ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି
, ୨/୧୦/୨୬ – ୩୦ଟି ପଞ୍ଚାୟତକୁ ନେଇ ସର୍ବବୃହତ ବଡ଼ସାହି ବ୍ଲକରେ ଏକ ଜେ ଏମ ଏଫ ସି କୋର୍ଟର ଆବଶ୍ୟକତା ନେଇ ବହୁବାର ଦାବି କରାଯାଇଛି । ବିଭିନ୍ନ ମହଲରୁ ବିଭିନ୍ନ ସ୍ତରରେ ବହୁବାର ଲିଖିତ ଅଭିଯୋଗ ମଧ୍ୟ କରାଯାଇଛି । ମାତ୍ର ବଡ଼ସାହି ପ୍ରତି ସରକାରୀ ଉଦାସୀନତା କାରଣରୁ କୋର୍ଟ କାର୍ଯ୍ୟକ୍ଷମ ନହେବା ନେଇ ପୁଣି ଅଣ୍ଟା ଭିଡୁଛନ୍ତି ବ୍ଲକ ବାସୀ ।

ଘଟଣା ଅନୁଯାୟୀ ୨୦୨୩ ମସିହାରୁ ସର୍ବବୃହତ ବଡ଼ସାହି ବ୍ଲକ ଅଧିବାସୀଙ୍କ ସମୂହ ସ୍ୱାର୍ଥ ନିମନ୍ତେ ଜେଏମଏଫସି କୋର୍ଟ ପ୍ରତିଷ୍ଠା ହେବା ନେଇ ସରକାରୀ ସ୍ତରରେ ଘୋଷଣା ହୋଇସାରିଛି । ଏଥିସହ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କୋର୍ଟ ପ୍ରତିଷ୍ଠା ପାଇଁ ଘୋଷଣା ପୂର୍ବକ କୋର୍ଟ ଖୋଲାଯାଇ କାର୍ଯ୍ୟକାରୀ ହୋଇସାରିଛି, ମାତ୍ର ପରିତାପର ବିଷୟ ଯେ ବଡ଼ସାହି ବ୍ଲକ ପ୍ରତି ପ୍ରଶାସନିକ ଉଦାସୀନତା ରହୁଥିବା ଯୋଗୁଁ ଅଦ୍ୟାବଧି ଅସ୍ଥାୟୀ ଭାବେ ମଧ୍ୟ ଏହା ଖୋଲାଯିବା ପାଇଁ କୌଣସି ପଦକ୍ଷେପ ନିଆ ଯାଇନାହିଁ । ପ୍ରକାଶ ଯୋଗ୍ୟ ଯେ, ଅସ୍ଥାୟୀ ଭାବେ ଉକ୍ତ କୋର୍ଟ ଖୋଲିବା ପାଇଁ ଗତ ଜୁନ ମାସରେ ବ୍ଲକର ବରିଷ୍ଠ ନାଗରିକ ମଞ୍ଚ,ବଣିକ ସଂଘ ସମେତ ବିଭିନ୍ନ ସଂଗଠନ, ବ୍ଲକ ସ୍ତରୀୟ ସମସ୍ତ ରାଜନୈତିକ ଦଳ ଏବଂ ବ୍ଲକ ବାସୀଙ୍କ ସର୍ବ ସମ୍ମତି କ୍ରମେ ବଡ଼ସାହି ବ୍ଲକ ପ୍ରେସ କ୍ଲବ ପକ୍ଷରୁ ଦାବି ଉପସ୍ଥାପନ ପୂର୍ବକ ଏକ ସ୍ମାରକ ପତ୍ର ଜିଲ୍ଲାପାଳ, ମୟୂରଭଞ୍ଜଙ୍କୁ ପ୍ରଦାନ କରିବା ସହିତ ସାକ୍ଷାତ କ୍ରମେ ଆଲୋଚନା ହୋଇଥିଲା ।ଏହାକୁ ଭିତ୍ତି କରି ବଡ଼ସାହି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ୟବହାର ଉପଯୋଗୀ ତଥା ପରିତ୍ୟକ୍ତ ଅବସ୍ଥାରେ ରହିଥିବା (ଯାହାକି ପୂର୍ବରୁ ତହସିଲ କାର୍ଯ୍ୟାଳୟ ଭାବେ ବ୍ୟବହୃତ ହୋଇଥିଲା) ପକ୍କା ଗୃହରେ (ଦାବିପତ୍ର ଗ୍ରହଣର ୧ ମାସ ମଧ୍ୟରେ ଯୋଗାଇ ଦେଇ) କୋର୍ଟକାର୍ଯ୍ୟ ଚାଲୁ କରିବାର ପ୍ରତିଶ୍ରୁତି ମିଳିଥିଲା ଏବଂ ସେହି ଗୃହକୁ ମରାମତି କରି ଯୋଗାଇ ଦେବେ ବୋଲି ବିଡ଼ିଓ ମଧ୍ୟ ସମ୍ମତି ଜଣାଇଥିଲେହେଁ ପରବର୍ତ୍ତୀ ସମୟରେ ସେ ନିଜ କଥାକୁ ରକ୍ଷା କରି ନଥିଲେ ଏବଂ ଘର ଯୋଗାଇ ପାରିବେ ନାହିଁ ବୋଲି ମନା କରିବା ପଛର କାରଣ ରହସ୍ୟ ଘେରରେ ରହିଛି ।

ତେବେ ଏ ଦିଗରେ ପୁନଃ ବ୍ଲକ ବାସୀଙ୍କ ପକ୍ଷରୁ ଚେଷ୍ଟା ଓ ପ୍ରକ୍ରିୟା ଜାରି ରଖିଥିବା ଜଣାପଡିଛି । ସ୍ଥାୟୀ କୋର୍ଟ ପ୍ରତିଷ୍ଠା ପାଇଁ ସ୍ଥାନ ଚିହ୍ନଟ ପ୍ରଚେଷ୍ଟା ଚାଲୁ ରହିଥିବା ବେଳେ ତଦନ୍ତ ପୂର୍ବକ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଅବ୍ୟବହୃତ ଗୃହରେ କିପରି ଅସ୍ଥାୟୀ ଭାବେ କୋର୍ଟ ଖୋଲାଯାଇ କାର୍ଯ୍ୟକ୍ଷମ କରି ଦୂରଦୂରାନ୍ତର ଲୋକଙ୍କ ସମସ୍ୟା ସମାଧାନ ହୋଇପାରିବ ସେ ଦିଗରେ ପୁନର୍ବାର ଲିଖିତ ଅଭିଯୋଗ କରାଯିବ ବୋଲି ପ୍ରସ୍ତୁତ ହେଉଥିବା ଜଣାପଡିଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏବଂ ଆଗାମୀ ଅଭିଯୋଗର ୭ ଦିନ ମଧରେ ଅସ୍ଥାୟୀ କୋର୍ଟ ଖୋଲିବାର ବ୍ୟବସ୍ଥା ନକଲେ ବ୍ଲକ ବାସୀ ସ୍ଥାନୀୟ ତହସିଲ ସମ୍ମୁଖରେ ଧାରଣା ଦେବା ସହିତ ଆମରଣ ଅନଶନ କରିବାକୁ ବିଭିନ୍ନ ମହଲରେ ପ୍ରସ୍ତୁତ ହେଉଥିବା ନେଇ ସୂଚନା ମିଳିଛି । ଉକ୍ତ ଅଭିଯୋଗ ପତ୍ରକୁ ଜିଲ୍ଲାପାଳ, ମୟୂରଭଞ୍ଜଙ୍କୁ ପ୍ରଦାନ ବ୍ୟତୀତ ବିଧାୟକ – ବଡ଼ସାହି, ଉପଜିଲ୍ଲାପାଳ, ବାରିପଦା, ଏସଡିପିଓ, ବାରିପଦା ତଥା ତହସିଲଦାର, ବଡ଼ସାହି ଓ ଥାନା ଅଧିକାରୀ, ବଡ଼ସାହିଙ୍କୁ ମଧ୍ୟ ବିହିତ କାର୍ଯ୍ୟାନୁଷ୍ଠାନ ସହ ଅବଗତି ନିମନ୍ତେ ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏସବୁ ସତ୍ତ୍ୱେ ବ୍ଲକବାସୀଙ୍କ ନାର୍ୟ୍ଯ ଦାବିର ଯଥାଶୀଘ୍ର ସମାଧାନ ନହେଲେ ଆଗାମୀ ଦିନରେ ଏହାର ଦୃଢ଼ ଜବାବ ଦେବା ବ୍ୟତୀତ କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ପ୍ରଶାସନ ଦାୟୀ ରହିବ ବୋଲି ବିଭିନ୍ନ ମହଲରେ ପ୍ରକାଶ ପାଇଛି ।





