ଭୁବନେଶ୍ୱର/ ସମୀକ୍ଷା ନ୍ୟୁଜ ବ୍ୟୁରୋ/17/11/2026:
ବଙ୍ଗୋପସାଗରରେ ପୁଣି ଏକ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହୋଇଛି। ବାତ୍ୟାର ନାମ ରହିଛି ‘ଅକ୍ୱଭନ୍’ (AKVAN)। ଏହି ବାତ୍ୟାକୁ ନେଇ ଏବେ ଆନ୍ଧ୍ରପ୍ରଦେଶ ସମେତ ଓଡ଼ିଶାର ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ଚିନ୍ତା ବଢ଼ିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏନେଇ ଆଗୁଆ ସତର୍କ ସୂଚନା ଜାରି କରାଯାଇଛି। ନଭେମ୍ବର ମାସରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ଓ ପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ଧୀରେ ଧୀରେ ଏହାର ଶକ୍ତି ବୃଦ୍ଧି ପାଇ ଅବପାତ ଓ ଗଭୀର ଅବପାତରେ ପରିଣତ ହୋଇଥିଲା। ନଭେମ୍ବର ୧୬ ତାରିଖ ସନ୍ଧ୍ୟାରେ ଏହା ଘୂର୍ଣ୍ଣିବାତ୍ୟାର ରୂପ ନେଇ ‘ଅକ୍ୱାନ୍’ ନାମ ପାଇଛି। ଏହି ନାମ ଇରାନ ପ୍ରସ୍ତାବ ଦେଇଛି। ପାଣିପାଗ ବିଭାଗର ନଭେମ୍ବର ୧୭ ତାରିଖର ବୁଲେଟିନ୍ ଅନୁଯାୟୀ, ଏହି ବାତ୍ୟା ଆହୁରି ଶକ୍ତିଶାଳୀ ହେବାର ଆଶଙ୍କା ରହିଛି। ନଭେମ୍ବର ୧୭ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ନଭେମ୍ବର ୧୯ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେଇପାରେ।
ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିବାର ପୂର୍ବାନୁମାନ ରହିଛି। ପବନର ଝଟକା ୧୪୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ। IMDର ପୂର୍ବାନୁମାନ ଅନୁସାରେ, ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସମୟରେ ଆନ୍ଧ୍ରପ୍ରଦେଶ ଓ ୟାନମ୍ ଉପକୂଳର ନେଲୋର ଏବଂ ତୁନି ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିପାରେ। ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା, ଝଡ଼ପବନ ଓ ସମୁଦ୍ରରେ ଉଚ୍ଚ ଜୁଆର ଦେଖାଦେବାର ଆଶଙ୍କା ରହିଛି। ବାତ୍ୟା ଅକ୍ୱାନ୍ର ଗତିପଥ ଆନ୍ଧ୍ରପ୍ରଦେଶ ଆଡ଼କୁ ରହିଥିଲେ ମଧ୍ୟ ଓଡ଼ିଶା ଏଥିରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ନୁହେଁ। ବିଶେଷକରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ପାଗର ପରିବର୍ତ୍ତନ ହୋଇପାରେ। ନଭେମ୍ବର ୧୯ ଓ ୨୦ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳରେ ବର୍ଷାର ସମ୍ଭାବନା ରହିଛି। IMD ପକ୍ଷରୁ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ଅରେଞ୍ଜ ମେସେଜ୍ ଜାରି କରାଯାଇଛି। ବାତ୍ୟା ଅକ୍ୱାନ୍କୁ ଦୃଷ୍ଟିରେ ରଖି ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ରହିଛି। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ଏବଂ ସମୁଦ୍ରରେ ଥିବା ଡଙ୍ଗାଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ଫେରାଇ ଆଣିବା ପାଇଁ ସତର୍କ କରାଯାଇଛି। ବାତ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଅତ୍ୟନ୍ତ ଜରୁରୀ। ତଳିଆ ଅଞ୍ଚଳର ଲୋକଙ୍କ ସୁରକ୍ଷା, ଆଶ୍ରୟସ୍ଥଳୀ ପ୍ରସ୍ତୁତି, ରାସ୍ତାଘାଟ ଓ ବିଦ୍ୟୁତ୍ ବ୍ୟବସ୍ଥାର ସୁରକ୍ଷା ଏବଂ ଜରୁରୀକାଳୀନ ଉଦ୍ଧାର ବ୍ୟବସ୍ଥା ଉପରେ ପ୍ରଶାସନକୁ ଗୁରୁତ୍ୱ ଦେବାକୁ ପଡ଼ିବ। ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ନିରନ୍ତର ନଜର ରଖିଛି ପାଣିପାଗ ବିଭାଗ। ବାତ୍ୟାର ପ୍ରଭାବ କେତେ ଦୂର ପର୍ଯ୍ୟନ୍ତ ରହିବ, ତାହା ପରବର୍ତ୍ତୀ ପାଣିପାଗ ବୁଲେଟିନ୍ରୁ ଅଧିକ ସ୍ପଷ୍ଟ ହେବ।






