଣତ୍ରୀସ୍ଥ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲର ରାତି ଖାଦ୍ୟ ଖାଇ ବୁଧବାର ସକାଳୁ ୪୬ ଛାତ୍ରୀ ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ମାଣତ୍ରୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ୮ ଜଣ ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ୧୧ ଛାତ୍ରୀ ଙ୍କର ଚିକିତ୍ସା ହେଉଥିବା ବେଳେ ଆଉ ୨୭ ଜଣ ଛାତ୍ରୀ ହଷ୍ଟେଲ ଭିତରେ ଚିକିତ୍ସା କରାଯାଉଛି । ଏଥିପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସେଠାରେ ଉପସ୍ଥିତ ରହି ଚିକିତ୍ସା କରୁଥିବା ବେଳେ ସମସ୍ତ ଚିକିତ୍ସାଧୀନ ଛାତ୍ରୀ ପ୍ରାୟ ବିପଦ ମୁକ୍ତ ରହିଛନ୍ତି ବୋଲି ସୂଚନା ମିଳିଛି ।ଗତକାଲି ରାତିରେ ଖାଇଥିବା ଖାଦ୍ୟରେ କୌଣସି ବିଷକ୍ରିୟା କିମ୍ବା ଦୂଷିତ ପାଣିର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଏପରି ଅଘଟଣ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଖବର ପାଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହ ମାଣତ୍ରୀ ଡାକ୍ତରଖାନାରେ ପହଞ୍ଚି ଆକ୍ରାନ୍ତ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହିତ ସେମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ ।ପରେ ଛାତ୍ରୀନିବାସକୁ ଯାଇ ରୋଷେଇଘର, ଡାଇନିଂ ହଲ୍ ଓ ପାନୀୟ ଜଳର ବ୍ୟବସ୍ଥା ଅନୁଧ୍ୟାନ କରିବା ସହିତ ଖାଦ୍ୟ,ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।





