ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଶିଳ୍ପାଞ୍ଚଳ ନାଁରେ ଲଜ୍ଜା”୧.୨୨ ଲକ୍ଷ ପରିବାରକୁ ରାସନ ଭରସା””ଶିଳ୍ପାଞ୍ଚଳର ସମୃଦ୍ଧି କାହା ପାଇଁ “

ଶିଳ୍ପାଞ୍ଚଳ ନାଁରେ ଲଜ୍ଜା”୧.୨୨ ଲକ୍ଷ ପରିବାରକୁ ରାସନ ଭରସା””ଶିଳ୍ପାଞ୍ଚଳର ସମୃଦ୍ଧି କାହା ପାଇଁ “ – ସମୀକ୍ଷା ଖବର

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା:

ଝାରସୁଗୁଡ଼ା, ୨୫/୯: କୋଇଲା, ଆଲୁମିନିୟମ, ଇସ୍ପାତ ଓ ତାପଜ ବିଦ୍ୟୁତ ଶିଳ୍ପର ବିଶାଳ ଭିତ୍ତି ଉପରେ ଝାରସୁଗୁଡ଼ାର ଅର୍ଥନୀତି ଦ୍ରୁତଗତିରେ ଆଗକୁ ବଢ଼ୁଛି l ବଡ଼ ବଡ଼ ଶିଳ୍ପାନୁଷ୍ଠାନ, କୋଟି କୋଟି ଟଙ୍କାର ନିବେଶ, ଖଣିଜ ସମ୍ପଦ ଓ ଉତ୍ପାଦନକୁ ନେଇ ଜିଲ୍ଲା ରାଜ୍ୟର ଏକ ପ୍ରମୁଖ ଶିଳ୍ପାଞ୍ଚଳ ଭାବେ ପରିଚିତ l ଶିଳ୍ପର ଚମକ ଓ ଅର୍ଥନୈତିକ ବିକାଶର ଦାବି ମଧ୍ୟରେ ଜିଲ୍ଲାର ଆର୍ଥିକ ସ୍ୱାବଲମ୍ବନର ଚିତ୍ର ଏକ ଭିନ୍ନ କାହାଣୀ କହୁଛି l ଶିଳ୍ପାଞ୍ଚଳ ଭାବେ ପରିଚିତ ଝାରସୁଗୁଡ଼ା ଜିଲ୍ଲାରେ ଆଜି ବି ୧ ଲକ୍ଷ ୨୨ ହଜାର ୭୪୧ ପରିବାର ଖାଦ୍ୟ ସୁରକ୍ଷା ଯୋଜନାର ରାସନ ଉପରେ ନିର୍ଭରଶୀଳ l କେନ୍ଦ୍ର ଓ ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ମୋଟ ୩ ଲକ୍ଷ ୯୦ ହଜାର ୬୩୪ ଜଣ ହିତାଧିକାରୀ ରହିଛନ୍ତି l ଅର୍ଥାତ୍ ଶିଳ୍ପ ଓ ଖଣିରୁ ରାଜସ୍ୱ ଓ ଉତ୍ପାଦନରେ ଆଗୁଆ ଜିଲ୍ଲାର ଏତେ ବଡ଼ ଜନସଂଖ୍ୟା ଆଜି ବି ସରକାରୀ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାର ଛତା ତଳେ ରହିଛନ୍ତି l ଏହି ଚିତ୍ର ହିଁ ଶିଳ୍ପାଞ୍ଚଳ ଭାବେ ଝାରସୁଗୁଡ଼ାର ବିକାଶ ମଡେଲକୁ ନେଇ ବଡ଼ ପ୍ରଶ୍ନ ଉଠାଇଛି l ଶିଳ୍ପର ଲାଭ ଓ ନିବେଶର ପ୍ରଭାବ କେତେ ପରିମାଣରେ ସ୍ଥାନୀୟ ପରିବାରର ଆୟ, ନିଯୁକ୍ତି ଓ ଜୀବନଧାରଣ ମାନକୁ ପହଞ୍ଚିଛି ଏହା ଏବେ ଆଲୋଚନାର ବିଷୟ l

ଶିଳ୍ପାଞ୍ଚଳ ନାଁରେ ଲଜ୍ଜା”୧.୨୨ ଲକ୍ଷ ପରିବାରକୁ ରାସନ ଭରସା””ଶିଳ୍ପାଞ୍ଚଳର ସମୃଦ୍ଧି କାହା ପାଇଁ “ – ସମୀକ୍ଷା

