ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:
ରାଜ୍ୟର ବିଭିନ୍ନ ସ୍ଥାନରୁ ଯୋଗଦେଲେ ବ୍ରହ୍ମାକୁମାରୀ ଭଉଣୀ ଓ ବ୍ରହ୍ମାକୁମାର ଭାଇ
ସ୍ମୃତିଚାରଣ ସହ ସ୍ୱାସ୍ଥ୍ୟସେବା, ୪୦୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା
ନୂଆଗାଁ, ୧୯/୧୧: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲାଠାରେ ଧର୍ମପ୍ରାଣ ମହିଳା ସ୍ୱର୍ଗତ ପାଲି ସାହୁଙ୍କ ସ୍ମୃତିରେ ଏକ ଭାବପୂର୍ଣ୍ଣ ଆଧ୍ୟାତ୍ମିକ ସମାବେଶ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବାହାଡ଼ାଝୋଲା ଶାଖା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର, ସମ୍ବଲପୁର, କଟକ, ପୁରୀ, ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ବ୍ରହ୍ମାକୁମାରୀ ଭଉଣୀ ଓ ବ୍ରହ୍ମାକୁମାର ଭାଇ ଯୋଗଦେଇ ଦିବଂଗତ ଆତ୍ମାଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଆଧ୍ୟାତ୍ମିକ ଆଲୋଚନା ସହ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ବାହାଡ଼ାଝୋଲା ପଞ୍ଚାୟତସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଦିବ୍ୟାଲୋକ ଭବନ ପରିସରରେ ବୁଧବାର ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାହାଡ଼ାଝୋଲା ଶାଖାର ମୁଖ୍ୟ ପରିଚାଳିକା ବ୍ରହ୍ମାକୁମାରୀ ଲକ୍ଷ୍ମୀ ଭଉଣୀଙ୍କ ତତ୍ତ୍ୱାବଧାନରେ ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ସ୍ୱର୍ଗତ ପାଲି ସାହୁଙ୍କ ଆଧ୍ୟାତ୍ମିକ ଜୀବନ, ଧାର୍ମିକ ଚିନ୍ତାଧାରା ଓ ସ୍ମୃତିକୁ ମନେ ପକାଇ ଉପସ୍ଥିତ ଶ୍ରଦ୍ଧାଳୁମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ସ୍ମୃତିଚାରଣ ସଭାରେ ଭୁବନେଶ୍ୱରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରୁ ବ୍ରହ୍ମାକୁମାରୀ ଗୀତା ଭଉଣୀ, ଆଧ୍ୟାତ୍ମିକ ପ୍ରବକ୍ତା ଭଉଣୀ, ଭୁବନେଶ୍ୱରର ସରୋଜିନୀ ଭଉଣୀ, ଖଲ୍ଲିକୋଟର ଜ୍ୟୋତ୍ସ୍ନାରାଣୀ ଭଉଣୀ ଓ ହିଞ୍ଜିଳିକାଟୁର ହେମଲତା ଭଉଣୀ ପ୍ରମୁଖ ଯୋଗଦେଇଥିଲେ। ଏଥିସହ ସମ୍ବଲପୁର, କଟକ, ପୁରୀ, ବ୍ରହ୍ମପୁର ଓ ଅନ୍ୟାନ୍ୟ ଅଞ୍ଚଳରୁ ଆସିଥିବା ବ୍ରହ୍ମାକୁମାରୀ ଭଉଣୀ ଏବଂ ବ୍ରହ୍ମାକୁମାର ଭାଇମାନଙ୍କ ଉପସ୍ଥିତିରେ ଦିବ୍ୟାଲୋକ ଭବନ ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସଭାରେ ଉପସ୍ଥିତ ବକ୍ତାମାନେ ମାନବ ଜୀବନରେ ଆଧ୍ୟାତ୍ମିକ ଚିନ୍ତନ, ସଦ୍ଭାବନା, ସେବା ମନୋଭାବ ଓ ନୈତିକ ମୂଲ୍ୟବୋଧର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମଣିଷ ଜୀବନରେ ଶାନ୍ତି, ପ୍ରେମ, ସହନଶୀଳତା ଓ ପରୋପକାର ଭାବନାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ସ୍ୱର୍ଗତ ପାଲି ସାହୁଙ୍କ ସ୍ମୃତିଚାରଣ ମାଧ୍ୟମରେ ଆଧ୍ୟାତ୍ମିକତା ସହ ମାନବସେବାର ମହତ୍ତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା।
କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଆୟୁର୍ବେଦିକ ବିଶେଷଜ୍ଞ ତ୍ରିଲୋଚନ ଜେନା ଯୋଗଦେଇ ୪୦୦ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରିଥିଲେ। ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଏଭଳି ଜନସେବାମୂଳକ ଶିବିର ଆୟୋଜନ କରାଯାଇଥିବାରୁ ସ୍ଥାନୀୟ ଲୋକେ ଏହାର ସୁବିଧା ପାଇଥିଲେ। ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ଓ ପରିଚାଳନାରେ ସ୍ଥାନୀୟ ସାମ୍ବାଦିକ ପ୍ରଦୀପ କୁମାର ସାହୁ, ନିରଞ୍ଜନ ସାହୁ ଓ ରବୀନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ସହଯୋଗ କରିଥିଲେ। ଆମନ୍ତ୍ରିତ ଅତିଥି, ବିଭିନ୍ନ ସ୍ଥାନରୁ ଆସିଥିବା ବ୍ରହ୍ମାକୁମାରୀ ଭଉଣୀ, ବ୍ରହ୍ମାକୁମାର ଭାଇ ଓ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।






