ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଖାଲଖମା ଭର୍ତ୍ତି ଗୁରୁଜଙ୍ଗ-ନୂଆଗାଁ ରାସ୍ତା, ବଢ଼ୁଛି ଦୁର୍ଘଟଣା ଆଶଙ୍କା

ଖାଲଖମା ଭର୍ତ୍ତି ଗୁରୁଜଙ୍ଗ-ନୂଆଗାଁ ରାସ୍ତା, ବଢ଼ୁଛି ଦୁର୍ଘଟଣା ଆଶଙ୍କା – ସମୀକ୍ଷା ଖବର

ବର୍ଷାଜଳ ଜମି ଯାତାୟାତ ବିପର୍ଯ୍ୟସ୍ତ; ୧୫ରୁ ଊର୍ଦ୍ଧ୍ୱ ଗାଁର ଲୋକେ ହନ୍ତସନ୍ତ, ଦୁଇ ମାସରେ ୪୦ରୁ ୫୦ ଜଣ ଆହତ ହୋଇଥିବା ଅଭିଯୋଗ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ

ଖୋରଧା, ୨୫ା୯ : ଖାଲଖମାରେ ଭର୍ତ୍ତି ରାସ୍ତା, ଚାରିଆଡ଼େ ବର୍ଷାଜଳର ଆସ୍ତରଣ। କେଉଁଠି ରାସ୍ତାର ପିଚୁ ଉଠି ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି ତ ଆଉ କେଉଁଠି ଖାଲ ଭିତରେ ପାଣି ଜମି ରହିଛି। ଦୂରରୁ ରାସ୍ତା ଓ ଖାଲ ମଧ୍ୟରେ ପାର୍ଥକ୍ୟ ଜାଣିବା ମୁସ୍କିଲ। ଏଭଳି ବିପଜ୍ଜନକ ପରିସ୍ଥିତିରେ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି ଶତାଧିକ ଲୋକ। ଦୀର୍ଘଦିନ ଧରି ରାସ୍ତାର ଏଭଳି ଦୁରବସ୍ଥା ଲାଗି ରହିଥିଲେ ମଧ୍ୟ ମରାମତି ଦିଗରେ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଫଳରେ ଯାତାୟାତ ଯନ୍ତ୍ରଣା ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି। ଏହା ହେଉଛି ଖୋରଧା ପୌରପରିଷଦର ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ଗୁରୁଜଙ୍ଗ ଟାଙ୍ଗୀ ସାହି-ନୂଆଗାଁ ମୁଖ୍ୟ ରାସ୍ତାର ଚିତ୍ର। ଏହି ରାସ୍ତା ଉପରେ ନିର୍ଭର କରୁଥିବା ୧୫ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକେ ଦୀର୍ଘଦିନ ଧରି ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଦୁର୍ଘଟଣା ଆଶଙ୍କା ବଢ଼ୁଥିବାବେଳେ ଗତ ଦୁଇ ମାସ ମଧ୍ୟରେ ପ୍ରାୟ ୪୦ରୁ ୫୦ ଜଣ ଆହତ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ରାସ୍ତାର ନିର୍ମାଣ ଓ ମରାମତି ଦାୟିତ୍ୱ କେଉଁ ବିଭାଗ ଅଧୀନରେ ରହିଛି, ତାହା ସ୍ପଷ୍ଟ ହୋଇପାରୁନଥିବାରୁ ସମସ୍ୟାର ସମାଧାନ ବିଳମ୍ବିତ ହେଉଥିବା ଅଞ୍ଚଳବାସୀ କହିଛନ୍ତି। ଗୁରୁଜଙ୍ଗ-ନୂଆଗାଁ ରାସ୍ତା କେବଳ ଏକ ଗ୍ରାମୀଣ ରାସ୍ତା ନୁହେଁ, ବରଂ ଏହା ଆଖପାଖର ଅନେକ ଗ୍ରାମକୁ ଖୋରଧା ସହର ସହ ସଂଯୋଗ କରୁଥିବା ଏକ ପ୍ରମୁଖ ଯୋଗାଯୋଗ ମାଧ୍ୟମ। ନୂଆଗାଁ, ଅରାଙ୍ଗ, ମହୁଲ, ମଧୁପୁର, ମାଜଣା, ଅଙ୍ଗାରପଡ଼ା, ପଳାସପୁର, ବିନ୍ଧଗିରି, ଛତାବର, ମିନଚୀନ ପାଟଣା, ମେଣ୍ଢାଶାଳ ଓ ଅରିଶଲ ସମେତ ଆଖପାଖର ବିଭିନ୍ନ ଗ୍ରାମର ଲୋକେ ଏହି ରାସ୍ତା ଦେଇ ନିୟମିତ ଯାତାୟାତ କରୁଛନ୍ତି।
