ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:
ବାଲିପାଟଣା ଗ୍ରାମର ପଞ୍ଚାନନ ସାହୁ ଓରଫ୍ ପାଗନାଙ୍କ ନିକଟରୁ ୧୮୦ ମିଲିଲିଟର ବିଶିଷ୍ଟ ମ୍ୟାକ୍ଡୋୱେଲ୍ସ ନଂ-୧ ସେଲିବ୍ରେସନ୍ ପ୍ରିମିୟମ୍ ରମ୍ ୫୬ ବୋତଲ ଏବଂ ଆସ୍କା-୪୦ ଦେଶୀ ମଦ ୫ ବୋତଲ ଜବତ ହୋଇଛି। ତାଙ୍କଠାରୁ ମୋଟ ୧୧ ଲିଟର ୮୦ ମିଲିଲିଟର ମଦ ଜବତ କରାଯାଇଛି। ଅନ୍ୟପକ୍ଷରେ ଖୁଣ୍ଟାଳ ଗ୍ରାମର ରଶ୍ମିତା ମହାନ୍ତିଙ୍କ ନିକଟରୁ ୨୦୦ ମିଲିଲିଟର ବିଶିଷ୍ଟ ଆସ୍କା-୪୦ ଦେଶୀ ମଦ ୪୫ ବୋତଲ, ଅର୍ଥାତ୍ ୯ ଲିଟର ମଦ ଜବତ କରାଯାଇଛି। ପୁଲିସର ପ୍ରାଥମିକ ତଦନ୍ତରୁ ଏକ ସଂଗଠିତ ବେଆଇନ ମଦ ଯୋଗାଣ ନେଟୱର୍କର ସନ୍ଦେହ କରାଯାଉଛି। ଏହି କାରବାରରେ ମଦ ସଂଗ୍ରହ, ପରିବହନ, ଗଚ୍ଛିତ ରଖିବା ଓ ବିକ୍ରି କରି ଆର୍ଥିକ ଲାଭ ଉଠାଯାଉଥିବା ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ତିନି ଅଭିଯୁକ୍ତଙ୍କୁ ୨୦ ନଭେମ୍ବରରେ ଗିରଫ କରାଯାଇ ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ଏହି ବେଆଇନ ମଦ କାରବାରରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହାର ତଦନ୍ତ ଜାରି ରହିଛି। ଏଥିସହ ଫେରାର ଥିବା ଜଣେ ଗାଡ଼ି ଚାଳକ ଏବଂ ଓଡି-୦୨-ସିଏଲ୍-୪୬୯୫ ନମ୍ବର ବିଶିଷ୍ଟ କିଆ କାର୍କୁ ଠାବ କରିବା ସହ ଜବତ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ଏନେଇ ତିର୍ତ୍ତୋଲ ଥାନାରେ କେସ୍ ନଂ-୫୦୩, ତାରିଖ ୨୦.୧୧.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୧(୨), ୧୧୨(୨), ୬୧(୨) ଏବଂ ଓଡ଼ିଶା ଅବକାରୀ ଆଇନ, ୨୦୦୮ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ତିର୍ତ୍ତୋଲ ଥାନା ପକ୍ଷରୁ ସୂଚନା ମିଳିଛି।






