ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:
ଖୋରଧା, ସେପ୍ଟେମ୍ବର ୨୨ : ଅଭାବ ଓ ଆର୍ଥିକ ଅନାଟନ ମଧ୍ୟରେ ଥାଇ ସ୍ୱପ୍ନର ପଥ ପ୍ରତିବନ୍ଧକ ହୋଇପାରେନାହିଁ। ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ନିଜ ଲକ୍ଷ୍ୟ ପ୍ରତି ଅବିଚଳ ନିଷ୍ଠା ଥିଲେ ସଫଳତା ନିଶ୍ଚିତ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଖୋରଧା ଜିଲ୍ଲାର ହଳଦିଆ ଗ୍ରାମର ଯୁବ କ୍ରୀଡ଼ାବିତ୍ ବିଭୂତି ଭୂଷଣ ଭଞ୍ଜଦେଓ। ବିଦେଶ ମାଟିରେ ନିଜ ପ୍ରତିଭାର ପରାକାଷ୍ଠା ଦେଖାଇ ସେ ଭାରତ ପାଇଁ ଅର୍ଜନ କରିଛନ୍ତି ତିନି ତିନୋଟି ସ୍ୱର୍ଣ୍ଣ ପଦକ। ଦେଶ ବାହାରେ ସୁଦୂର କାଜାଖସ୍ତାନର କାରାଗାଣ୍ଡା ସହରରେ ଆୟୋଜିତ ଆନ୍ତର୍ଜାତୀୟ ପାୱାର ଲିଫ୍ଟିଂ ଚାମ୍ପିଅନସିପ୍ରେ ଯୋଗଦେଇ ବିଭୂତି ଏହି ସଫଳତା ହାସଲ କରିଛନ୍ତି। ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ପ୍ରତିଯୋଗୀଙ୍କ ମଧ୍ୟରେ ନିଜ ଦକ୍ଷତା ପ୍ରଦର୍ଶନ କରି ସେ ଦେଶର ନାମକୁ ଆନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ଉଚ୍ଚକୁ ନେଇଛନ୍ତି।

ତେବେ ବିନା କୌଣସି ସରକାରୀ ସହାୟତାକୁ ଅପେକ୍ଷା ନକରି ନିଜ ଖର୍ଚ୍ଚରେ ବିଦେଶ ଯାତ୍ରା ଓ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଜଣାପଡ଼ିଛି। କୌଣସି ସରକାରୀ, କର୍ପୋରେଟ୍ କିମ୍ବା ବ୍ୟକ୍ତିଗତ ଆର୍ଥିକ ସହାୟତା ବିନା ନିଜ ସ୍ୱପ୍ନ ଓ ଲକ୍ଷ୍ୟକୁ ଆଗରେ ରଖି ସେ ବିଦେଶ ଯାତ୍ରା କରିବା ସହିତ ବିଶ୍ୱସ୍ତରୀୟ ମଞ୍ଚରେ ଅଂଶଗ୍ରହଣ କରି ସଫଳତା ହାସଲ କରିବା ତାଙ୍କ ଦୃଢ଼ ମନୋବଳର ପରିଚୟ ଦେଇଛି। ଓଡ଼ିଶାର ଏକମାତ୍ର ପ୍ରତିନିଧି ଭାବେ ଯୋଗଦେଇ ବିଭୁତି ଆୟୋଜିତ ଓଭରାଲ ପାୱାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ଅଂଶ ନେଇ ୩୩୨.୫୦ କିଲୋଗ୍ରାମ୍ ଭାର ଉତ୍ତୋଳନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହା ବ୍ୟତୀତ ବେଞ୍ଚ୍ ପ୍ରେସ୍ ରେ ଭାଗ ନେଇ ୯୨.୫ କିଲୋଗ୍ରାମ୍ ଭାର ଉଠାଇ ସ୍ୱର୍ଣ୍ଣ ପଦକ ଏବଂ ଷ୍ଟ୍ରିକ୍ଟ କର୍ଲରେ ମଧ୍ୟ ୫୦ କିଲୋଗ୍ରାମ୍ ଭାର ଉଠାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରାୟ ୨୪ଟି ଦେଶର ୩୫୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ଭାରତୀୟ ଦଳରେ ଓଡ଼ିଶାରୁ ବିଭୂତି ଏକମାତ୍ର କ୍ରୀଡ଼ାବିତ୍ ଭାବେ ଅଂଶଗ୍ରହଣ କରିଥିବା ଜଣା ପଡ଼ିଛି। ସେହିପରି ଅନ୍ୟ ଦେଶର ଅଭିଜ୍ଞ ପ୍ରତିଯୋଗୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ତିନି ତିନିଟି ସ୍ୱର୍ଣ୍ଣ ଜିତିବା ବିଭୂତିଙ୍କ ପ୍ରତିଭାକୁ ବିକଶିତ କରିଛି । ଖୋରଧା ଜିଲ୍ଲାର ହଳଦିଆ ପରି ଏକ ଛୋଟ ଗାଁରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ବିଭୂତିଙ୍କୁ ଆନ୍ତର୍ଜାତୀୟ କ୍ରୀଡ଼ା ମଞ୍ଚରେ ପହଞ୍ଚାଇବା ସହ ଏହି ସଫଳତା ଓଡ଼ିଶାର ଯୁବ କ୍ରୀଡ଼ାବିତ୍ ମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି କ୍ରୀଡ଼ାପ୍ରେମୀମାନେ ଆଶା ପ୍ରକାଶ କରିଛନ୍ତି। ଏତଦ୍ ବ୍ୟତୀତ କାଜାଖସ୍ତାନର ସଫଳତା ପରେ ଆସନ୍ତା ୨୩ ତାରିଖରେ ନିଜ ରାଜ୍ୟକୁ ଗୌରବ ଅର୍ଜନ କରି ଫେରିବାକୁ ଥିବାବେଳେ ବିଭୂତିଙ୍କ ପାଇଁ ଆସିଛି ଆଉ ଏକ ବଡ଼ ସୁଯୋଗ । ଭାରତୀୟ ଆର୍ମ ରେସଲିଂ ନିୟନ୍ତ୍ରଣ ସଂସ୍ଥା (BCAI) ପକ୍ଷରୁ ତାଙ୍କୁ ଆସନ୍ତା ସେପ୍ଟେମ୍ବର ୨୨ରୁ ୨୮ ପର୍ଯ୍ୟନ୍ତ ଜାପାନରେ ଆୟୋଜିତ ଆନ୍ତର୍ଜାତୀୟ ଆର୍ମ ରେସଲିଂ ମହାସଂଘ (IFA)ର ବିଶ୍ୱ ଆର୍ମ ରେସଲିଂ ଚାମ୍ପିଅନସିପ୍ -୨୦୨୬ ପାଇଁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ ପାଇଁ ମନୋନୀତ ହୋଇଥିବା ଜଣାଯାଇଛି ।
ବିଶ୍ୱ ମଞ୍ଚରେ ତ୍ରିରଙ୍ଗାର ଗୌରବ ବଢ଼ାଇଥିବା ଏହି ଓଡ଼ିଆ ପୁଅଙ୍କ ସଫଳତା ଖୋରଧା ଜିଲ୍ଲା ତଥା ସମଗ୍ର ଓଡ଼ିଶା ପାଇଁ ନିଶ୍ଚିତ ଭାବେ ଗର୍ବର ବିଷୟ ବୋଲି ମତ ପ୍ରକାଶ ପାଇଛି ।