“ଦଶ ବର୍ଷରେ ବଢ଼ିଲା ରାସନ କାର୍ଡ”
ସରକାରୀ ତଥ୍ୟ ଅନୁଯାୟୀ, ୨୦୧୬ରେ ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ୧ ଲକ୍ଷ ୭ ହଜାର ୪୮୫ଟି କାର୍ଡ ଥିଲା l ଏଥିରେ ୩ ଲକ୍ଷ ୯୦ ହଜାର ୭୯୨ ଜଣ ହିତାଧିକାରୀ ଉପକୃତ ହେଉଥିଲେ l ୨୦୨୬ରେ ଏନଏଫଏସଏ କାର୍ଡ ସଂଖ୍ୟା ବଢ଼ି ୧ ଲକ୍ଷ ୧୮ ହଜାର ୧୧ରେ ପହଞ୍ଚିଛି l ଅର୍ଥାତ୍ ଏକ ଦଶନ୍ଧି ମଧ୍ୟରେ ରାସନ କାର୍ଡ ସଂଖ୍ୟାରେ ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ଘଟିଛି l ଶିଳ୍ପାୟନ ଓ ଅର୍ଥନୈତିକ ବିକାଶର ଦାବି ମଧ୍ୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ଏତେ ବଡ଼ ସଂଖ୍ୟକ ପରିବାରର ଉପସ୍ଥିତି ସ୍ଥାନୀୟ ଅର୍ଥନୀତିର ତଳସ୍ତରର ଚିତ୍ରକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି l

“ଏନଏଫଏସଏରେ ୩.୮୦ ଲକ୍ଷ ହିତାଧିକାରୀ”
ଜିଲ୍ଲା ଯୋଗାଣ ଅଧିକାରୀ ଦୁର୍ଗାଚରଣ ବେସ୍ରାଙ୍କ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଜିଲ୍ଲାରେ ଏନଏଫଏସଏ ଅଧୀନରେ ୧ ଲକ୍ଷ ୯ ହଜାର ୬୪୬ ପିଏଚଏଚ୍ କାର୍ଡ ରହିଛି l ଏଥିରେ ୩ ଲକ୍ଷ ୬୦ ହଜାର ୩୨୦ ଜଣ ହିତାଧିକାରୀ ଅଛନ୍ତି l ସେହିପରି ଅନ୍ତ୍ୟୋଦୟ ଅନ୍ନ ଯୋଜନା (ଏଏଓ୍ୱାଇ)ରେ ୮ ହଜାର ୩୬୫ କାର୍ଡ ରହିଥିବାବେଳେ ଏଥିରେ ୨୦ ହଜାର ୬୩୦ ଜଣ ହିତାଧିକାରୀ ରହିଛନ୍ତି l ପିଏଚଏଚ୍ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ମାସକୁ ୫ କିଲୋ ଖାଦ୍ୟଶସ୍ୟ ଏବଂ ଏଏଓ୍ୱାଇ ପରିବାରକୁ ମାସିକ ୩୫ କିଲୋ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି l ୨୦୨୩ ଜାନୁଆରୀରୁ ଏହି ଖାଦ୍ୟଶସ୍ୟ ମାଗଣାରେ ଯୋଗାଣ କରାଯାଉଛି l

“ଏନଏଫଏସଏ ବାହାରେ ବି ରାସନ ଭରସା”
ଜାତୀୟ ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଓଡ଼ିଶା ସରକାର ୨୦୧୮ ଗାନ୍ଧୀ ଜୟନ୍ତୀଠାରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଥିଲେ l ଝାରସୁଗୁଡ଼ାରେ ଏହି ଯୋଜନାରେ ବର୍ତ୍ତମାନ ୪ ହଜାର ୭୩୦ଟି କାର୍ଡ ଥିବାବେଳେ ୯ ହଜାର ୬୮୪ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି l ଏହାକୁ ମିଶାଇ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ ୧ ଲକ୍ଷ ୨୨ ହଜାର ୭୪୧ଟି କାର୍ଡ ଓ ୩ ଲକ୍ଷ ୯୦ ହଜାର ୬୩୪ ଜଣ ହିତାଧିକାରୀ ରହିଛନ୍ତି l

ଶିଳ୍ପାଞ୍ଚଳ ନାଁରେ ଲଜ୍ଜା”୧.୨୨ ଲକ୍ଷ ପରିବାରକୁ ରାସନ ଭରସା””ଶିଳ୍ପାଞ୍ଚଳର ସମୃଦ୍ଧି କାହା ପାଇଁ “ – ସମୀକ୍ଷା

