ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:
ଜଗତସିଂହପୁର ଜିଲ୍ଲାରେ ବେଆଇନ ବାଲି ଚାଲାଣ ଉପରେ ତିର୍ତ୍ତୋଲ ପୋଲିସର ଚଢ଼ାଉ। ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ଥାନା ଅନ୍ତର୍ଗତ ଥାନାଗଡା ନିକଟରେ ଗୋଟିଏ ପରେ ଗୋଟିଏ ୪ଟି ବାଲି ବୋଝେଇ ହାଇୱାକୁ ପୋଲିସ ଅଟକାଇ ଯାଞ୍ଚ କରିଥିଲା। ତେବେ ଗାଡ଼ିଗୁଡ଼ିକର ଚାଳକଙ୍କ ନିକଟରେ ବାଲି ପରିବହନ ପାଇଁ ଆବଶ୍ୟକୀୟ ଟ୍ରାଞ୍ଜିଟ୍ ପାସ୍ କିମ୍ବା କୌଣସି ବୈଧ କାଗଜପତ୍ର ନଥିବା ଜଣାପଡ଼ିଥିଲା। ଏହି ଘଟଣାରେ ପୋଲିସ ୪ଟି ହାଇୱା ଜବତ କରିବା ସହ ୪ ଜଣ ଚାଳକଙ୍କୁ ଗିରଫ କରିଛି।
ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଗାଡ଼ି ଚାଳକମାନେ ହାଜିପୁର ବାଲି ସୈରାତରୁ ନିଜ ନିଜ ଗାଡ଼ି ମାଲିକଙ୍କ ନିର୍ଦ୍ଦେଶରେ ବାଲି ଲୋଡ୍ କରି ଆସୁଥିଲେ। ଯାଞ୍ଚ ସମୟରେ କୌଣସି ବୈଧ ଅନୁମତିପତ୍ର ଦେଖାଇ ନପାରିବାରୁ ପୋଲିସ ଗାଡ଼ିଗୁଡ଼ିକୁ ଜବତ କରିଥିଲା। ଜବତ ହୋଇଥିବା ହାଇୱା ମଧ୍ୟରେ ଓଡି-୦୫-ସିଡି-୫୯୨୨, ଓଡି-୦୫-ୱାଇ-୫୬୧୭,ଓଡି-୦୪-ଆର୍-୪୭୩୧ ଏବଂ ଓଡି-୨୧-ଏମ୍-୭୬୭୭ ରହିଛି। ଏହି ଗାଡ଼ିଗୁଡ଼ିକର ଚାଳକ ଲୋଚନ କୁମାର ସାହୁ, ଆଶିଷ ମଲ୍ଲିକ, ସୌମ୍ୟରଞ୍ଜନ ମଲ୍ଲିକ ଓ ଦିଲ୍ଲୀପ କୁମାର ମଲ୍ଲିକଙ୍କୁ ପୋଲିସ ଅଟକ ରଖି ପରବର୍ତ୍ତୀ ସମୟରେ ଗିରଫ କରିଥିଲା। ରାତି ୨ଟା ୧୦ରୁ ୨ଟା ୨୫ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ୪ଟି ଗାଡ଼ିକୁ ଜବତ କରାଯାଇଥିଲା। ଏନେଇ ତିର୍ତ୍ତୋଲ ଥାନାରେ କେସ୍ ନମ୍ବର ୪୯୯, ତାରିଖ ୧୫.୧୧.୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୨(୨)/୬୧(୨)/୩୦୩(୨)/୩(୫) ଏବଂ ଓଏମ୍ଏମ୍ସି ନିୟମାବଳୀ, ୨୦୧୬ର ଧାରା ୫୧(୧) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ବେଆଇନ ବାଲି ଚାଲାଣ ପଛରେ ସମ୍ପୃକ୍ତ ଗାଡ଼ି ମାଲିକ ଏବଂ ଅନ୍ୟ କେଉଁମାନଙ୍କର ଭୂମିକା ରହିଛି, ତାହାର ଖୋଳତାଡ଼ ଜାରି ରଖିଛି ପୋଲିସ। ଏକ ସଂଗଠିତ ବେଆଇନ ବାଲି ଚାଲାଣ ନେଟୱାର୍କ ଓ ଅପରାଧିକ ଷଡ଼ଯନ୍ତ୍ରର ସମ୍ଭାବ୍ୟ ସମ୍ପୃକ୍ତି ଦିଗକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ଗିରଫ ୪ ଜଣ ଚାଳକଙ୍କୁ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଥିବା ତିର୍ତ୍ତୋଲ ଥାନା ପକ୍ଷରୁ ସୂଚନା ମିଳିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।






