ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଉନ୍ନତ ବିଦ୍ୟୁତ୍ ସେବାର ପ୍ରତିଶ୍ରୁତି,ସାମାନ୍ୟ ପବନରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ,ଅଭିଯୋଗ ପରେ ବି ସୁଧୁରୁନି ସ୍ଥିତି

ଉନ୍ନତ ବିଦ୍ୟୁତ୍ ସେବାର ପ୍ରତିଶ୍ରୁତି,ସାମାନ୍ୟ ପବନରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ,ଅଭିଯୋଗ ପରେ ବି ସୁଧୁରୁନି ସ୍ଥିତି – ସମୀକ୍ଷା ଖବର

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା:

ଉନ୍ନତମାନର ବିଦ୍ୟୁତ୍ ସେବା ଯୋଗାଇବା ଆଶାରେ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥା ଘରୋଇ ସଂସ୍ଥା ହାତକୁ ଦିଆଗଲା l ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, କମ୍ ବିଭ୍ରାଟ ଓ ଅଭିଯୋଗର ତୁରନ୍ତ ସମାଧାନର ପ୍ରତିଶ୍ରୁତି ମିଳିଥିଲା l ହେଲେ ଝାରସୁଗୁଡ଼ା ସହରର ବାସ୍ତବ ଚିତ୍ର ଏବେ ସେହି ପ୍ରତିଶ୍ରୁତି ଉପରେ ପ୍ରଶ୍ନଚିହ୍ନ ଲଗାଇଛି l ବର୍ଷ ପରେ ବର୍ଷ ବିତୁଛି, ବ୍ୟବସ୍ଥାପନା ବଦଳୁଛି, କିନ୍ତୁ ସାମାନ୍ୟ ପବନରେ ବିଦ୍ୟୁତ୍ କଟିବାର ଦୁର୍ଦ୍ଦଶା ଯେମିତି ଥିଲା ସେମିତି ରହିଛି l ସହରର ବିଭିନ୍ନ ଅଞ୍ଚଳରେ ସାମାନ୍ୟ ପବନ ବହିଲେ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯାଉଥିବା ଅଭିଯୋଗ ହେଉଛି l ତା’ପରେ ଆରମ୍ଭ ହୁଏ ଅପେକ୍ଷା, କେବେ ବିଦ୍ୟୁତ୍ ଆସିବ, ତାହାର ଉତ୍ତର ମିଳେନାହିଁ l କେଉଁଠି ଘଣ୍ଟା ଘଣ୍ଟା ବିଦ୍ୟୁତ୍ ନଥିବା ବେଳେ କେଉଁଠି ତ୍ରୁଟି ମରାମତି ନାମରେ ଦୀର୍ଘ ସମୟ ଯୋଗାଣ ବନ୍ଦ ରହୁଛି l ଆଉ କେତେକ ସମୟରେ କାରଣ ସମ୍ପର୍କରେ ଉପଭୋକ୍ତାଙ୍କୁ ସ୍ପଷ୍ଟ ସୂଚନା ମିଳୁନଥିବା ଅଭିଯୋଗ ରହିଛି l

ଉନ୍ନତ ବିଦ୍ୟୁତ୍ ସେବାର ପ୍ରତିଶ୍ରୁତି,ସାମାନ୍ୟ ପବନରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ,ଅଭିଯୋଗ ପରେ ବି ସୁଧୁରୁନି ସ୍ଥିତି – ସମୀକ୍ଷା

“ନାମକୁ ଘରୋଇ ବ୍ୟବସ୍ଥା, ସେବାରେ ପୁରୁଣା ଦୁର୍ଦ୍ଦଶା”
ଉନ୍ନତ ସେବାର ଆଶାରେ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯାଇଥିଲେ ମଧ୍ୟ ଉପଭୋକ୍ତାଙ୍କ ପ୍ରଶ୍ନ ହେଉଛି ପରିବର୍ତ୍ତନର ଲାଭ ମିଳୁଛି କେଉଁଠି ? ଯଦି ସାମାନ୍ୟ ପବନରେ ଲାଇନ୍ ବନ୍ଦ ହୋଇଯାଏ, ଯଦି ତ୍ରୁଟି ସଜାଡ଼ିବାକୁ ଘଣ୍ଟା ଘଣ୍ଟା ଲାଗେ ଏବଂ ଅଭିଯୋଗ ପରେ ମଧ୍ୟ ସମସ୍ୟା ପୁଣି ଫେରିଆସେ, ତେବେ ବିଦ୍ୟୁତ୍ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ଓ ପୂର୍ବ ପ୍ରସ୍ତୁତି ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ l ଲୋକଙ୍କ ଅଭିଯୋଗ ହେଉଛି, ପ୍ରତିଥର ତ୍ରୁଟି ହେଲେ ତାତ୍କାଳିକ ଭାବେ ମରାମତି କରି ବିଦ୍ୟୁତ୍ ଚାଲୁ କରାଯାଉଛି l କିନ୍ତୁ ତ୍ରୁଟି ବାରମ୍ବାର କାହିଁକି ଘଟୁଛି, ତାହାର ମୂଳ କାରଣ ଖୋଜି ସ୍ଥାୟୀ ପ୍ରତିକାର କରାଯାଉଛି କି ନାହିଁ ଏହାର ସ୍ପଷ୍ଟ ଉତ୍ତର ମିଳୁନାହିଁ l