“ଜିଲ୍ଲାର ଦୁଇ-ତୃତୀୟାଂଶ ଜନସଂଖ୍ୟା ରାସନ ତାଲିକାରେ”
୨୦୧୧ ଜନଗଣନା ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲାରେ ମୋଟ ୧ ଲକ୍ଷ ୩୬ ହଜାର ୬୧ ପରିବାର ଓ ୫ ଲକ୍ଷ ୭୯ ହଜାର ୫୦୫ ଜଣ ଲୋକ ଥିଲେ l ଏହି ଆଧାରରେ ବର୍ତ୍ତମାନର ଏନଏଫଏସଏ କଭରେଜକୁ ଦେଖିଲେ ୨୦୧୧ର ପରିବାର ସଂଖ୍ୟାର ପ୍ରାୟ ୭୯ ପ୍ରତିଶତ ସମାନ ପରିବାର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାରେ ରହିଛନ୍ତି l ହିତାଧିକାରୀ ସଂଖ୍ୟାକୁ ୨୦୧୧ର ଜନସଂଖ୍ୟା ସହ ତୁଳନା କଲେ ଏହା ପ୍ରାୟ ୬୭ ପ୍ରତିଶତ l ଏହି ସଂଖ୍ୟା କେବଳ ରାସନ ବଣ୍ଟନର ପରିସରକୁ ଦର୍ଶାଉନାହିଁ; ଜିଲ୍ଲାର ଆର୍ଥିକ ଅସମାନତା, ନିଯୁକ୍ତି ସୁଯୋଗ ଓ ଶିଳ୍ପାୟନର ଲାଭ ସାଧାରଣ ଲୋକଙ୍କ ପାଖରେ କେତେ ପହଞ୍ଚୁଛି, ଏସବୁକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ l

“ଶିଳ୍ପର ଚମକ, ଘରେ ରାସନର ଭରସା”
ଝାରସୁଗୁଡ଼ାରେ ଶିଳ୍ପର ବିସ୍ତାର ସହ ଜମି, ପରିବେଶ, ନିଯୁକ୍ତି ଓ ସ୍ଥାନୀୟ ବିକାଶ ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଆସିଛି l ଶିଳ୍ପାନୁଷ୍ଠାନଗୁଡ଼ିକର ବଡ଼ ନିବେଶ ଓ ଉତ୍ପାଦନ ଜିଲ୍ଲାର ଅର୍ଥନୀତିକୁ ଗତି ଦେଇଥିବାବେଳେ ଏହାର ପ୍ରତ୍ୟକ୍ଷ ଓ ପରୋକ୍ଷ ଲାଭ ସ୍ଥାନୀୟ ଗରିବ ପରିବାରଙ୍କ ଆୟ ଓ ନିଯୁକ୍ତିରେ କେତେ ପ୍ରତିଫଳିତ ହୋଇଛି, ତାହା ମାପିବା ଆବଶ୍ୟକତା ଦେଖାଦେଇଛି l ଗୋଟିଏ ପଟେ ଶିଳ୍ପର ବିଶାଳ ଚିତ୍ର, ଅନ୍ୟପଟେ ଲକ୍ଷାଧିକ ପରିବାରର ରାସନ ନିର୍ଭରଶୀଳତା l ଏହି ଦୁଇଟି ଚିତ୍ର ମଧ୍ୟରେ ରହିଛି ଝାରସୁଗୁଡ଼ାର ବିକାଶର ବାସ୍ତବ ପ୍ରଶ୍ନ l ଶିଳ୍ପାୟନରୁ ସୃଷ୍ଟି ହେଉଥିବା ଅର୍ଥନୈତିକ ସମୃଦ୍ଧି ଯଦି ସମାଜର ତଳସ୍ତର ପର୍ଯ୍ୟନ୍ତ ପହଞ୍ଚି ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଓ ଆୟର ସୁଯୋଗ ଦେଇପାରୁନାହିଁ, ତେବେ କେବଳ ଶିଳ୍ପର ଆକାର ଓ ଉତ୍ପାଦନ ବୃଦ୍ଧିକୁ ସାମଗ୍ରିକ ବିକାଶର ମାପକାଠି କରାଯାଇପାରିବ କି ବୋଲି ପ୍ରଶ୍ନ ଉଠୁଛି l ଶିଳ୍ପାଞ୍ଚଳର ପରିଚୟ ଯେତେ ଗର୍ବର, ସେହି ଅଞ୍ଚଳର ଲକ୍ଷାଧିକ ପରିବାର ଯଦି ଆଜି ବି ମାସିକ ରାସନ ଉପରେ ନିର୍ଭର କରନ୍ତି, ତେବେ ଏହା ଶିଳ୍ପ ବିକାଶର ସାମାଜିକ ଲାଭକୁ ନେଇ ଏକ ଅସ୍ୱସ୍ତିକର ଚିତ୍ର l ଶିଳ୍ପର ଧୂଆଁ ଓ ଉତ୍ପାଦନର ଚମକ ମଧ୍ୟରେ ଗରିବଙ୍କ ଘର ଚୁଲି କେତେ ସ୍ୱାବଲମ୍ବୀ ହୋଇଛି ଏହାର ବାସ୍ତବ ଉତ୍ତର ହିଁ ଝାରସୁଗୁଡ଼ା ବିକାଶର ପ୍ରକୃତ ମାପକାଠି ହୋଇପାରେ l

ଶିଳ୍ପାଞ୍ଚଳ ନାଁରେ ଲଜ୍ଜା”୧.୨୨ ଲକ୍ଷ ପରିବାରକୁ ରାସନ ଭରସା””ଶିଳ୍ପାଞ୍ଚଳର ସମୃଦ୍ଧି କାହା ପାଇଁ “ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଲଘୁଚାପ ବର୍ଷାରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ: ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତା