ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:
ନୂଆଗାଁ, ୦୭/୧୦: କେଉଁଠି ପାଇଖାନାର ଟିଣ ଛପର ଉଡ଼ିଗଲାଣି, କେଉଁଠି ଶୌଚାଳୟ ଅଛି କିନ୍ତୁ ଟାଙ୍କି ନାହିଁ, ଆଉ କେଉଁଠି ବାଉଁଶ ଖୁଣ୍ଟରେ ଭରା ଦେଇ ରହିଛି ନିର୍ମାଣ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ଆଦିବାସୀ ବହୁଳ ବେରୁଆବାରୀ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନରେ ନିର୍ମିତ କେତେକ ପାଇଖାନାର ଏଭଳି ଅବସ୍ଥା ଦେଖିବାକୁ ମିଳିଛି। କେତେକ ପାଇଖାନା ନିର୍ମାଣ ପରଠାରୁ ଦିନଟିଏ ମଧ୍ୟ ବ୍ୟବହାରରେ ଆସିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମାଞ୍ଚଳକୁ ଖୋଲା ଶୌଚମୁକ୍ତ କରିବା ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟରେ ସ୍ୱଚ୍ଛ ଭାରତ ଅଭିଯାନରେ ଶୌଚାଳୟ ସମେତ ବିଭିନ୍ନ ପରିମଳ ପ୍ରକଳ୍ପ କରାଯାଇଛି। ଏଥିପାଇଁ ସରକାରୀ ଅର୍ଥ ଖର୍ଚ୍ଚ ହୋଇଥିବା ବେଳେ ନିର୍ମିତ ସୁବିଧା ଯଦି ଲୋକଙ୍କ ବ୍ୟବହାରରେ ନଆସେ, ତେବେ ଯୋଜନାର ମୂଳ ଉଦ୍ଦେଶ୍ୟ କିପରି ସାଧିତ ହେବ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

ଏହାର ଏକ ଉଦାହରଣ ବେରୁଆବାରୀ ପଞ୍ଚାୟତର ଚାମୁଣ୍ଡାମଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମରେ ଚାରିଟି ପରିବାର ବସବାସ କରୁଥିବା ବେଳେ ୨୦୧୮-୧୯ ମସିହାରେ ଗାଁର ଦୁଇ ମୁଣ୍ଡରେ ଦୁଇଟି ଲେଖାଏଁ ପାଇଖାନା ନିର୍ମାଣ ହୋଇଥିବା କୁହାଯାଉଛି। ସେଥିମଧ୍ୟରେ ଉପେନ୍ଦ୍ର ଜାନୀ ଓ ଇଦୁମତୀ ଜାନୀଙ୍କ ନାମରେ ପାଇଖାନା ରହିଥିବା ବେଳେ ସେଗୁଡ଼ିକ ନିର୍ମାଣ ପରଠାରୁ ବ୍ୟବହାରରେ ଆସିନଥିବା ଗ୍ରାମବାସୀ କହିଛନ୍ତି।
କେତେକ ସ୍ଥାନରେ ପାଇଖାନାକୁ ବାଉଁଶ ଖୁଣ୍ଟରେ ଭରା ଦିଆଯାଇଥିବା ସହ ଟିଣ ଛପରର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ବର୍ଷ ବର୍ଷ ଧରି ଏଗୁଡ଼ିକ ଏଭଳି ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଥିବାରୁ ନିର୍ମାଣ ସମୟରେ କାର୍ଯ୍ୟର ଗୁଣବତ୍ତା ଓ ପରବର୍ତ୍ତୀ ତଦାରଖ ଠିକ୍ ଭାବେ ହୋଇଥିଲା କି ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି।
କେବଳ ଚାମୁଣ୍ଡାମଡ଼ା ନୁହେଁ, ପଞ୍ଚାୟତର ଅନ୍ୟ କେତେକ ଗ୍ରାମରେ ମଧ୍ୟ ଏହିଭଳି ଅବ୍ୟବହୃତ ଓ ଅସମ୍ପୂର୍ଣ୍ଣ ପାଇଖାନା ରହିଥିବା ଅଭିଯୋଗ ହୋଇଛି। ନିର୍ମାଣରେ ତ୍ରୁଟି ସହ ହିତାଧିକାରୀଙ୍କ ମଧ୍ୟରେ ବ୍ୟବହାର ସମ୍ପର୍କିତ ସଚେତନତାର ଅଭାବ ଏହାର କାରଣ କି ନୁହେଁ, ତାହା ମଧ୍ୟ ଯାଞ୍ଚସାପେକ୍ଷ।
ଅନ୍ୟପକ୍ଷରେ ଏହି କାର୍ଯ୍ୟଗୁଡ଼ିକରେ ସରକାରୀ ଅର୍ଥର ସଠିକ୍ ବିନିଯୋଗ ହୋଇଛି କି ନାହିଁ, ନିର୍ମାଣ ପରେ କାର୍ଯ୍ୟଗୁଡ଼ିକର ଯାଞ୍ଚ କିଏ କରିଥିଲେ ଏବଂ ଅବ୍ୟବହୃତ ପାଇଖାନା ପାଇଁ କାହାର ଦାୟିତ୍ୱ ରହିଛି—ଏସବୁର ତଦନ୍ତ ହେବା ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
ବେରୁଆବାରୀ ପଞ୍ଚାୟତରେ ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ କେତେ ପାଇଖାନା ଓ ଅନ୍ୟାନ୍ୟ ପରିମଳ ପ୍ରକଳ୍ପ ନିର୍ମାଣ ହୋଇଛି, ସେଥିପାଇଁ କେତେ ଅର୍ଥ ବ୍ୟୟ ହୋଇଛି ଏବଂ ବର୍ତ୍ତମାନ କେତୋଟି ବ୍ୟବହାରଯୋଗ୍ୟ ଅବସ୍ଥାରେ ଅଛି, ତାହାର ସ୍ଥଳ ଯାଞ୍ଚ କରାଯାଉ ବୋଲି ଦାବି ହୋଇଛି। ଯାଞ୍ଚରେ କୌଣସି ଅନିୟମିତତା ପ୍ରମାଣିତ ହେଲେ ଦାୟୀଙ୍କ ବିରୋଧରେ ନିୟମାନୁଯାୟୀ ପଦକ୍ଷେପ ନେବାକୁ ମଧ୍ୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।





