ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୩/୧୦/୨୬ – କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ତିଥିରେ ମୟୂରଭଞ୍ଜ ଓ ପଡୋଶୀ ଜିଲ୍ଲା ଓ ରାଜ୍ୟରେ କୁଡୁମୀ ଓ ଆଦିବାସୀ ସମ୍ପ୍ରଦାୟଙ୍କ ବାନ୍ଦନା ପରବ ପାଳିତ ହୋଇଥାଏ । ମୟୂରଭଞ୍ଜ ଜିଲ୍ଲାର ଏହି ପ୍ରସିଦ୍ଧ ଗଣପର୍ବ ପାଇଁ ବିଭିନ୍ନ ଅଂଚଳର ଓ ପୁରପଲ୍ଲୀର ସମସ୍ତ କୁଡୁମୀ ଓ ଆଦିବାସୀଙ୍କ ଘର ଗୁଡ଼ିକର ରୂପ ବଦଳି ସଜେଇ ହେଉଥିବା ଦେଖାଗଲାଣି । ଗାଁ ଗହଳିରୁ ଢୋଲ, ମାଦଳ, ନାଗରା ପ୍ରଭୃତିର ଶବ୍ଦ ଶୁଣିବାକୁ ମିଳିଲାଣି । କୁଡୁମୀ ସମ୍ପ୍ରଦାୟ ସମେତ ହୋ, ମୁଣ୍ଡା, ସାନ୍ତାଳ, କମାର, କୁମ୍ଭାର, ବାଥୁଡି ଆଦିଙ୍କ ବ୍ୟତୀତ ଅନ୍ୟାନ୍ୟ ସମସ୍ତ ମୟୂରଭଞ୍ଜିଆ ୩ଦିନ ଧରି ଧୁମଧାମରେ ଏହି ପରବ ପାଳନ କରିଥାନ୍ତି । ବାନ୍ଦନା ପରବ ମୁଖ୍ୟତଃ ତିନିଦିନ ଧରି ପାଳିତ ହୋଇଥାଏ । ପ୍ରଥମ ଦିନ ଗାଁ ମୁଣ୍ଡରେ ଗୋଠ ପୂଜା କରୁଥିବା ବେଳେ ଦ୍ୱିତୀୟ ଦିନକୁ ଗୁହାଳ ପୂଜା ହିସାବରେ ପାଳନ କରାଯାଇଥାଏ । ଶେଷ ଦିନକୁ ବୁଢ଼ା ବାନ୍ଦନା କୁହାଯାଇଥାଏ । ଗୋ ଧନର ପୂଜା ବ୍ୟତୀତ ଏହା ଏକ କୃଷିଭିତ୍ତିକ ପର୍ବ ଭାବେ ଜଣା । ଆତ୍ମରକ୍ଷା ପାଇଁ ପ୍ରତି ଘରର ମୁଖ୍ୟ ବଳଦ ଓ ଗାଈଙ୍କୁ ଆତ୍ମରକ୍ଷା କୌଶଳ ଶିକ୍ଷା ଦିଆଯାଇଥାଏ ବୋଲି ବୃଦ୍ଧିଜୀବୀ ମାନେ ମତ ଦିଅନ୍ତି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ଥାନରେ ଖେଳକୁଦ, ନାଚଗୀତ, ନାଟକ ଭଳି ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ହୋଇଥାଏ ।

ଏହି ଆଗାମୀ ପର୍ବ ପାଇଁ ବିଭିନ୍ନ ସ୍ଥାନରେ ଏବେଠାରୁ କୁଡୁମୀ ସମ୍ପ୍ରଦାୟର ସଭା ଓ ପୂର୍ବ ପ୍ରସ୍ତୁତି ଆୟୋଜନ କ୍ରମେ ଶନିବାର ବଡ଼ସାହି ବ୍ଲକ୍ ଅନ୍ତର୍ଗତ ଧାନପୁତା ଗାଁରେ ଦିଲ୍ଲୀପ ମହାନ୍ତଙ୍କ ନେତୃତ୍ୱରେ “ଜାତୀୟ ବାନ୍ଦନା ପରବ–୨୦୨୬” ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପରବକୁ ସଫଳ ଓ ସୁଚାରୁରୂପେ ଆୟୋଜନ କରିବା ସହ ପ୍ରସ୍ତୁତି କାର୍ଯ୍ୟକୁ ଆଗେଇ ନେବା ଲାଗି ଆଲୋଚନା ହୋଇଥିଲା । କୁଡ଼ୁମି ସମାଜର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେଇ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ମୟୂରଭଞ୍ଜର ଏହି ପ୍ରମୁଖ ପର୍ବ ପାଇଁ ବିଭିନ୍ନ ସ୍ଥାନରେ ରହି କାର୍ଯ୍ୟ କରୁଥିବା ସମସ୍ତ ଅଞ୍ଚଳବାସୀ ନିଜ ଘରକୁ ପଳାଇ ଆସି ପର୍ବ ପାଳନ କରିଥାନ୍ତି ଯାହା ଏକତାବଦ୍ଧ ଓ ପରମ୍ପରା ପ୍ରେମର ବଳିଷ୍ଠ ପ୍ରମାଣ ଦେଇଥାଏ ।