ଖୋରଧା ସହର ସହିତ ଭୁବନେଶ୍ୱର ଓ କଟକକୁ ଯାତାୟାତ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏହି ରାସ୍ତାର ଗୁରୁତ୍ୱ ରହିଛି। ପ୍ରତିଦିନ ଏହି ରାସ୍ତାରେ ଛୋଟବଡ଼ ଯାନବାହନ ଚଳାଚଳ କରୁଥିବା ବେଳେ ରାସ୍ତାର ଦୁରବସ୍ଥା ଯୋଗୁଁ ଯାତ୍ରୀଙ୍କୁ ଅଯଥା ସମୟ ନଷ୍ଟ କରିବାକୁ ପଡ଼ୁଛି। ଖାଲଖମା ଯୋଗୁଁ ଯାନବାହନର କ୍ଷତି ହେବା ସହ ଯାତ୍ରୀଙ୍କ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହେଉଛି। ଏହି ରାସ୍ତା ଦେଇ ପ୍ରତିଦିନ ବହୁ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜକୁ ଯାତାୟାତ କରୁଛନ୍ତି। ସେହିପରି ଖୋରଧା ସହରକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକଙ୍କ ସମେତ ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି ଓ ରୋଗୀମାନେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ମାତ୍ର ରାସ୍ତାର ଦୁରବସ୍ଥା ଯୋଗୁଁ ସେମାନଙ୍କ ଯାତାୟାତ କଷ୍ଟକର ହୋଇପଡ଼ିଛି।
ବିଶେଷକରି ଦୁଇଚକିଆ ଯାନ ଚାଳକଙ୍କ ପାଇଁ ରାସ୍ତାଟି ବିପଦପୂର୍ଣ୍ଣ ହୋଇଛି। ରାସ୍ତା ଅନ୍ଧାର ସହ ରାସ୍ତାରେ ଥିବା ଖାଲଗୁଡ଼ିକୁ ଏଡ଼ାଇବାକୁ ଯାଇ ଚାଳକମାନେ ହଠାତ୍‌ ଗାଡ଼ିର ଦିଗ ପରିବର୍ତ୍ତନ କରୁଥିବାରୁ ଅନ୍ୟ ଯାନ ସହ ଧକ୍କା ହେବାର ଆଶଙ୍କା ରହୁଛି। ଅନେକ ସମୟରେ ଖାଲରେ ଚକ ପଡ଼ିଯିବାରୁ ଯାତ୍ରୀମାନେ ଭାରସାମ୍ୟ ହରାଇ ପଡ଼ିଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଖାଲଖମା ଭର୍ତ୍ତି ଗୁରୁଜଙ୍ଗ-ନୂଆଗାଁ ରାସ୍ତା, ବଢ଼ୁଛି ଦୁର୍ଘଟଣା ଆଶଙ୍କା – ସମୀକ୍ଷା


ବର୍ଷାଦିନେ ସ୍ଥିତି ଆହୁରି ଜଟିଳ ହୋଇପଡ଼ୁଛି। ରାସ୍ତାର ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବାରୁ ଖାଲର ଗଭୀରତା ଜଣାପଡ଼ୁନାହିଁ। ଫଳରେ ଯାତ୍ରୀମାନେ ଅଜାଣତରେ ଖାଲରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ସ୍ଥାନୀୟ ବରିଷ୍ଠ ସମାଜସେବୀ ,ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅଖିଳ ପ୍ରଧାନ ଅଭିଯୋଗ କରିଛନ୍ତି ଯେ ତୁରନ୍ତ ଏହି ରାସ୍ତାର ମରାମତି କରିବା ସହ ରାସ୍ତାରେ ଆଲୋକର ବ୍ୟବସ୍ଥା ନିହାତି ଆବଶ୍ୟକ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ଦୁଇ ମାସ ମଧ୍ୟରେ ଏହି ରାସ୍ତାରେ ଦୁର୍ଘଟଣା ଯୋଗୁଁ ପ୍ରାୟ ୪୦ରୁ ୫୦ ଜଣ ଆହତ ହୋଇ ଖୋରଧା ମେଡିକାଲରେ ଚିକିତ୍ସିତ ହୋଇଛନ୍ତି। ତେବେ ଏହି ଦାବିର ସମର୍ଥନରେ କୌଣସି ସରକାରୀ ତଥ୍ୟ ମିଳିପାରିନାହିଁ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ରାସ୍ତାରେ ଖାଲଖମା ଥିଲେ ମଧ୍ୟ ଯାତାୟାତ ଏତେଟା ପ୍ରଭାବିତ ହେଉନଥିଲା। କିନ୍ତୁ ଦୀର୍ଘଦିନ ଧରି ନୂତନ ୫୭ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଚାଲିବା ଏବଂ ଗୁରୁଜଙ୍ଗ-ନୂଆଗାଁ ଓଭରବ୍ରିଜ୍‌ ତଳେ ରାସ୍ତା ଖରାପ ହୋଇ ବର୍ଷାଜଳ ଜମି ରହିବା ଫଳରେ ସମସ୍ୟା ବଢ଼ିଥିଲା।
