ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ମୟୂରଭଞ୍ଜ, ୫/୧୦/୨୬ – ବେତନଟୀ ସବଡିଭିଜନ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର (ଏସ୍ଡ଼ିଓ) ଅରବିନ୍ଦ ମହାନ୍ତିଙ୍କ ଘରେ ଓ ଅଫିସରେ ସୋମବାର ସକାଳୁ ରେଡ୍ କରିଛି ଭିଜିଲାନ୍ସ ଟିମ । ମୟୂରଭଞ୍ଜ ବେତନଟୀ ଆର୍ ଆଣ୍ଡ୍ ବି ସବ୍ ଡିଭିଜନ୍ ର ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଞ୍ଜିନିୟର ହେଉଛନ୍ତି ଅରବିନ୍ଦ ମହାନ୍ତି । ଆୟ ତୁଳନାରେ ମାତ୍ରାଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏହି ତଲାସୀ ଚାଲିଛି ।

ଖବର ଅନୁଯାୟୀ ଭିଜିଲାନ୍ସ ସ୍କାନର ଅଧୀନରେ ଥିବା ମୟୂରଭଞ୍ଜ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାର ମୋଟ ୧୦ଟି ସ୍ଥାନରେ ଏକକାଳୀନ ତଲାସୀ କରାଯାଉଥିବା ଜଣାପଡିଛି । ବାରିପଦାର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି ହୋଇଥିବା ୱାରେଣ୍ଟ ବଳରେ ଏହି ତଲାସ କରାଯାଉଛି। ୫ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସ୍ ପି), ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଏକ ଦଳ ମୟୂରଭଞ୍ଜ, ବାଲେଶ୍ୱର ଏବଂ ଖୋର୍ଦ୍ଧା ଜିଲ୍ଲାରେ ଚଢ଼ାଉ ଜାରି ରଖିଛନ୍ତି ।ତେବେ ବାଲେଶ୍ୱରର ଅଙ୍ଗାରଗାଡ଼ିଆରେ ଏକ ତିନି ମହଲା ଆବାସିକ କୋଠା, ଖୋର୍ଦ୍ଧାର ବାଲିଅନ୍ତାରେ ଏକ ଦୁଇ ମହଲା କୋଠା ସହ ମୟୂରଭଞ୍ଜ ଜିଲ୍ଲାର ବେତନଟୀରେ ମହାନ୍ତିଙ୍କ କାର୍ଯ୍ୟାଳୟ ବାସସ୍ଥାନରେ ଚଢ଼ାଉ ଜାରି ରହିଛି । ପୁଣି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱରର ରାୟଣ-ରାମଚନ୍ଦ୍ରପୁରରେ ତାଙ୍କ ପୈତୃକ ଘର, ବାଲେଶ୍ୱରର ବସନ୍ତପୁରରେ ତାଙ୍କର ଫାର୍ମହାଉସ୍, ବାଲେଶ୍ୱରର ବାମାପଡ଼ାରେ ଆଉ ଏକ ଘର, ବାଲେଶ୍ୱରର ଅଙ୍ଗାରଗାଡ଼ିଆରେ ଜଣେ ଅଭିଯୁକ୍ତ ନିକଟ ସହଯୋଗୀଙ୍କ ଘର ବ୍ୟତୀତ ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗାରେ ଆଉ ଜଣେ ଅଭିଯୁକ୍ତ ନିକଟ ସହଯୋଗୀଙ୍କ ଘର, ବାଲେଶ୍ୱରର ବାମାପଡ଼ାରେ ଆଉ ଏକ ସହଯୋଗୀଙ୍କ ଘର ମଧ୍ୟ ତଲାସୀ ନିଆଯାଉଥିବା ଜଣାପଡ଼ିଛି । ତଲାସ ସମାପ୍ତ ପରେ ଅଧିକ ତଥ୍ୟ ମିଳିବ ବୋଲି ଓଡ଼ିଶା ଭିଜିଲାନ୍ସ ତରଫରୁ ଜଣାପଡିଛି ।






