ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ:
ବାତ୍ୟାର ପ୍ରଭାବରେ ପ୍ରକୃତିର ରୂଦ୍ରରୂପ! ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନର ଆଶଙ୍କା ଦେଖାଦେବା ପରେ କନ୍ଧମାଳର ଗୁରୁତ୍ୱପୂର୍ଣ୍ଣ କଳିଙ୍ଗା ଘାଟି ରାସ୍ତାରେ ଲାଗିଛି ସମ୍ପୂର୍ଣ୍ଣ କଟକଣା। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଘାଟି ଦେଇ ସମସ୍ତ ପ୍ରକାର ଯାତାୟାତକୁ ନିଷିଦ୍ଧ କରିଛି କନ୍ଧମାଳ ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆଦେଶନାମା ସଂଖ୍ୟା ୯୮୮/Emg., ତାରିଖ ୨୪/୦୯/୨୦୨୬ ଅନୁଯାୟୀ ଏହି କଟକଣା ଜାରି ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ସୂଚନା ଅନୁସାରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଥିବାରୁ ପାହାଡ଼ିଆ ରାସ୍ତାରେ ସମ୍ଭାବ୍ୟ ବିପଦକୁ ନେଇ ପ୍ରଶାସନ ସତର୍କ ହୋଇଛି। ବିଶେଷକରି କଳିଙ୍ଗା ଘାଟିର ଅନ୍ଧାରିକୋଟ ନିକଟରେ ଥିବା ସୁରକ୍ଷା ପ୍ରାଚୀର (ଗାର୍ଡ ୱାଲ୍) ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ଭୂସ୍ଖଳନର ଆଶଙ୍କା ଅଧିକ ରହିଛି। ଏଭଳି ସ୍ଥିତିରେ ଯାତାୟାତ ଜାରି ରହିଲେ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପ୍ରଶାସନ ତୁରନ୍ତ କଠୋର ପଦକ୍ଷେପ ନେଇଛି।

ଘାଟି ରାସ୍ତାରେ ପୋଲିସ ମୁତୟନ କରି ଯାତାୟାତ ଉପରେ ନଜର ରଖିବା ସହ ଚାଲିଥିବା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟକୁ ମଧ୍ୟ ତୁରନ୍ତ ବନ୍ଦ କରିବା ସହିତ ଅଘଟଣ ଉପରେ ନଜର ରଖିବାକୁ ସମ୍ବଲପୁର ଏନ୍ଏଚ୍ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଏହାସହ ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବାକୁ କୁହାଯାଇଛି। ଜିଲ୍ଳାର ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ସତର୍କ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣଙ୍କ ପାଇଁ ସତର୍କ ସୂଚନା: ପ୍ରଶାସନର ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କୌଣସି ବ୍ୟକ୍ତି କଳିଙ୍ଗା ଘାଟି ରାସ୍ତାରେ ଯାତାୟାତ ନକରିବାକୁ ଅନୁରୋଧ କରାଯାଇଛି। ପ୍ରବଳ ବର୍ଷା ସମୟରେ ପାହାଡ଼ ଅଞ୍ଚଳରେ ଭୂସ୍ଖଳନ ଓ ରାସ୍ତା ଅବରୋଧର ଆଶଙ୍କା ଥିବାରୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଛି।






