ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ମୁରିବାହାଲ, ତା ୦୪/୧୦/୨୬ (ଭଗବାନ ମହାନ୍ତି )ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ବିଭିନ୍ନ ମାହେଶ୍ୱରୀ ମନ୍ଦିର, ପୀଠ, ଗୁଡ଼ି ଓ ଡାଳତଳ ଗୁଡ଼ିକରେ ଦଶହରା ପାର୍ବଣ ପାଇଁ ମା’ ମାହେଶ୍ୱରୀଙ୍କ ଷୋହଳ ଦିନାତ୍ମକ ଖଣ୍ଡାବସା ପୂଜା ଶନିବାର ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଯାଇଛି। ବ୍ଲକର ସମସ୍ତ ମାହେଶ୍ୱରୀ ପୀଠଗୁଡ଼ିକରେ ଡୁମାଳ ସମାଜର ଇଷ୍ଟ ତଥା କୁଳ ଦେବୀ ମା’ ମାହେଶ୍ୱରୀଙ୍କ ପୂଜା ଅତି ଶୃଙ୍ଖଳାର ସହ ପାଳନ କରାଯାଉଛି। ଏହି ଦଶହରା ପାର୍ବଣ ହେଉଛି ଶାନ୍ତି, ମୈତ୍ରୀ ଓ ଭାଇଚାରାର ପର୍ବ, ସହିତ ଜାତିର ସଂସ୍କୃତି, ପରମ୍ପରାର ଗର୍ବ ଓ ଗୌରବର ପ୍ରତୀକ। ହଳଦୀ ପଞ୍ଚାୟତ ସ୍ଥିତ ଯମୁନା ଗ୍ରାମର ସର୍ବପୁରାତନ ମାହେଶ୍ୱରୀ ମନ୍ଦିର (ଗୁଡ଼ି)ରେ ବିଭିନ୍ନ ରୀତିନୀତି ଅନୁସାରେ ମୂଳାଷ୍ଟମୀ ଦିନରୁ ଷୋହଳ ଦିନ ଧରି ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି। ମା’ଙ୍କ ଛତର ବାଡ଼ି, ଶାଳକା ଆଦି ଗ୍ରାମର ପୋଖରୀରେ ଗାଧୋଇବା ପରେ ଗ୍ରାମର ଅନ୍ୟ ଦେବାଦେବୀ ପୀଠରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଥିଲା। ମୂଳାଷ୍ଟମୀ ତଥା ଦ୍ୱିତୀ ବାହନ ଓଷା ଦିନ ମା’ମାନେ ନିଜ ପୁଅର ଶୁଭ ମନାସି ପୁଅଜିଉଁନ୍ତିଆ ଓଷା ମଧ୍ୟ ପାଳନ କରିଥାନ୍ତି। ଏହି ପୀଠକୁ ମା’ ବିଜେ କରି ଆଶୀର୍ବାଦ ପ୍ରଦାନ କରିଥିବା ବେଳେ ମହିଳାମାନେ ଅତି ନିଷ୍ଠା ଓ ଭକ୍ତିର ସହ ପୂଜାର୍ଚ୍ଚନା କରିଥିଲେ।

ଯମୁନା ମାହେଶ୍ୱରୀ ମନ୍ଦିରରେ ପୂଜକ ରୂପେ ଦୁର୍ଯ୍ୟୋଧନ ପାଣିଗ୍ରାହୀ, ଦେହେରୀ ଭାବେ ଶିବାନନ୍ଦ ମହାକୁର, ପ୍ରକାଶାନନ୍ଦ ମହାକୁର, ନୂଆଁ ବରୁଆ କୃଷ୍ଣଚନ୍ଦ୍ର ପାତ୍ର, ଜୟରାମ ଥନାପତି, ଚରଣ ମହାକୁର, ନିତ୍ୟାନନ୍ଦ ମହାକୁର, ଡଗର ମହାକୁର, ଚୈତନ୍ୟ ଛନ୍ଦ, ଦେବେନ୍ଦ୍ର ପ୍ରଧାନ, ଭିକାରୀ ପାତ୍ର, ଲୋଚନ ମହାକୁର, ମଧୁସୂଦନ କର୍ମୀ, ଉଦ୍ରାଧର ମହାକୁର, ବ୍ରଜମୋହନ ମହାକୁର, ଜେହେରୁ ମହାକୁର, ଦିଲ୍ଲୀପ କର୍ଣ୍ଣ, ସୁରକାର ଚାଉଳିଆ, ନଟବର ମେହେର, ଗାନ୍ଧୀଲାଲ ମହାକୁର, ଗୌତମ ଡାଙ୍ଗ, ସୁରେଶ ପ୍ରଧାନ, ସଚ୍ଚିଦାନନ୍ଦ ମହାକୁର, ଭବନାନନ୍ଦ ମହାକୁର ଓ ଲୋକେଶ ମହାକୁରଙ୍କ ସହ ଯମୁନା ଓ ଡଙ୍ଗରପଡ଼ା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି।
ସେହିପରି ବ୍ଲକର ମୁରିବାହାଲ ସଦର ମହକୁମା, ଖରାଲି, ଜାନିପଡ଼ା, ବାରବନ୍ଧ, ବାଗବାହାଲି, ଚଣାବାହାଲ, ଦନ୍ଦରା, କୁମ୍ଭାରୀ ଆଦି ଗ୍ରାମର ମାହେଶ୍ୱରୀ ମନ୍ଦିର/ପୀଠଗୁଡ଼ିକରେ ମଧ୍ୟ ମୂଳାଷ୍ଟମୀ ତିଥିରୁ ଦଶହରା ମହୋତ୍ସବ ମହାସମାରୋହରେ ଆରମ୍ଭ ହୋଇଯାଇଛି।