ଏହା ସହିତ ଗତ ଦୁଇ ମାସ ହେଲା ଅରାଙ୍ଗ ମୌଜାରେ ଏକ ଶିଳ୍ପାନୁଷ୍ଠାନର କାର୍ଯ୍ୟ ଆରମ୍ଭ ହେବା ପରେ ଏହି ରାସ୍ତାରେ ଭାରୀଯାନ ଚଳାଚଳ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ଭାରୀଯାନ ଯାତାୟାତ ଯୋଗୁଁ ରାସ୍ତା ଅଧିକ କ୍ଷତିଗ୍ରସ୍ତ ହେଉଥିବା ଏବଂ ଖାଲଖମା ବଢ଼ିଚାଲିଥିବା ଅଞ୍ଚଳବାସୀ କହିଛନ୍ତି।
ଶିଳ୍ପାନୁଷ୍ଠାନର କାର୍ଯ୍ୟକଳାପ ବୃଦ୍ଧି ସହ ଅଞ୍ଚଳରେ ଆର୍ଥିକ ଗତିବିଧି ବଢ଼ୁଥିବାବେଳେ ଏହାର ପରିବହନ ଚାପ ବହନ କରୁଥିବା ରାସ୍ତାର ରକ୍ଷଣାବେକ୍ଷଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ରାସ୍ତାର କ୍ଷତିର କାରଣ ନିର୍ଦ୍ଧାରଣ ପାଇଁ ବୈଷୟିକ ଯାଞ୍ଚ କରାଯିବା ସହ ଆବଶ୍ୟକ ମରାମତି ଓ ଦାୟିତ୍ୱ ନିର୍ଦ୍ଧାରଣ କରାଯିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। ଏହି ରାସ୍ତା ଦେଇ ଜିଲ୍ଲାସ୍ତରୀୟ ଅଧିକାରୀ, ଶିଳ୍ପାନୁଷ୍ଠାନର କର୍ତ୍ତୃପକ୍ଷ, ଇଡ୍‌କୋ ଅଧିକାରୀ ଓ ତହସିଲଦାରଙ୍କ ସମେତ ବହୁ ଅଧିକାରୀ ନିୟମିତ ଯାତାୟାତ କରୁଛନ୍ତି। ତଥାପି ରାସ୍ତାର ମରାମତି ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ରାସ୍ତାର ଅବସ୍ଥା ସମ୍ପର୍କରେ ଅଧିକାରୀମାନେ ଅବଗତ ଥିବା ସତ୍ତ୍ୱେ ଏହାର ମରାମତି କାହିଁକି ହେଉନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକେ ଏହି ସମସ୍ୟା ସମ୍ପର୍କରେ ପୂର୍ବତନ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ। ମାତ୍ର ଅଭିଯୋଗ ପରେ ମଧ୍ୟ ରାସ୍ତାର ଅବସ୍ଥାରେ ସୁଧାର ଆସିନଥିବା ସେମାନେ କହିଛନ୍ତି। ରାସ୍ତା ନିର୍ମାଣ ଓ ମରାମତି ଦାୟିତ୍ୱ କେଉଁ ବିଭାଗର, ତାହା ସ୍ପଷ୍ଟ କରିବା ସହ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ଦାବି ହୋଇଛି।
ଗୁରୁଜଙ୍ଗ-ନୂଆଗାଁ ରାସ୍ତାର ଏଭଳି ଅବସ୍ଥା ଆଗକୁ ଜାରି ରହିଲେ ଦୁର୍ଘଟଣା ବଢ଼ିବା ସହ ସାଧାରଣ ଜନଜୀବନ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଜିଲ୍ଲା ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ରାସ୍ତାର ସ୍ଥିତି ଅନୁଧ୍ୟାନ କରିବା ସହ ସମ୍ପୃକ୍ତ ବିଭାଗକୁ ମରାମତି ନିର୍ଦ୍ଦେଶ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଦୀର୍ଘଦିନ ଧରି ଏହି ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକଙ୍କ ଯାତାୟାତ ଯନ୍ତ୍ରଣାର ଅନ୍ତ ଘଟାଇବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଜରୁରୀ। ନଚେତ୍‌ ରାସ୍ତାର ଦୁରବସ୍ଥାକୁ ନେଇ ଆଗାମୀ ଦିନରେ ଜନଆନ୍ଦୋଳନ ଗଢ଼ି ଉଠିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଲଘୁଚାପ ବର୍ଷାରେ ୫୯ ନମ୍ବର ରାଜପଥ ଅବରୋଧ, ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତାରୁ ଯାତାୟାତ ସ୍ୱାଭାବିକ