ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୧୭/୧୦/୨୬ – ବାରିପଦା ସହରର ଜନଗହଳି ପୂର୍ଣ୍ଣ ଟ୍ରାଫିକ ଛକରେ ପାର୍ବଣ ଭିଡ଼ ସମୟରେ ରାସ୍ତା ଉପରେ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଟ୍ରାନଫର୍ମର ନେଇ ବାରମ୍ୱାର ଅଭିଯୋଗ ସତ୍ତ୍ବେ ତାହା ସ୍ଥାନାନ୍ତରିତ ହୋଇ ପାରିନଥିଲା । ଆଜି ପୂର୍ବାହ୍ନରେ ଅତର୍କିତ ଭାବେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଟ୍ରାନଫର୍ମରଟି ଜଳି ଯାଇଥିବା ବେଳେ ଅଳ୍ପକେ ଲୋକଙ୍କ ଜୀବନ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଘଟଣା କ୍ରମେ ବାରିପଦା ସହରର ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ଓ ବିପଦ ସଂକୁଳ ଅବସ୍ଥାରେ ଅନେକ ବିଦ୍ୟୁତ ଟ୍ରାନ୍ସଫର୍ମର ରହିଛି । ଯାହା ଲୋକଙ୍କ ଜୀବନ ପାଇଁ ବିପଦ ସାଜିବା ସହ ଚଳପ୍ରଚଳରେ ମଧ୍ୟ ସମସ୍ୟାର କାରଣ ସାଜିଛି । ଏହା ସହିତ ସହରରେ ରାସ୍ତା କଡରେ ଥିବା ଅନେକ ଟ୍ରାନ୍ସଫର୍ମର ଓ ବିଦ୍ୟୁତ କେବୁଲ ଗୁଡ଼ିକରେ ଗଛଲତା ମାଡି ଯାଇଥିବା ମଧ୍ୟ ଦେଖାଯାଉଛି । ତେବେ ଶନିବାର ବାରିପଦା ସହରର ଟ୍ରାଫିକ ଛକ ନିକଟରେ ବିପଦସଂକୁଳ ଅବସ୍ଥାରେ ରହିଥିବା ସେହିଭଳି ଏକ ଟ୍ରାନ୍ସଫର୍ମରରେ ହଠାତ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳି ଉଠିଥିଲା । ତା କଡକୁ ରହିଥିବା ଦୋକାନରେ ପାର୍ବଣ କିଣାକିଣି ପାଇଁ ଲୋକଙ୍କ ଭିଡ ମଧ୍ୟ ଲାଗିଥିଲା । ଲୋକେ ଏହାକୁ ଦେଖି ଭୟଭୀତ ହୋଇ ଅଗ୍ନିଶମ ବାହିନୀଙ୍କୁ ଖବର ଦେବାରୁ ତୁରନ୍ତ ସେମାନେ ପହଞ୍ଚି ଅଗ୍ନିକୁ ଆୟତ୍ତ କରିଥିଲେ । ବ୍ୟସ୍ତ ବହୁଳ ରାସ୍ତା କଡ଼ରେ ଅସୁରକ୍ଷିତ ଅବସ୍ଥାରେ ରହିଥିବା ଏଭଳି ଟ୍ରାନ୍ସଫର୍ମର ମାନଙ୍କରେ ଅନେକ ସମୟରେ ସଟସର୍କିଟ ହୋଇ ନିଆଁ ବାହାରୁଥିବା ମଧ୍ୟ ଦେଖାଯାଏ । ଯାହା ଫଳରେ ଲୋକେ ଉକ୍ତ ବିପଦଭରା ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି । ବାରମ୍ୱାର ଅଭିଯୋଗ ସତ୍ତ୍ବେ ଟାଟା ପାୱାର ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରୁନାହାଁନ୍ତି । ଅନ୍ୟପଟେ ରାସ୍ତା କଡ଼କୁ ଟ୍ରାନ୍ସଫର୍ମର ଥିବାରୁ ରାସ୍ତା ସଂକୀର୍ଣ୍ଣ ହୋଇ ଟ୍ରାଫିକ ଜାମ ସ୍ଥିତି ହେଉଛି । ସନ୍ଧ୍ୟା ସମୟରେ ଅଧିକ ଗହଳି ଯୋଗୁଁ ଏସବୁକୁ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତର କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଏନେଇ ଧନଜୀବନ ନଷ୍ଟ ହେବା ପୂର୍ବରୁ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗକୁ ରାସ୍ତା ଅବରୋଧ କରି ପ୍ରତିବାଦ କରିବେ ବୋଲି ସ୍ଥାନୀୟବାସୀ ଚେତାବନୀ ଦେଇଥିବା ଜଣାପଡିଛି ।






