ଅକ୍ଷୟ କୁମାର ସାହୁ/ ଚିକିଟି/ ସମୀକ୍ଷା ପ୍ରତିନିଧି :
ଚିକିଟି — ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ପୋଷଣ ମାସ ଆନୁକୁଲ୍ୟରେ ଚିକିଟି ବ୍ଲକ ଏବଂ ଏନ୍ ଏ ସି ଅନ୍ତର୍ଗତ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଗତ ୨୭.୦୯.୨୬ ଠାରୁ ଆରମ୍ଭ ହୋଇ ୨୯.୦୯.୨୬ ପର୍ଯ୍ୟନ୍ତ ତିନି ଦିନ ଧରି ‘ଆଙ୍ଗନ କା ଉତ୍ସବ’କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି ଭାବେ ରାଜ୍ୟବ୍ୟାପୀ ପାଳିତ ହେଉଥିବା ରାଷ୍ଟ୍ରୀୟ ପୋଷଣ ମାସ ତଥା ‘ସେବା ସଂକଳ୍ପ’ଅଭିଯାନ ଅବସରରେ ସିଡିପିଓ ଭି. ମଣିମାଳା ଙ୍କ ତତ୍ତ୍ଵାବଧାନରେ ଚିକିଟି ଏନ୍ ଏ ସି ଅନ୍ତର୍ଗତ ୬ ନଂ ୱାର୍ଡ ଅଙ୍ଗନବାଡ଼ି କର୍ମୀ ରାଜଲକ୍ଷ୍ମୀ ସାହୁଙ୍କ ସଂଯୋଜନାରେ ଅଙ୍ଗନବାଡ଼ି କେନ୍ଦ୍ର ଠାରେ ଏହି ‘ ଆଙ୍ଗନ କା ଉତ୍ସବ ‘ କାର୍ଯ୍ୟକ୍ରମ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରଥମ ଦିନରେ ପୁରୁଷ ଅଭିଭାବକ ମାନଙ୍କ ଦ୍ଵାରା ବିଭିନ୍ନ ପୁଷ୍ଟିକର ଖାଦ୍ୟ କୁ ନେଇ ପ୍ରତିଯୋଗୀତା ହୋଇଥିବା ବେଳେ ଦ୍ଵିତୀୟ ଦିନରେ ଅଙ୍ଗନବାଡ଼ି ଶିଶୁ ମାନଙ୍କୁ ନେଇ ଗୀତ, ନୃତ୍ୟ ଓ ଚିତ୍ରାଙ୍କନ ଭଳି ପ୍ରତିଯୋଗୀତା ଆୟୋଜନ ହୋଇଥିଲା। ପରିଶେଷରେ ଅର୍ଥାତ୍ ତୃତୀୟ ଦିନରେ ସ୍ଵତନ୍ତ୍ର ତ୍ରିରଙ୍ଗା ଥାଳି ପରିବେଷଣ ସହ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ପୋଷଣ ର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉଦଯାପନୀ ଉତ୍ସବରେ ୱାର୍ଡ କାଉନସିଲର ଶ୍ରୀମତୀ ଅନିତା ସାହୁ ଯୋଗ ଦେଇ ପୁରୁଷ ଅଭିଭାବକ ରୋଷେଇ ପ୍ରତିଯୋଗୀତାରେ ପ୍ରଥମ ଟି. ମୂରଲୀ, ଦ୍ୱିତୀୟ ସନ୍ତୋଷ କୁମାର ସାହୁ ଓ ତୃତୀୟ ସ୍ଥାନ ହାସଲ କରିଥିବା ଜୟରାମ ଆଚାରୀ ଙ୍କୁ ପୁରସ୍କୃତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି ସହାୟିକା ସମେତ ପ୍ରାୟ ସମସ୍ତ ଶିଶୁ ମାନଙ୍କ ଉପସ୍ଥିତି ସହ ଅଭିଭାବକ ଓ ଅଭିଭାବିକା ଉପସ୍ଥିତି ଏବଂ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ରୂପାୟନ ହୋଇପାରିଥିଲା।






