ଜିତେନ୍ଦ୍ର ଗୌଡ଼ / ଦିଗପହଣ୍ଡି / ସମୀକ୍ଷା ନିୟୁଜ :
ଦିଗପହଣ୍ଡି(ଗଞ୍ଜାମ)-: ଜୀବନର ସୁବର୍ଣ୍ଣ ସମୟ ଶିକ୍ଷାଦାନରେ ବିତାଇବା ପରେ ଅବସର ନେଇଥିବା ଶିକ୍ଷକ ପ୍ରମୋଦ ପାତ୍ର ଏବଂ କପିଳେଶ୍ୱର ପାଢ଼ୀ ଙ୍କୁ ଏବେ ନିଜ ହକ୍ର ଅର୍ଥ ପାଇଁ କାର୍ଯ୍ୟାଳୟ ଦୁଆରେ ଦୁଆରେ ଘୁରିବାକୁ ପଡ଼ୁଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ (ବିଇଓ) କାର୍ଯ୍ୟାଳୟରେ ବକେୟା ଅର୍ଥ ପ୍ରଦାନକୁ ନେଇ ଏଭଳି ସଂଘିନ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, କିଛି ଶିକ୍ଷକ ଗତ ଏପ୍ରିଲ ମାସରୁ ଅବସର ନେଇସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ବକେୟା ଅର୍ଥ ପାଇପାରିନାହାନ୍ତି ଏପରିକି ଆଜିକି ଛ ମାସ ହେଲାଣି ଏକ ଟଙ୍କା ପେନସନ ଆକାରରେ ଵି ମିଳୁନି । ନିଜ ପ୍ରାପ୍ୟ ଟଙ୍କା ପାଇଁ ବାରମ୍ବାର ବିଇଓ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ସେମାନେ ନୟାନ୍ତ ହୋଇପଡ଼ିଥିବା ପ୍ରକାଶ କରିଛନ୍ତି। ଶେଷରେ ନିରାଶ ହୋଇ ଲୋତକଭରା ଆଖିରେ ଗଣମାଧ୍ୟମ ସମ୍ମୁଖରେ ନିଜ ଦୁଃଖ ପ୍ରକାଶ କରିଛନ୍ତି । ଅବସର ପରେ ଜଣେ କର୍ମଚାରୀଙ୍କୁ ଆର୍ଥିକ ହଇରାଣିରୁ ମୁକ୍ତ ରଖିବା ଏବଂ ତାଙ୍କର ପ୍ରାପ୍ୟ ଅର୍ଥ ଯଥାଶୀଘ୍ର ପ୍ରଦାନ କରିବା ସରକାରୀ ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ । ମାତ୍ର ଦିଗପହଣ୍ଡି ବିଇଓ କାର୍ଯ୍ୟାଳୟରେ ଏହାର ବିପରୀତ ଚିତ୍ର ଦେଖାଯାଉଥିବା ଅଭିଯୋଗ ହୋଇଛି।

ଏପରିକି କିଛି ଆର୍ଥିକ ଲାଳସା କାରଣରୁ ଜାଣିଶୁଣି ବିଳମ୍ବ କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ଉଠିଛି । ତେବେ ଏହି ଅଭିଯୋଗର ସତ୍ୟତା କ’ଣ, ତାହା ନିରପେକ୍ଷ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ବର୍ତ୍ତମାନ ଅବସର ନେଉଥିବା ଅନେକ ଶିକ୍ଷକ ଏନପିଏସ୍ (NPS) ବ୍ୟବସ୍ଥାରେ ଥିବାରୁ ପୁରୁଣା ପେନସନ ବ୍ୟବସ୍ଥାର ସୁବିଧା ପାଉନଥିବା ଅଭିଯୋଗକାରୀମାନେ କହିଛନ୍ତି । ଅବସର ବୟସରେ ପରିବାରର ଗୁଜୁରାଣ, ଚିକିତ୍ସା ଓ ଔଷଧ ଖର୍ଚ୍ଚ ଭଳି ନିତ୍ୟ ଆବଶ୍ୟକତା ମଧ୍ୟରେ ନିଜ ପ୍ରାପ୍ୟ ଅର୍ଥ ପାଇଁ ଏଭଳି ଦୌଡ଼ିବା ସେମାନଙ୍କ ମାନସିକ ଯନ୍ତ୍ରଣାକୁ ଆହୁରି ବଢ଼ାଇଦେଇଛି। ଅବସର ପରେ ଶାନ୍ତିରେ ଜୀବନ ବିତାଇବା ବଦଳରେ ନିଜ ହକ୍ର ଅର୍ଥ ପାଇଁ ଦପ୍ତର ଦୁଆରେ ଦୁଆରେ ଘୁରିବାକୁ ପଡ଼ୁଥିବା ଘଟଣାକୁ ନେଇ ଶିକ୍ଷକ ମହଲରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ବକେୟା ଅର୍ଥ ପ୍ରଦାନ ସହ ବିଳମ୍ବର କାରଣ ସ୍ପଷ୍ଟ କରିବାକୁ ଦାବି ହୋଇଛି।

ଏହି ସମସ୍ୟାର ଶୀଘ୍ର ସମାଧାନ ନହେଲେ ସମ୍ପୃକ୍ତ ଅବସରପ୍ରାପ୍ତ ଶିକ୍ଷକମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି। ଅବସରପ୍ରାପ୍ତ ଶିକ୍ଷକଙ୍କ ଆଖିର ଲୁହ ଶୁଖିବ କେବେ ଏବଂ ତାଙ୍କର ପ୍ରାପ୍ୟ ଅର୍ଥ ମିଳିବ କେବେ—ଏବେ ଏହା ହିଁ ବଡ଼ ପ୍ରଶ୍ନ ।