“ଅଭିଯୋଗର ପାହାଡ଼, ସମାଧାନ କେଉଁଠି ?”
ବିଦ୍ୟୁତ୍ ବିଭ୍ରାଟକୁ ନେଇ ଉପଭୋକ୍ତାମାନେ ବିଭାଗ ଓ ପ୍ରଶାସନ ନିକଟରେ ବିଭିନ୍ନ ସମୟରେ ଅଭିଯୋଗ କରିଆସୁଛନ୍ତି l ଦୁର୍ବଳ ଖୁଣ୍ଟ ଓ ତାର ବଦଳାଇବା, ଲାଇନ୍‌ର ରକ୍ଷଣାବେକ୍ଷଣ, ଟ୍ରାନ୍ସଫର୍ମରର କ୍ଷମତା ବଢ଼ାଇବା ଏବଂ ବିଦ୍ୟୁତ୍ ନେଟୱର୍କକୁ ଆଧୁନିକୀକରଣ କରିବା ନେଇ ଦାବି ହୋଇଆସୁଛି l ତଥାପି ଅଭିଯୋଗର ଚକ୍ର ଭାଙ୍ଗୁନାହିଁ l ଆଜି ଗୋଟିଏ ଅଞ୍ଚଳରେ ତ୍ରୁଟି, କାଲି ଅନ୍ୟ ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ l ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ବିଦ୍ୟୁତ୍ ବିଭାଗର ରକ୍ଷଣାବେକ୍ଷଣ ବ୍ୟବସ୍ଥା କେତେ ସକ୍ରିୟ ? ତ୍ରୁଟି ହେବା ପୂର୍ବରୁ ଦୁର୍ବଳ ନେଟୱର୍କ ଚିହ୍ନଟ କରିବା ପାଇଁ କୌଣସି ନିୟମିତ ବ୍ୟବସ୍ଥା ଅଛି କି ? ନା ଅଭିଯୋଗ ଆସିଲେ ହିଁ ବିଭାଗ ତତ୍ପର ହେଉଛି ?

ଉନ୍ନତ ବିଦ୍ୟୁତ୍ ସେବାର ପ୍ରତିଶ୍ରୁତି,ସାମାନ୍ୟ ପବନରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ,ଅଭିଯୋଗ ପରେ ବି ସୁଧୁରୁନି ସ୍ଥିତି – ସମୀକ୍ଷା

“ପବନ ଆସିଲେ ଆଶଙ୍କା, ‘କେବେ ଯିବ’ ଚିନ୍ତା”
ସହରବାସୀଙ୍କ କହିବାନୁଯାୟୀ, ପାଗ ବଦଳିଲେ ଏବେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଚିନ୍ତା ବଢ଼ିଯାଉଛି l ପବନ ବହିଲେ କେତେବେଳେ ବିଦ୍ୟୁତ୍ କଟିବ ଏବଂ କେତେ ସମୟ ପରେ ଆସିବ, ତାହା ନେଇ ଅନିଶ୍ଚିତତା ରହୁଛି l ଶିଳ୍ପସମୃଦ୍ଧ ଝାରସୁଗୁଡ଼ା ଭଳି ସହରରେ ଏଭଳି ବିଦ୍ୟୁତ୍ ବିଭ୍ରାଟ ସାଧାରଣ ଜୀବନ ସହ ବ୍ୟବସାୟିକ କାର୍ଯ୍ୟକଳାପକୁ ପ୍ରଭାବିତ କରୁଛି l ଘରେ ପଙ୍ଖା, କୁଲର ଓ ଏସି ବନ୍ଦ ହୋଇଯିବା ସହ ଶିଶୁ, ବୃଦ୍ଧ ଓ ଅସୁସ୍ଥ ବ୍ୟକ୍ତି ଅଧିକ ଅସୁବିଧାରେ ପଡ଼ୁଛନ୍ତି l ଦୋକାନବଜାର, ଛୋଟ ବ୍ୟବସାୟ, ଅନଲାଇନ୍ କାମ ଏବଂ ବିଦ୍ୟୁତ୍ ନିର୍ଭରଶୀଳ ବିଭିନ୍ନ ପେଶା ଏହାର ପ୍ରଭାବରୁ ବାଦ ପଡ଼ୁନାହିଁ l

“ବିଦ୍ୟୁତ୍ ଯାଉଛି, ଦାୟିତ୍ୱ କାହାର ?”
ଉପଭୋକ୍ତାଙ୍କ ପ୍ରଶ୍ନ ଏବେ ସିଧାସଳଖ l ବିଦ୍ୟୁତ୍ ଯୋଗାଣ ପାଇଁ ନିୟମିତ ଭାବେ ବିଲ୍ ଦେଉଥିବା ଗ୍ରାହକଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ସେବା ଦେବା ଦାୟିତ୍ୱ କାହାର ? ସାମାନ୍ୟ ପବନରେ ବିଦ୍ୟୁତ୍ କଟୁଥିଲେ ନେଟୱର୍କର ଦୁର୍ବଳତା କାହିଁକି ଚିହ୍ନଟ ହେଉନାହିଁ ? ବାରମ୍ବାର ଏକାଧିକ ଅଞ୍ଚଳରେ ତ୍ରୁଟି ହେଉଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର ପାଇଁ କେତେ ଦୂର କାମ ହୋଇଛି ? ଉପଭୋକ୍ତାଙ୍କ ଅସନ୍ତୋଷ ଆଉ କେବଳ ‘ବିଦ୍ୟୁତ୍ କେବେ ଆସିବ’ ପ୍ରଶ୍ନରେ ସୀମିତ ନାହିଁ l ଏବେ ପ୍ରଶ୍ନ ହେଉଛି ବାରମ୍ବାର ଏଭଳି ବିଭ୍ରାଟ ପାଇଁ ଦାୟୀ ବ୍ୟବସ୍ଥାର ଜବାବଦେହି କିଏ ନେବ ?

“ପ୍ରତିଶ୍ରୁତି ନୁହେଁ, ଦରକାର ଦୃଶ୍ୟମାନ ପରିବର୍ତ୍ତନ”
ସହରବାସୀଙ୍କ ଦାବି, ବିଦ୍ୟୁତ୍ ବ୍ୟବସ୍ଥାର ସମ୍ପୂର୍ଣ୍ଣ ସମୀକ୍ଷା କରାଯାଉ l ଦୁର୍ବଳ ଖୁଣ୍ଟ, ପୁରୁଣା ତାର, ଲାଇନ୍, ଟ୍ରାନ୍ସଫର୍ମର ଓ ଅନ୍ୟାନ୍ୟ ଭିତ୍ତିଭୂମି ଚିହ୍ନଟ କରି ପର୍ଯ୍ୟାୟକ୍ରମେ ଉନ୍ନତୀକରଣ କରାଯାଉ l ବିଦ୍ୟୁତ୍ ବିଭ୍ରାଟର ପ୍ରକୃତ କାରଣ ଓ ଅନୁମାନିତ ସମୟ ସମ୍ପର୍କରେ ଉପଭୋକ୍ତାଙ୍କୁ ସୂଚନା ଦିଆଯାଉ l ଦୀର୍ଘ ସମୟର ବିଦ୍ୟୁତ୍ ବିଭ୍ରାଟ ଉପରେ ସ୍ୱତନ୍ତ୍ର ନଜର ରହୁ ଏବଂ ବାରମ୍ବାର ତ୍ରୁଟି ହେଉଥିବା ଅଞ୍ଚଳରେ ବିଶେଷ ରକ୍ଷଣାବେକ୍ଷଣ କରାଯାଉ l ଲୋକଙ୍କ ଅଭିଯୋଗକୁ କେବଳ ତତ୍କାଳିକ ମରାମତିରେ ଚୁପ୍ କରାଇବା ନୁହେଁ, ସମସ୍ୟାର ମୂଳକୁ ଯାଇ ସ୍ଥାୟୀ ସମାଧାନ କରିବା ଆବଶ୍ୟକ l ନଚେତ୍ ‘ଉନ୍ନତ ବିଦ୍ୟୁତ୍ ସେବା’ର ପ୍ରତିଶ୍ରୁତି କାଗଜରେ ହିଁ ସୀମିତ ରହିବ ଏବଂ ଝାରସୁଗୁଡ଼ାବାସୀଙ୍କ ପାଇଁ ପ୍ରତ୍ୟେକ ପବନ ଏକ ନୂଆ ବିଦ୍ୟୁତ୍ ବିଭ୍ରାଟର ଆଶଙ୍କା ନେଇ ଆସିବ l

ଉନ୍ନତ ବିଦ୍ୟୁତ୍ ସେବାର ପ୍ରତିଶ୍ରୁତି,ସାମାନ୍ୟ ପବନରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ,ଅଭିଯୋଗ ପରେ ବି ସୁଧୁରୁନି ସ୍ଥିତି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପୁରୁଣାବସ୍ତି ଭାଗବତ ମନ୍ଦିରରେ ଭାଗବତ ଜନ୍ମ ଉତ୍ସବ