ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି /ସମୀକ୍ଷା ନ୍ୟୁଜ:
୩୦/୯/୨୬ – ଚଳିତ ସେପ୍ଟେମ୍ବର ମାସ ୩୦ ତାରିଖ ରାଜ୍ୟ କର୍ମଚାରୀ ମହାସଂଘ (OSREF) ର ଆହ୍ୱାନରେ ରାଜ୍ୟବ୍ୟାପୀ ଅବସରପ୍ରାପ୍ତ କର୍ମଚାରୀଗଣ ସେମାନଙ୍କ ସଂଘ ଜରିଆରେ ସ୍ଥାନୀୟ ବ୍ଲକ୍, ସବଡିଭିଜନ ଓ ଜିଲ୍ଲାସ୍ତରରେ “ପ୍ରତିବାଦ ଦିବସ ” ପାଳନର ଆହ୍ଵାନ ଥିଲା । ତଦନୁଯାୟୀ ବଡ଼ସାହି ଏବଂ ବେତନଟୀ ବ୍ଳକ୍ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ପୃଥକ ଭାବେ ବଡ଼ସାହି ଓ ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନ ୧୦.୩୦ ରୁ ୧ଟା ପର୍ଯ୍ୟନ୍ତ ଧାରଣା ଦେଇ ପ୍ରତିବାଦ ଦିବସ ପାଳନ କରିଥିଲେ । ବେତନଟୀରେ ସ୍ଥାୟୀ ବିଡିଓ ଆଜକୁ ଛଅମାସ ହେବ ନଥିବାରୁ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଅରୁଣ କୁମାର ପୃଷ୍ଟିଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ଦଫା ସମ୍ମିଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ବଡ଼ସାହିରେ ବ୍ଲକ ସଂଘ ସଭାପତି ରଣଜିତ କୁମାର ଦାସ, ସମ୍ପାଦକ ଅନନ୍ତ କୁମାର ଶତପଥୀ ଓ ବେତନଟୀ ବ୍ଳକ ସଂଘର ସଭାପତି ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ ଓ ସାଧାରଣ ସଂପାଦକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ମିଳିତ ନେତୃତ୍ଵରେ ଆୟୋଜିତ ଧାରଣାରେ ବିଶେଷଭାବେ ୨୫ ମାର୍ଚ୍ଚ ୨୦୨୫ ରେ ଭାରତର ସଂସଦରେ ପାରିତ ପେନସନ ବିରୋଧୀ କଳା ଆଇନ ପ୍ରତ୍ୟାହାର ସମ୍ବନ୍ଧରେ ବିଶେଷ ଆଲୋଚନା କରଯାଇଥିଲା । ଅଷ୍ଟମ ଦରମା କମିଶନର ସୁପାରିଶ ବାର୍ଦ୍ଧକ୍ୟରେ ଉପନୀତ ପେନସନଧାରୀଙ୍କ ନିମନ୍ତେ “ଆକାଶ କଇଁଆ ଚିଲିକା ମାଛ ସଦୃଶ୍ୟ ” ବୋଲି ନିଜ ବକ୍ତବ୍ୟରେ ସଚିନ୍ଦ୍ର କୁମାର ବିଶ୍ବାଳ, ଯୋଗେଶ୍ବର ମିଶ୍ର, ବଙ୍କିମ ଚନ୍ଦ୍ର ପାତ୍ର, ଅଜୟ କୁମାର କର, କୃଷ୍ଣଚନ୍ଦ୍ର ନାୟକ, ଗଣେଶ ଚନ୍ଦ୍ର ସାହୁ, ଚିତ୍ତ ରଂଜନ ଖଟୁଆ ଦୁର୍ଯୋଧନ ସିଂ, ବାସୁଦେବ ନାପିତ ପ୍ରମୁଖ ବକ୍ତବ୍ୟ ରଖି ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ଵାନ ଦେଇଥିଲେ ।

ପେନସନଧାରୀଙ୍କ ୧୮ ମାସର ବକେୟା ମହଙ୍ଗା ଭତ୍ତା ପ୍ରଦାନ, ବସ୍ ଓ ରେଳ, ବିମାନ ଟିକଟରେ ରିହାତି, ସ୍ଵାସ୍ଥ୍ୟ ଚିକିତ୍ସାଭତ୍ତା ପ୍ରଦାନ, ୮ ମ ବେତନ କମିଶନ ରିପୋର୍ଟ ପର୍ଯ୍ୟନ୍ତ ମଧ୍ୟବର୍ତ୍ତି ଉତ୍ତା, ୬୦ ବର୍ଷ ପରେ ପ୍ରତ୍ୟେକ ୫ ବର୍ଷରେ ବର୍ଦ୍ଧିତ ଭତ୍ତା, ଜାତୀୟ ପେନସନ କମିଶନ ଗଠନ, ରାଜ୍ୟରେ ବନ୍ଦ ଥିବା ପେନସନ ଅଭିଯୋଗ ବିଭାଗର ପୁନଃ ପ୍ରଚଳନ , କମ୍ୟୁଟେଡ ପେନସନ ଅବଧି ୧୫ ରୁ ୧୦ ବର୍ଷ ୮ମାସକୁ ହ୍ରାସ, ପୁରୁଣା ପେନସନ ନିୟମ ପୁଣି ଲାଗୁ କରିବା ଆଦି ଦାବି ଉପରେ ବିଭିନ୍ନ ମତ ପ୍ରକାଶ ପାଇଥିଲା । ବେତନଟୀ ସଭାପତି ହରିଶଚନ୍ଦ୍ର ନନ୍ଦ ଗୋସ୍ୱାମୀ ଜନସେବା ନାମରେ ନିର୍ବାଚନ ଜିତି ମାତ୍ର ଏକବର୍ଷ ବିଧାୟକ, ସାଂସଦ ରହିଲେ କିପରି ଜୀବନବ୍ୟାପି ସୁବିଧା ସୁଯୋଗ ମିଳୁଛିର ତୁଳନାତ୍ମକ ବର୍ଣ୍ଣନା କରିଥିଲେ । ଶେଷରେ ବଡ଼ସାହି ବଡ଼ସାହି ସଦସ୍ୟ ରାଜେନ୍ଦ୍ର କୁମାର ଜେନା ଓ ବେତନଟୀ ଯୁଗ୍ମ ସାଧାରଣ ସଂପାଦକ ରବୀନ୍ଦ୍ରନାଥ ମିଶ୍ର ନିଜ ବକ୍ତବ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପେନସନାର ମାରଣ ନୀତିର ଦୃଢ ସମାଲୋଚନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ ବ୍ଲକ ସଂଘ ତରଫରୁ ଏକ ୧୨ଦଫା ଦାବି ସମ୍ବଳିତ ଲିଖିତ ସ୍ମାରକପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।






